ଫିରିଙ୍ଗିଆ,୨୧/୧୧: ବାରମ୍ବାର ବାରମ୍ବାର ଗୁହାରି ସତ୍ତ୍ୱେ ବି ଶୁଣିଲାନି ପ୍ରଶାସନ। ନେଟଓ୍ବାର୍କ ସମସ୍ୟା ପାଇଁ ରାସ୍ତାକୁ ଓହ୍ଲାଇଲେ ଜନତା। ରାସ୍ତାରୋକ୍ କରିବା ସହ ପ୍ରତିବାଦ କଲେ ଗ୍ରାମବାସୀ। ଏଭଳି ଅଭିଯୋଗ କାଶିନିପଦର ପଞ୍ଚାୟତ ଅଞ୍ଚଳରେ ଆସିଛି।
ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ମୁଖ୍ୟାଳୟରେ ନେଟୱର୍କ ନ ଥିବାରୁ ବିପର୍ଯ୍ୟସ୍ତ ହୋଇ ପଡିଛି ଡିଜିଟାଲ ସେବା । ଅନ୍ୟ ସମସ୍ତ ପଞ୍ଚାୟତ ମୁଖ୍ୟାଳୟରେ ଜିଓ ନେଟୱର୍କ ରହିଥିବା ବେଳେ କାଶିନିପଦର ଠାରେ ନେଟୱର୍କ ନ ଥିବାରୁ ପଞ୍ଚାୟତ ବାସୀଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି। ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରସାଶନ ଏବଂ ଜନପ୍ରତିନିଧିମାନେ ଏଥିପ୍ରତି ଧ୍ୟାନ ଦେଉ ନ ଥିବା ହେତୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ବିଭିନ୍ନ ଜରୁରୀକାଳୀନ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେଇପଡିଛି। ପଞ୍ଚାୟତ, ବ୍ୟାଙ୍କ ଓ ବିଭିନ୍ନ ଅନଲାଇନ୍ କାର୍ଯ୍ୟ ପାଇଁ ଅଞ୍ଚଳ ବାସୀଙ୍କୁ ନାହିଁ ନ ଥିବା ସମସ୍ୟା ଭୋଗିବାକୁ ପଡୁଛି। ଏହାର ପ୍ରତିବାଦରେ ଆଜି କାଶିନୀପଦରଠାରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ। ଫଳରେ ଏହି ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।