ଭୁବନେଶ୍ୱର,୧୧/୦୯: ପାଞ୍ଚ ମାସ ବିତି ଯାଇଥିଲେ ବି ଅବକାରୀ ନୀତି ଏପର୍ଯ୍ୟନ୍ତ ପ୍ରକାଶ ପାଇଲାନି । ସରକାର ଅବକାରୀରୁ ବଡ଼ ରାଜସ୍ୱ ପାଉଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଚଳିତବର୍ଷ ଏପର୍ଯ୍ୟନ୍ତ ନୀତି ପ୍ରକାଶ ପାଇନି । ହେଲେ ଏହାରି ଭିତରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ଏହା ଉପରେ ବୈଠକ ବସିବ । ଦଶହରା ପୂର୍ବରୁ ୨୦୨୫- ୨୬ ନୂଆ ଅବକାରୀ ନୀତି ଆସିବ ।
ଅବକାରୀ ନୀତିରେ ମୁଖ୍ୟତଃ କିଏ ସର୍ବନିମ୍ନ କେତେ ମଦ ଉଠାଇବେ, ମଦ ଉତ୍ପାଦନକାରୀ, ବିକ୍ରେତାମାନଙ୍କୁ ଆବେଦନ ଫି' ବାବଦକୁ କେତେ ଅର୍ଥ ଜମା କରିବାକୁ ହେବ, ଏଥର ମଦ ଦାମ୍ ବଢ଼ିବ ନା କମିବ, ଲାଇସେନ୍ସ ଫି' ବାବଦକୁ କେତେ ଜମା କରିବାକୁ ପଡ଼ିବ, ଅବକାରୀ ଡ୍ୟୁଟି ବଢ଼ିବ ନା କମିବ ତାହା ମୁଖ୍ୟତଃ ଧାର୍ଯ୍ୟ ହୋଇଥାଏ । ଏପରିକି ବାର୍ ଓ ହୋଟେଲ ବ୍ୟବସାୟୀମାନଙ୍କୁ ମଦ ବିକ୍ରି ବାବଦକୁ ଲାଇସେନ୍ସ ଫି' ନେଇ ଅତି କମ୍ରେ ପ୍ରାୟ ୪ରୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିବାକୁ ପଡ଼ିଥାଏ । ମାର୍ଚ୍ଚରେ ଆସୁଥିବା ଅବକାରୀ ନୀତି ଏପର୍ଯ୍ୟନ୍ତ ପ୍ରକାଶ ପାଇପାରିଲାନି ।
ପୂର୍ବରୁ ଫେବ୍ରୁଆରୀ ମାସରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି ପ୍ରକାଶ ପାଉଥିବା ବେଳେ ଗତ ଦୁଇ ତିନି ବର୍ଷ ହେଲା ଏହାକୁ ମାର୍ଚ୍ଚ ମାସରେ ପ୍ରକାଶ କରାଯାଉଛି । ଚଳିତବର୍ଷ ଏପର୍ଯ୍ୟନ୍ତ କାହିଁକି ପ୍ରକାଶ କରାଯାଇନାହିଁ ତାହା ଜଣାପଡ଼ୁନି।