ନମୌଜା,୨୬/୦୭: କେନ୍ଦ୍ରାପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ରଘୁରାମ ଆର ଆୟାର ଶନିବାର ପୂର୍ବାହ୍ଣ ୧୦ ଘଟିକା ସମୟରେ ଆଳି ବ୍ଲକ ପରିଦର୍ଶନରେ ଆସିଥିଲେ । ଏହି ପରିଦର୍ଶନ ସମୟରେ ଆଳିର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ସୂଚନା ମୁତାବକ, ଚଳିତ ମାସ ଜୁଲାଇ ୨୨ ତାରିଖରେ ପ୍ରାକ୍ତନ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ବଦଳି ପରେ ରଘୁରାମ ଆର ଆୟାର କେନ୍ଦ୍ରାପଡ଼ା ଜିଲ୍ଲାର ଦାୟିତ୍ୱ ଗ୍ରହଣ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସେ ଆଳି ବ୍ଲକ ପରିଦର୍ଶନରେ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଆଳିର ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଳି ବ୍ଲକରେ ଚଳିତ ବର୍ଷ ହୋଇଥିବା ବନ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ବିଭାଗ ସହିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଥିବା ୪ ବିଭାଗର ୪ ଜଣ ବିଶେଷଜ୍ଞ ଡାକ୍ତର ଯଥା ମେଡିସିନ, ଶିଶୁ, ସର୍ଜରୀ, ସ୍ତ୍ରୀ ପ୍ରସୂତି ବିଭାଗ ଭଳି ଅଭିଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଥିବା କଥା ଆଲୋଚନା କରିଥିଲେ ।
ଏହା ସହିତ ଚିକିତ୍ସା ବ୍ୟବସ୍ଥା, ୱାର୍ଡରେ ଦିଆ ଯାଉଥିବା ପାନୀୟ ଜଳ ବ୍ୟବସ୍ଥା, ରୋଗୀମାନଙ୍କୁ ଦିଆ ଯାଉଥିବା ଖାଦ୍ୟର ବ୍ୟବସ୍ଥା ସ୍ୱାସ୍ଥ୍ୟ କେନ୍ଦ୍ରର ପରିବେଶ, ସ୍ୱଚ୍ଛତା ଓ ପରିଚ୍ଛନ୍ନତା, ଆମ୍ବୁଲାନ୍ସ ସେବା ସହିତ ଅନ୍ୟ ସ୍ୱଚ୍ଛତା ସହିତ ଜଡିତ ଥିବା ସମସ୍ତ ବିଭାଗ ପରିଦର୍ଶନ କରି ମେଡିକାଲ ପରିସର ବୁଲି ଦେଖିଥିଲେ । ଏହି ପରିଦର୍ଶନ ସମୟରେ ଆଳିର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପରିଶେଷରେ ରଘୁରାମ ଆର ଆୟାର ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବାର ସୂଚନା ରହିଅଛି ।