କଟକ, ୧୯/୧୦: ମାସକୁ ଟଏଲେଟ୍ ପେପର୧୦ ପ୍ୟାକେଟ୍ । ଟିସୁ ପେପର ୧୫ ପ୍ୟାକେଟ୍ । ୭୦ରୁ ୧୦୦ ଲିଟର ହ୍ୟାଣ୍ଡ ୱାସ୍ । ଏହା ବାଦ୍ କ୍ଲିନର୍ ଓ ଅନ୍ୟାନ୍ୟ ସାମଗ୍ରୀ ବି ରହିଛି । ଏସବୁ ମିଶି କାଗଜପତ୍ରରେ ମାସକୁ ଖର୍ଚ୍ଚ ପ୍ରାୟ ୫୦ ଲକ୍ଷ ଟଙ୍କା । କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ଟଏଲେଟ୍ ପେପର, ଟିସୁ ପେପର କାହା ଆଖିରେ କେବେ ପଡ଼େନାହିଁ । ହ୍ୟାଣ୍ଡୱାସ୍ର ଖାଲି ବୋତଲଟିଏ ମଧ୍ୟ ପଡ଼ିଥିବାର ଦେଖିବାକୁ ମିଳେନାହିଁ । ଏ ହେଉଛି କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବସ୍ ଟର୍ମିନାଲ୍(ସିଏନ୍ବିଟି)ର ସଫେଇ ବ୍ୟବସ୍ଥାର ଚିତ୍ର । ସଫେଇ ବାବଦକୁ ସିଏନ୍ବିଟି ପରିଚାଳନା (ମେଣ୍ଟେନାନ୍ସ) ଦାୟିତ୍ୱରେ ଥିବା ସଂସ୍ଥାକୁ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ମାସକୁ ୫୦ ଲକ୍ଷ ବା ଅଧ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ପୈଠ କରୁଛନ୍ତି ।
ଗତ ବର୍ଷକ ମଧ୍ୟରେ ଏ ବାବଦରେ ସିଡିଏ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଦେଇ ସାରିଲାଣି । ତେବେ ସଫେଇ ନାଁରେ ଟଙ୍କା କେବଳ ହରିଲୁଟ୍ ହେଉଥିବା ଅଭିଯୋଗ ହେଉଛି । ବର୍ଷକ ତଳେ ଖାନନଗରରେ ସିଏନ୍ବିଟି ଉଦ୍ଘାଟନ ହୋଇଥିଲା । ଟର୍ମିନାଲ୍ ରକ୍ଷଣାବେକ୍ଷଣ (ମେଣ୍ଟେନାନ୍ସ) ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି । ରକ୍ଷଣାବେକ୍ଷଣ ବାବଦରେ ଯାହା ବି ଖର୍ଚ୍ଚ ହେବ ତାହା ସିଡିଏ ପ୍ରଦାନ କରୁଛି । ପ୍ରତି ମାସରେ ଏହି ସଂସ୍ଥା ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚର ଏକ ତାଲିକା ବା ବିଲ୍ ସିଡିଏକୁ ପ୍ରଦାନ କରିଥାଏ । ସେହି ପରିମାଣର ଅର୍ଥ ସିଡିଏ ଉକ୍ତ ସଂସ୍ଥାକୁ ଦେଇଥାଏ ।
ମିଳିଥିବା ସୂଚନା ଅନୁସାରେ, ପ୍ରତି ମାସରେ ରକ୍ଷଣାବେକ୍ଷଣ ବାବଦରେ ୪୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ଆସୁଛି । ଗତ ଅଗଷ୍ଟରେ ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ଯେଉଁସବୁ ବାବଦରେ ଏହି ଖର୍ଚ୍ଚର ତାଲିକା ସିଡିଏକୁ ଦିଆଯାଉଛି ତାହାକୁ ଯଦି ଯାଞ୍ଚ୍ କରାଯାଏ ତେବେ ଅନେକ ସାମଗ୍ରୀ ବ୍ୟବହାର କରାନଯାଇ ସେହି ଆଳରେ ଲକ୍ଷାଧିକ ଟଙ୍କା ହରିଲୁଟ୍ ହେଉଥିବା କୁହାଯାଉଛି । ଉଦାହରଣ ସ୍ୱରୂପ ପ୍ରତି ମାସରେ ଟଏଲେଟ୍ ପାଇଁ ବାଲ୍ଟି ଏବଂ ମଗ୍ କିଣାଯାଉଥିବା ନେଇ ବିଲ୍ ହେଉଛି । କିନ୍ତୁ ଅନେକ ଟଏଲେଟ୍ରେ କେଉଁଠି ବାଲ୍ଟି ନାହିଁ ତ’ କେଉଁଠି ମଗ୍ ନଥିବା ଦେଖାଯାଉଛି । ଅପରପକ୍ଷରେ ଟଏଲେଟ୍ ପେପର୍ ଦେଖିବାକୁ ମିଳୁନଥିବା ବେଳେ ଏ ବାବଦରେ ପ୍ରତି ମାସରେ ବିଲ୍ ହୋଇଚାଲିଛି । ହାତ ପୋଛିବା ପାଇଁ ଟାୱେଲଟିଏ ନଥିଲାବେଳେ ଏ ବାବଦରେ ମଧ୍ୟ ବିଲ୍ କରାଯାଉଛି ।
