ଭୁବନେଶ୍ୱର,୧୮/୦୧: ଆମର ଷ୍ଟୁଡିଓ ଏବଂ ଶ୍ରେୟାନ୍ସ ପ୍ରଡକ୍ସନ୍ସ ବ୍ୟାନରରେ ପ୍ରସ୍ତୁତ ନବୀନ ଭଣ୍ଡାରୀ ଏବଂ କାଜଲ ରାୟଙ୍କ ପ୍ରଯୋଜନରେ ନିର୍ମିତ ନୂଆ ଓଡ଼ିଆ  ଚଳଚ୍ଚିତ୍ର "ଭାଇ’ର ଅଡିଓ ରିଲିଜ୍‌ ହୋଇଯାଇଛି । ତା' ସହିତ ଆସନ୍ତା ଜାନୁଆରୀ ୨୪  ତାରିଖରେ ଚଳଚ୍ଚିତ୍ରଟି ବଡ଼ ପରଦାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା  ତରଫରୁ ଘୋଷଣା ହୋଇଛି ।

‘ତାଣ୍ଡବ’, ‘ମାଲ୍ୟଗିରି’ ଓ "ଗୁପ୍‌ଚୁପ୍‌'ର ନିର୍ଦ୍ଦେଶକ  ପୃଥ୍ୱୀରାଜ ପଟ୍ଟନାୟକ "ଭାଇ' କାହାଣୀ, ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେଇଛନ୍ତି । ଅଭିନେତା ସୁଜିତ ଭାଇ ଏବଂ ଦିବ୍ୟା ଭଉଣୀ ଚରିତ୍ରରେ ଅଭିନୟ କରିଥିଲା ବେଳେ  ଅଭିନେତା ଅମ୍ଲାନ ଦାସଙ୍କର ବଳିଷ୍ଠ ଅଭିନୟ ସିନେମାରେ ଦେଖିବାକୁ ମିଳିବ । ଅଭିନେତ୍ରୀ ଅନନ୍ୟା ଏବଂ ‘ଗୁପ୍‌ଚୁପ୍‌’ ଓ ‘ଦୃଷ୍ଟିକୋଣ’ ଚଳଚ୍ଚିତ୍ରର ଅଭିନେତା ବିକାଶ ମଧ୍ୟ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ସଂଳାପ ରବିନାରାୟଣ ଦାସ ଲେଖିଥିଲା ବେଳେ ଗୀତ ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ ରଚନା କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନବ୍ସ ଓ ସରୋଜ । ଚିତ୍ରତ୍ତୋଳନ କରିଛନ୍ତି ରୁଦ୍ର । 

ଓଡ଼ିଶାର ବିଭିନ୍ନ ସ୍ଥାନ ଏବଂ ଓଡ଼ିଶା ବାହାରେ ମନାଲି, ଲଦାଖ ଆଦି ସ୍ଥାନରେ ସିନେମାର ସୁଟିଂ ହୋଇଛି । ଭାଇ-ଭଉଣୀର ସମ୍ପର୍କ ଓ କର୍ତ୍ତବ୍ୟକୁ ନେଇ ଏହି ଚଳଚ୍ଚିତ୍ର ବକ୍ସ ଅଫିସ୍‌ର  କିଛି ଚମତ୍କାର କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏଥିରେ  ପାରିବାରିକ କାହାଣୀ ସହ ଆକ୍ସନ୍‌କୁ ବେଶ୍‌ ଗୁରୁତ୍ୱ ଦିଆଯାଇଛି, ଯାହା ଦର୍ଶକଙ୍କୁ  ପସନ୍ଦ ଆସିବ ବୋଲି ମିଡିଆ ପ୍ଲାନର୍‌ ପ୍ରଣୟ ଜେଠୀ କହିଛନ୍ତି ।