ଭୁବନେଶ୍ୱର,୨୭/୧୦: ରାଜ୍ୟରେ  ଧର୍ମସ୍ଥଳୀ ଗୁଡ଼ିକର କାୟାକଳ୍ପ ବଦଳିବ । ପର୍ଯ୍ୟଟନ, ଐତିହ୍ୟ ସହ ଧାର୍ମିକସ୍ଥଳୀର ସଂଯୋଗୀକରଣ କରାଯିବ । ତୀର୍ଥଯାତ୍ରୀଙ୍କ ପାଇଁ ପୁନଃନିର୍ମାଣ ଏବଂ ମନ୍ଦିର ପରିଚାଳନା ପାଇଁ ଆରମ୍ଭ ହେବ ‘ଦେବାଳୟ  ପ୍ରକଳ୍ପ’ ବା ‘ପ୍ରୋଜେକ୍ଟ ଦେବାଳୟ’। ଏହାରି  ମାଧ୍ୟମରେ ଧାର୍ମିକ ପର୍ଯ୍ୟଟନକୁ ଆଗକୁ ନିଆଯିବ । ନିର୍ବାଚନ ପୂର୍ବରୁ ସଂକଳ୍ପ ପତ୍ରରେ ବିଜେପି ଯେଉଁ  ପ୍ରତିଶ୍ରୁତି ଦେଇଥିଲା, ନୂଆ ସରକାର ତାକୁ ପାଳନ କରିବାକୁ ଯାଉଛନ୍ତି ।  

ଏନେଇ ନିକଟରେ ଆଲୋଚନା ଆରମ୍ଭ  ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ  ଥିବା ବିଭିନ୍ନ ମନ୍ଦିର ଗୁଡ଼ିକର ରେକର୍ଡ, ନଥି  ବା ତଥ୍ୟ ସଂଗ୍ରହ କରାଯିବ । ସରକାରୀ ସ୍ତରରେ  ଗୋଟିଏ ୱେବ୍‌ସାଇଟ୍‌ ବା ପୋର୍ଟାଲ୍‌ ପ୍ରସ୍ତୁତ ହେବ,  ଯେଉଁଥିରେ ଓଡ଼ିଶାର ସବୁ ମନ୍ଦିରର ତଥ୍ୟ ରହିବ ।  ମନ୍ଦିର ଇତିହାସଠୁ ନେଇ ପୌରାଣିକ ଓ ଲୋକ  କଥା, ଦେବଦେବୀ, ପୂଜାନୀତି, ବିଭିନ୍ନ ଯାନିଯାତ୍ରା,  ସଂସ୍କୃତି, ପରମ୍ପରା, ଭୋଗ, ବେଶ, ସେବା,  ସେବକ, ପୂଜକ, ରାଜ ପରିବାର ସହିତ ସମ୍ପର୍କ,  ମନ୍ଦିର ଅବସ୍ଥିତି, ଠିକଣା ସହ ପର୍ଯ୍ୟଟନସ୍ଥଳୀ  ସମ୍ପର୍କରେ ସୂଚନା ଏବଂ ଆଖପାଖରେ ଥିବା ମନ୍ଦିର  ବିଷୟରେ ଟିକିନିଖି ବର୍ଣ୍ଣନା ରହିବ । ଡିଜିଟାଲ୍‌  ଯୁଗରେ ସେହିଭଳି ଏକ ଅତ୍ୟାଧୁନିକ ୱେବ୍‌ସାଇଟ୍‌  ପ୍ରସ୍ତୁତ କରୁଛନ୍ତି ଓଡ଼ିଶା ସରକାର । ଏ ବିଷୟରେ  ନିକଟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି  ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା,  ଯେଉଁଠି ଏହା ଉପରେ ସବିଶେଷ ଆଲୋଚନା  ହୋଇଥିବା ନେଇ ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି ।   

