ନୂଆଦିଲ୍ଲୀ,୦୫/୧୦:ଋଷ୍‌ର ୟମାଲ-ନେନେଟ୍ସ ଅଟୋନମସ୍‌ କ୍ଷେତ୍ରରେ ସାଇବେରିଆ ଅବସ୍ଥିତ । ସେଠାରେ ଗତ କିଛି ବର୍ଷ ହେଲା ବିସ୍ଫୋରଣ ହେଉଛି । ଏହାର ଶବ୍ଦ ଅନେକ କିମି ଦୂରକୁ ଶୁଣାଯାଉଛି । ତେବେ, ବିସ୍ଫୋରଣର କାରଣ ଖୋଜିବା ବେଳେ ବଡ଼ ବଡ଼ ଗର୍ତ୍ତ ନଜରକୁ ଆସିଛି । ଯାହାପରେ ବୈଜ୍ଞାନିକମାନେ ଗର୍ତ୍ତଗୁଡ଼ିକର ଉତ୍ପତ୍ତି ବିଷୟରେ ଯାଞ୍ଚ୍‌ କରିଛନ୍ତି । ତେବେ ଏହା ପର୍ମାଫ୍ରଷ୍ଟ୍‌ କ୍ଷେତ୍ର ଅର୍ଥାତ୍‌ ଭୂମି, ମାଟି, ପଥର, ବରଫ, ପାଣି ସବୁକିଛି କୋଟି କୋଟି ବର୍ଷ ତଳୁ ବିଯୁକ୍ତ ତାପମାତ୍ରାରେ ଜମି ରହିଛି । ଏଭଳି ସ୍ଥାନରେ ବିସ୍ଫୋରଣର କାରଣ କ’ଣ, ତାହା ବୈଜ୍ଞାନିକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧିର ପ୍ରଭାବ ମେରୁ ଉପରେ ମଧ୍ୟ ପଡୁଛି । ସାଇବେରିଆରେ ପର୍ମାଫ୍ରଷ୍ଟ୍‌ର ତାପମାତ୍ରା ଲଗାତାର ବଢୁଛି । ଭୂମି ତଳେ ଜଳ ପ୍ରବାହ ଆରମ୍ଭ ହୋଇଛି । ଏହା ଦ୍ୱାରା ପର୍ମାଫ୍ରଷ୍ଟ୍‌ ତଳେ ଫାଟ ସୃଷ୍ଟି ହେଉଛି । ଏହା ଯୋଗୁଁ ବଡ଼ ବଡ଼ ସୁଡ଼ଙ୍ଗ ସୃଷ୍ଟି ହେଉଛି । 

ଏହି ସୁଡ଼ଙ୍ଗ ସୃଷ୍ଟି ହେବା ଦ୍ୱାରା ଯେତେବେଳେ ମିଥେନ୍‌ ବାହାରେ, ତାକୁ ବାହାରକୁ ଆସିବା ପାଇଁ ସ୍ଥାନ ଆବଶ୍ୟକ ହୁଏ । ସ୍ଥାନ ନ ମିଳିବାରୁ ଚାପ ସୃଷ୍ଟି ହୁଏ । ଫଳରେ ବିସ୍ଫୋରଣ ସହିତ ଗର୍ତ୍ତ ସୃଷ୍ଟି ହୁଏ । ସେହି ଗର୍ତ୍ତ ଜରିଆରେ ମିଥେନ୍‌ ଗ୍ୟାସ୍‌ ବାହାରକୁ ବାହରେ । ବୈଜ୍ଞାନିକମାନେ ଏଭଳି ଏକ ଗର୍ତ୍ତର ଅଧ୍ୟୟନ କଲେ । ତାହା ୧୬୦ ଫୁଟ ଗଭୀର ଓ ୨୩୦ ଫୁଟ ଚଉଡ଼ା ଥିଲା । ୨୦୧୪ ମସିହାରେ ପ୍ରଥମ ଥର ଗର୍ତ୍ତଟି ସୃଷ୍ଟି ହୋଇଥିଲା । ଅଧ୍ୟୟନ ଲାଗି ବୈଜ୍ଞାନିକମାନେ ଗର୍ତ୍ତ ଭିତରକୁ ଗଲେ । ସୁଡ଼ଙ୍ଗରୁ ମିଥେନ୍‌ ଗ୍ୟାସ୍‌ ନିର୍ଗତ ହେଉଥିଲା । ଭିତରେ ଭାରି ମାତ୍ରାରେ ବରଫ ଓ ପଥର ମଧ୍ୟ ଥିଲା । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର କେମିକାଲ ଇଞ୍ଜିନିୟର ଓ ଅଧ୍ୟୟନରେ ସାମିଲ ଏନା ମରୋଗାଦୋ କହିଛନ୍ତି, ତାପମାତ୍ରା ବୃଦ୍ଧି ଯୋଗୁ ପର୍ମାଫ୍ରଷ୍ଟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡୁଛି । ପର୍ମାଫ୍ରଷ୍ଟ୍‌ ତଳର ସ୍ଥିତି ବିଗୁଡ଼ୁଛି । ଭିତରୁ ମିଥେନ୍‌ ବାହାରିବା ପାଇଁ ସ୍ଥାନ ଆବଶ୍ୟକ । ସ୍ଥାନ ନ ମିଳିଲେ ଏ ପ୍ରକାର ବିସ୍ଫୋରଣ ଜାରି ରହିବ । ତାଙ୍କ ଅନୁସାରେ, ସାଇବେରିଆରେ ଏ ପ୍ରକାର ଗର୍ତ୍ତ ଦେଖାଯାଇଛି । ସେଗୁଡ଼ିକର ଯାଞ୍ଚ୍‌ ଚାଲିଛି । ପାଣି-ମିଥେନ୍‌ରେ ସୃଷ୍ଟ ସ୍ଫଟିକଗୁଡ଼ିକର ସେମାନେ ନିରନ୍ତର ଯାଞ୍ଚ୍‌ କରୁଛନ୍ତି । ଏହାକୁ ମିଥେନ୍‌ ହାଇଡ୍ରେଟ୍ସ କୁହାଯାଏ ।