କେବଳ ସେତିକି ନୁହେଁ, ଏଭଳି ଅନେକ ଜିନିଷ ବିଲ୍ କରାଯାଇଛି ଯାହାର ନାଁ ଗନ୍ଧ ମଧ୍ୟ ଏହି ବସ୍ ଟର୍ମିନାଲରେ ଦେଖିବାକୁ ମିଳିନଥାଏ । ସବୁ ପ୍ରକାରର ସଫେଇ କାର୍ଯ୍ୟ ପାଇଁ ବ୍ୟବହାର ଯୋଗ୍ୟ କ୍ଲିନର୍ ମାସକୁ ୫୦ଲିଟର ଖର୍ଚ୍ଚ ହେଉଥିବା ଦେଖାଯାଉଥିଲା ବେଳେ ଲୁହା, ପିତଳ ସାମଗ୍ରୀ ସଫା ପାଇଁ ୨୦ ଲିଟର କ୍ଲିନର୍, କାଠ ସାମଗ୍ରୀ ସଫା ପାଇଁ ୧୦ ଲିଟର କ୍ଲିନର, ୩୦ ଲିଟର୍ ବାଥ୍ରୁମ୍ କ୍ଲିନର, କାଚ ସଫା ପାଇଁ ୨୦ ଲିଟର କ୍ଲିନର ବ୍ୟବହାର କରାଯାଇଥିବା ଦର୍ଶାଯାଇଛି । ପୁଣି ୨୦ କେଜି ବ୍ଲିଚିଂ ପାଉଡର୍ ମଧ୍ୟ ବ୍ୟବହାର ହେଉଥିବା ନେଇ ବିଲ୍ ହୋଇଛି ।୧୫ଟି ରୁମ୍ ସ୍ପ୍ରେ, ୧୦ଟି ଅଟୋ ସ୍ପ୍ରେ ମଧ୍ୟ ବ୍ୟବହାର ହେଉଥିବା ନେଇ ବିଲ୍ ହୋଇଛି । ପ୍ରତ୍ୟେକ ସାମଗ୍ରୀ ପାଇଁ ଟିକିନିଖି କରି ଖର୍ଚ୍ଚର ହିସାବ ଦିଆଯାଇ ଏ ବାବଦରେ ଅର୍ଥ ଦାୟିତ୍ୱରେ ଥିବା ସଂସ୍ଥା ନେଇ ଚାଲିଥିଲା ବେଳେ ପୁଣି ‘ଅନ୍ୟାନ୍ୟ ଖର୍ଚ୍ଚ’ କହି ସେ ବାବଦରେ ହଜାର ହଜାର ଟଙ୍କାର ବିଲ୍ କରାଯାଉଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସିଏନ୍ବିଟିରେ ଯେତିକି ଲୋକ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥିବା ନେଇ କାଗଜପତ୍ରରେ ଦର୍ଶାଯାଇଛି ସେମାନଙ୍କ ବାବଦରେ କେବଳ ୩୪ ଲକ୍ଷ ୫ହଜାର ୬୯୪ ଟଙ୍କା ସିଡିଏ ପ୍ରଦାନ କରିଆସୁଛି । ବାଲ୍ଟି, ମଗ ଆଦି ବାବଦରେ ପ୍ରତି ମାସରେ ୧ ଲକ୍ଷ ୨୦ହଜାରରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ସିଡିଏ ଦେଇଆସୁଛି। ଏହା ମଧ୍ୟରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ଗାଡ଼ିରେ ତେଲ ପାଇଁ ୧୨ ହଜାର ଟଙ୍କାର ବିଲ୍ କରାଯାଉଛି । ଗୋଟେ ମାସରେ ୩୦ଟି ୟୁରିନାଲ ସ୍କ୍ରିନ୍ ପାଇଁ ମଧ୍ୟ ବିଲ୍ କରାଯାଇଛି । ଝାଡ଼ୁ, ବାଲ୍ଟି, କଷ୍ଟିକ୍ ସୋଡ଼ା, ଡଷ୍ଟବିନ୍, ଗ୍ଲୋବ୍ସ୍, ଗ୍ଲାସ୍, ଡଷ୍ଟର୍, ଟିସୁ ପେପର ଆଦି ବାବଦରେ ପ୍ରତି ମାସରେ ୧ ଲକ୍ଷ ୨୦ ହଜାରରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ବିଲ୍ ହୋଇଛି ।
ସିଡିଏ ପକ୍ଷରୁ ସିଏନ୍ବିଟି ଦାୟିତ୍ୱରେ ଥିବା ମ୍ୟାନେଜର ସୌର ପଣ୍ଡାଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କିନ୍ତୁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ସପକ୍ଷରେ ଯାଇ କହିଛନ୍ତି ଯେ, ବସ୍ଷ୍ଟାଣ୍ଡକୁ ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି । ଲାଟ୍ରିନ୍ ଆଦି ସଫେଇ ଠିକ୍ ଭାବେ କରାଗଲେ ମଧ୍ୟ ସେମାନେ ଠିକ୍ ବ୍ୟବହାର ଜାଣି ନଥିବାରୁ ଅଳ୍ପ ସମୟ ମଧ୍ୟରେ ପାଇଖାନା ଖରାପ ହୋଇଯାଉଛି । ସିଏନ୍ବିଟିର ପରିଚାଳନା କାର୍ଯ୍ୟ ସମ୍ପୂର୍ଣ୍ଣ ଠିକ୍ ଭାବେ ଚାଲିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।