ଏସବୁ ଭିତରେ ଫୋକସ୍‌ରେ ରହିଛି ଶ୍ରୀମନ୍ଦିର । ରାଜ୍ୟ ସରକାର ଶପଥ ନେବାର କିଛି  ଘଣ୍ଟା ଭିତରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଥିଲେ । ରତ୍ନଭଣ୍ଡାର ଖୋଲିଲେ । ବାକି ପରିକ୍ରମା ପ୍ରକଳ୍ପ  ସମୟରେ ଭଙ୍ଗା ହୋଇଥିବା ମଠଗୁଡ଼ିକ ପାଇଁ  ଯଥେଷ୍ଟ କ୍ଷତି ପୂରଣ ସହ ପୁନଃପ୍ରତିଷ୍ଠା କରାଯିବ । ରାଜ୍ୟରେ ଥିବା ସ୍ୱୀକୃତିପ୍ରାପ୍ତ ମଠମାନଙ୍କୁ ଜମି  ଆବଣ୍ଟନ ହେବ । ପୁରୁଣା ଅବକ୍ଷୟ ବା ନଷ୍ଟ  ହେଇଥିବା ମଠ ପୂର୍ବଗୌରବକୁ ପୁନରୁଦ୍ଧାର ପାଇଁ  ଏକକାଳୀନ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ  କରାଯିବ । ‘ଦେବାଳୟ ପ୍ରକଳ୍ପ’କୁ ଓଡ଼ିଶାର ୧୨ଟି  ଶକ୍ତିପୀଠ, ୬ଟି ଶୈବପୀଠ, ସମଗ୍ର ଓଡ଼ିଶାର  ପ୍ରସିଦ୍ଧ ତଥା ଚିହ୍ନିତ ଶ୍ରୀଜଗନ୍ନାଥ ମନ୍ଦିର ଗୁଡ଼ିକରେ  କାର୍ଯ୍ୟକାରୀ କରାଯିବ । ନୟାଗଡ଼ ଓଡ଼ଗାଁ ରଘୁନାଥ ମନ୍ଦିରର ବିକାଶ ଏବଂ ସୌନ୍ଦର୍ଯୀକରଣ କରି ଏହାର  ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହତ୍ତ୍ୱକୁ ପୁନଃସ୍ଥାପନ  କରାଯିବ । ପ୍ରତ୍ୟେକ ଲୋକ ଯେପରି ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କ ଶୁଖିଲା ମହାପ୍ରସାଦ ପାଇପାରିବେ  ସେଥିପାଇଁ ପ୍ରତି ଜିଲ୍ଲାରେ ମହାପ୍ରସାଦ ବିତରଣ  କେନ୍ଦ୍ର ଖୋଲିବ ।   

ଗବେଷକ ଓ ଲେଖକ ଅନୀଲ ଧୀରଙ୍କ  ମତରେ ରାଜ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ର  ସରକାରଙ୍କ ସଂସ୍ଥା ଦ୍ୱାରା ସଂରକ୍ଷିତ ମନ୍ଦିର ସଂଖ୍ୟା ୩୦୦ରୁ କମ୍‌ । କିନ୍ତୁ ଦୀର୍ଘ ୧୨ ବର୍ଷରେ ୧୭ ଜିଲ୍ଲା  ବୁଲି ଗବେଷଣା କରି ପାଖାପାଖି ୬,୫୦୦ ମନ୍ଦିରର  ତଥ୍ୟ ଡକ୍ୟୁମେଣ୍ଟେସନ୍‌ କରିଛି। ସେଥିରୁ ୪ ହଜାର  ମନ୍ଦିରର ଅବସ୍ଥା ଗୁରୁତର । ଯାହାର ତତ୍‌କ୍ଷଣାତ  ରକ୍ଷଣାବେକ୍ଷଣ ଜରୁରି । ବାକି ଜିଲ୍ଲା ବୁଲିଲେ ମନ୍ଦିର ସଂଖ୍ୟା ୧୧ ହଜାର ଟପିଯିବ । ଅନ୍ୟତମ ଗବେଷକ  ପୀତବାସ ରାଉତରାୟ କହିଛନ୍ତି, ଓଡ଼ିଶାରେ ୧  ହଜାରରୁ ଅଧିକ ଶ୍ରୀଜଗନ୍ନାଥ ମନ୍ଦିର ରହିଛି।  ଅତୀତରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଦ୍ୱାରା  ରାଜ୍ୟର ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିରର ଠିକଣାକୁ  ନେଇ ଏକ ସୂଚନା ପତ୍ରିକା ମଧ୍ୟ ପ୍ରସ୍ତୁତ ହୋଇଛି ।   

ସୂଚନାଯୋଗ୍ୟ, ଗତ ସରକାର ସମସ୍ତ ନୂଆ- ପୁରୁଣା ଶ୍ରୀଜଗନ୍ନାଥ ମନ୍ଦିରର ନଥି ପ୍ରସ୍ତୁତି ଆରମ୍ଭ  କରିଥିଲେ । ଏକ ୱେବ୍‌ସାଇଟ୍‌ କରି ତାକୁ ପ୍ରଦର୍ଶିତ  କରିବାକୁ ଯୋଜନା କରିଥିଲେ । ଗତବର୍ଷ ଓଡ଼ିଆ  ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଜିଲ୍ଲାପାଳ ଓ  ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ଚିଠି ଲେଖି ତଥ୍ୟ  ଦାଖଲ ଲାଗି ନିର୍ଦ୍ଦେଶ ହୋଇଥିଲା ।