ଗାଜା,୨୧/୧୧: ଇସ୍ରାଏଲ-ହମାସ୍‌ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ମଙ୍ଗଳବାର ପ୍ରଥମ ଥର ଅଚାନକ ଗାଜା ଗସ୍ତ କରିଛନ୍ତି । ସେଠାରେ ସେ  ଇସ୍ରାଏଲ ସୈନ୍ୟ ଆଡ୍ଡା ପରିଦର୍ଶନ କରିଥିଲେ । ସାଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ ମଧ୍ୟ ଯାଇଥିଲେ । ଏହି  ଅବସରରେ ସେ ଇସ୍ରାଏଲ ବନ୍ଧକଙ୍କୁ ହମାସ୍‌ କବଳରୁ  ମୁକୁଳାଇବାରେ ସହାୟତା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫ ନିୟୁତ ଡଲାର ବା ପ୍ରାୟ ୪୨ କୋଟି ଟଙ୍କା ପୁରସ୍କାର ରାଶି ଦିଆଯିବ  ବୋଲି ଘୋଷଣା କରିଛନ୍ତି । ଏଥିସହ ସୂଚନା ଦେଇଥିବା  ବ୍ୟକ୍ତିଙ୍କୁ ଯୁଦ୍ଧ ପ୍ରଭାବିତ ପାଲେଷ୍ଟାଇନରୁ ସୁରକ୍ଷିତ ଭାବେ  ବାହାର କରାଯିବ ବୋଲି ନେତନ୍ୟାହୁ ଅଫର ଦେଇଛନ୍ତି ।  ହମାସ୍‌ ସହ କୌଣସି ପ୍ରକାର ଯୁଦ୍ଧବିରତିକୁ ସ୍ପଷ୍ଟ ଭାବେ  ନେତନ୍ୟାହୁ ମନା କରିଦେଇଛନ୍ତି । ଯୁଦ୍ଧ ଶେଷ ହେବା  ପରେ ହମାସ୍‌ ଆଉ କେବେ ପାଲେଷ୍ଟାଇନ ଉପରେ ଶାସନ  କରିପାରିବନି ବୋଲି ସେ କହିଛନ୍ତି । 

ନେତନ୍ୟାହୁ କହିଛନ୍ତି, ଆଉ ହମାସ୍‌ର ପ୍ରତ୍ୟାବର୍ତ୍ତନ  ହୋଇପାରିବନି । ଗାଜାରେ ବନ୍ଧକ ଥିବା ୧୦୧ ଇସ୍ରାଏଲ  ନାଗରିକଙ୍କ ସନ୍ଧାନ ଜାରି ରହିବ । ଆମ ନାଗରିକଙ୍କୁ ଯିଏ  ବି କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ ସେ ନିଜ ମୃତ୍ୟୁ ପାଇଁ  ନିଜେ ଦାୟୀ ରହିବ । ଇସ୍ରାଏଲ ନାଗରିକଙ୍କୁ ଆମେ ଖୋଜି  ବାହାର କରିବୁ । ଗାଜାରେ ନେତନ୍ୟାହୁ ସୈନ୍ୟଙ୍କ ଜ୍ୟାକେଟ,  ହେଲ୍‌ମେଟ ପିନ୍ଧିଥିବା ଦେଖାଯାଇଛି । ବ୍ରାଜିଲରେ ଜି-୨୦ ଶିଖର  ସମ୍ମିଳନୀ ଚାଲିଥିବାବେଳେ ନେତନ୍ୟାହୁ ଏହି ଗସ୍ତ କରିଛନ୍ତି ।  ସମ୍ମିଳନୀରେ ଗାଜାରେ ଯୁଦ୍ଧ ବନ୍ଦ କରାଇବା, ଗାଜାକୁ ଅଧିକ  ମାନବୀୟ ସହାୟତା ପ୍ରଦାନ ଆଦି ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକ  ଅପିଲ କରିଛନ୍ତି । ୧୩ ମାସ ଧରି ଗାଜାରେ ଚାଲିଥିବା ଯୁଦ୍ଧରେ  ଗାଜାର ପ୍ରାୟ ୯୦ ପ୍ରତିଶତ ସମ୍ପୂର୍ଣ୍ଣ ଧ୍ୱଂସ ହୋଇସାରିଛି । ୪୪  ହଜାରରୁ ଊଦ୍ଧ୍ୱର୍ ନାଗରିକଙ୍କ ମୃତ୍ୟୁ ଘଟିଲାଣି।