ନୂଆଦିଲ୍ଲୀ,୮।୭: ୟୁନାଇଟେଡ୍ ଆରବ ଏମିରେଟ୍ ବା ୟୁଏଇ ଏବେ ବିଦେଶୀଙ୍କୁ ଦେବାକୁ ଯାଉଛି ଗୋଲ୍ଡେନ୍ ଭିସା। ନୂତନ ନୀତି ଅନୁସାରେ ଏବେ ଭାରତୀୟ ଓ ବାଂଲାଦେଶୀଙ୍କୁ ମିଳିବ ଆଜୀବନ ଭିସା। ୧ ଲକ୍ଷ ଦିରହମ ବା ପ୍ରାୟ ୨୩.୩ ଲକ୍ଷ ଟଙ୍କାରେ ଏହା ମିଳିବ। ପୂର୍ବରୁ ଗୋଲ୍ଡେନ୍ ଭିସା ପାଇଁ ୨୦ ଲକ୍ଷ ଦିରହମ୍ ବା ୪.୬୬ କୋଟି ଟଙ୍କାର ସମ୍ପତ୍ତି ନିବେଶ ନେଇ ସର୍ତ୍ତ ରହିଥିଲା।
ୟୁଏଇ ନୋମିନେସନ୍ ଆଧାରରେ ଗୋଲ୍ଡୋନ ଭିସା ଲଞ୍ଚ କରିଛି। ତେବେ ଏଥିପାଇଁ କିଛି ସର୍ତ୍ତ ରହିବ। ସମ୍ପତ୍ତି କିମ୍ବା ବ୍ୟବସାୟରେ ବଡ଼ ନିବେଶ ନେଇ ବର୍ତ୍ତମାନର ସର୍ତ୍ତଠାରୁ ଏହା ଅଲଗା ରହିବ। ପୂର୍ବେ ଏଥିପାଇଁ ଅତି କମ୍ରେ ୪.୬୬ କୋଟି ଟଙ୍କାର ସମ୍ପତ୍ତି କିମ୍ବା ବ୍ୟବସାୟରେ ନିବେଶ କରିବାକୁ ପଡୁଥିଲା। ତାକୁ ଏବେ କୋହଳ କରି ଦିଆଯାଇଛି। ଏବେ ଭାରତୀୟମାନେ ପ୍ରାୟ ୨୩.୩୦ ଲକ୍ଷ ଟଙ୍କା ଦେଇ ଆଜୀବନ ୟୁଏଇର ଗୋଲ୍ଡେନ୍ ଭିସାର ଆନନ୍ଦ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ୩ ମାସରେ ୫୦୦୦ ରୁ ଅଧିକ ଭାରତୀୟ ଏହି ନାମାଙ୍କନ ଆଧାରିତ ଭିସା ପାଇଁ ଆବେଦନ କରିଛନ୍ତି।
ଭାରତ ଓ ବାଂଲାଦେଶକୁ ଏହି ଭିସା ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ପାଇଁ ଚୟନ କରାଯାଇଛି। ଭାରତରେ ନାମାଙ୍କନ ଆଧାରିତ ଗୋଲ୍ଡ ଭିସା ପ୍ରାରମ୍ଭିକ ରୂପରେ ପରୀକ୍ଷଣ ପାଇଁ ରୟାଦ ଗ୍ରୁପ୍ ନାମକ ଏକ କନସଲଟାନ୍ସିକୁ ଦାୟିତ୍ବ ଦିଆଯାଇଛି। ଏଥିପାଇଁ ବ୍ୟକ୍ତିଙ୍କର ପୃଷ୍ଠଭୂମିକୁ ମଧ୍ୟ ଯାଞ୍ଚ କରାଯିବ। ସେଥିରେ ଆଣ୍ଟି-ମନି ଲଣ୍ଡରିଂ ଓ ଅପରାଧିକ ରେକର୍ଡ ସହ ସୋସିଆଲ ମିଡିଆର ମଧ୍ୟ ଯାଞ୍ଚ କରାଯିବ। ଏହା ସହ ଆବେଦନକାରୀ ସଂସ୍କୃତି, ଅର୍ଥ, ବ୍ୟବସାୟ, ବିଜ୍ଞାନ, ଷ୍ଟାର୍ଟ-ଅପ୍ ଏବଂ ବୃତ୍ତିଗତ ସେବାରେ ୟୁଏଇକୁ ଲାଭ ପହଁଞ୍ଚାଇ ପାରିବେ କି ନାହିଁ ତାହା ପରୀକ୍ଷଣ ହେବ ?