ଭୁବନେଶ୍ୱର,୦୫/୧୦: କଟକ  ରେଳ ଷ୍ଟେସନ ନବୀକରଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଡିସେମ୍ବର ସୁଦ୍ଧା ଏହାର ଉଦ୍‌ଘାଟନ କରାଯିବ । ଷ୍ଟେସନର ବଡ଼ ଷ୍ଟ୍ରକ୍‌ଚର ଆସନ୍ତା ବର୍ଷ ସୁଦ୍ଧା ସରିବ । ସାଂସଦ  ଭର୍ତ୍ତୃହରି ମହତାବ ଏହି ସୂଚନା ଦେଇଛନ୍ତି ।  

ଶୁକ୍ରବାର ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଖୋର୍ଦ୍ଧା ରୋଡ୍‌ ରେଳ ମଣ୍ଡଳ ସାଂସଦ କମିଟି  ବୈଠକ ପରେ ଶ୍ରୀ ମହତାବ କହିଲେ ଯେ ବୈଠକରେ କଟକର ଶିଖରପୁରରେ କୋଚ୍‌ ସଫେଇ ଓ ମରାମତି ଡିପୋ କରିବାକୁ  ପ୍ରସ୍ତାବ ଦେଇଛି । ସେହିପରି ଆଗାମୀ ଦିନରେ ତୃତୀୟ ରେଳ ଲାଇନ ବାରଙ୍ଗରୁ କପିଳାସ  ରୋଡ୍‌(ଟାଙ୍ଗି) ଭାୟା କଟକ ଦେଇ ହେବ ।  ଯାହା ଅନୁମୋଦନ ହୋଇସାରିଛି । ନିର୍ଗୁଣ୍ଡିରୁ  ବାରଙ୍ଗ ୨୨ କିଲୋମିଟର ରେଳପଥରେ ୪ଟି  ବଡ଼ ପୋଲର ଟେଣ୍ଡର ଆହ୍ୱାନ ହୋଇଛି । ଯାହା  ବିରୂପା, ମହାନଦୀ, କାଠଯୋଡ଼ି ଓ କୁଆଖାଇ ଉପରେ ନିର୍ମାଣ କରାଯିବ । ରେଳମନ୍ତ୍ରୀଙ୍କୁ  ଅନୁରୋଧ ପରେ ଗତ ଅଗଷ୍ଟ ୧୯ ତାରିଖରେ  ଟେଣ୍ଡର ହୋଇଛି । କ୍ଷେତ୍ରୀୟ ଯାଞ୍ଚ ସରିଛି, ଶୀଘ୍ର କାମ ଆରମ୍ଭ ହେବ । ସେହିପରି ଖୋର୍ଦ୍ଧା  ରୋଡରୁ ବିଜୟନଗରମ ୩୬୩ କିମି ତୃତୀୟ  ରେଳ ଲାଇନ ମଧ୍ୟ ଅନୁମୋଦନ ସରିଛି । 

କଟକର ୩ଟି ରୋଡ୍‌ ଓଭର ବ୍ରିଜ୍‌ ହେବ ।  ସେଥିମଧ୍ୟରୁ ଗୋଟିଏ ଘଣ୍ଟିଖାଲ୍‌ ନରାଜ-ରାଜ  ଆଠଗଡ଼ ଲାଇନରେ ଘଣ୍ଟିଖାଲ ନିକଟରେ  ହେବ । ଯାହାର ଯୁଗ୍ମ ବିସ୍ତୃତ ଆକଳନ ରେଳ  ବୋର୍ଡ ନିକଟରେ ଦାଖଲ ସରିଛି । କଟକ  ସହରର ନୂଆବଜାର ରୋଡ୍‌ ଓଭରବ୍ରିଜ୍‌  ଡିସେମ୍ବର ସୁଦ୍ଧା ସରିବ । ଜଗତ୍‌ସିଂହପୁର  ଯିବା ରାସ୍ତାରେ କନ୍ଦରପୁର ନିକଟରେ ରୋଡ୍‌  ଓଭରବ୍ରିଜ୍‌ ଜାଜୀୟ ରାଜପଥ ପ୍ରାଧିକରଣ  କର୍ତ୍ତୃପକ୍ଷ(ଏନଏଚଏଆଇ) କରୁଛନ୍ତି ।  ଠିକାସଂସ୍ଥାକୁ କାମ ଦିଆଯାଇଛି । ଶୀଘ୍ର କାମ  ଆରମ୍ଭ ହେବ ବୋଲି ଶ୍ରୀ ମହତାବ କହିଛନ୍ତି ।