ପୁରୀ,୧୭/୦୩: ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣମୀ ଅବସରରେ  ଦୋଳବେଦିରେ ଆସନ୍ତା ଓଡ଼ିଆ ବର୍ଷ  କିପରି କଟିବ ସେନେଇ ଜ୍ୟୋତିଷଙ୍କ ଦ୍ୱାରା ପାଞ୍ଜି ପାଠ ହୋଇଥିଲା । ପାଞ୍ଜି ପାଠ ମୁତାବକ, ଏସମ୍ବତ୍ସରର ନାମ କାଳ । ଆମ ଦେଶ ଓ  ରାଜ୍ୟରେ ସାମ୍ପ୍ରଦାୟିକ କନ୍ଦଳ, ଚୋରି, ଯାନ ଦୁର୍ଘଟଣା, ବେକାରୀ ସମସ୍ୟା,  ଘନଘନ ବିଜୁଳି ଓ ବଜ୍ରାଘାତ ଜନିତ  ମୃତ୍ୟୁ, ତୈଳ ବୃଦ୍ଧି, କୃଷି ଯାନ ଦ୍ରବ୍ୟର  ମୂଲ୍ୟ ବୃଦ୍ଧି, ଅଚିହ୍ନା ରୋଗର ଶିକାର, ରକ୍ତ ଚାପ, କିଡ୍‌ନି ରୋଗର ସମସ୍ୟା ବଢ଼ିବ । 

ନୂତନ ସମ୍ବତ୍ସର ସିଦ୍ଧାର୍ଥ ଆସନ୍ତା  ମେ’ ମାସ ୧୩ ତାରିଖରେ ପ୍ରବେଶ କରିବ । ଏହା ପରେ ଆମ ଦେଶ ଓ ରାଜ୍ୟରେ କୃଷିଜାତ ଦ୍ରବ୍ୟ ସୁଲଭ ହେବ, ତୈଳ ଦର ହ୍ରାସ ପାଇବ, କିଛି ମାତ୍ରାରେ ଚୋରି ଓ ଦୁର୍ଘଟଣା କମିବ ।  ରାଜନୈତିକ ବ୍ୟାପାରରେ ଶାନ୍ତି ସ୍ଥାପନ ହେବ । କାଁ ଭାଁ ଭୂମିକମ୍ପ  ଦେଖାଦେବ । ଅଚିହ୍ନା ରୋଗ ବ୍ୟାପୀ ପାରେ । ପ୍ରତିକାର ନିମନ୍ତେ ସର୍ବତ୍ର  ହରିନାମ କୀର୍ତ୍ତନ ଓ ଦେବ ପୀଠରେ  ପ୍ରଦୀପ ପ୍ରଜ୍ୱଳନ କରିବାକୁ ହେବ ।  

କର୍କଟ ଦିନ ୮ରୁ ୧୦ ଦିନ ମଧ୍ୟେ  ସର୍ବତ୍ର ଲଗାଣ ବର୍ଷା ହେବ । ବର୍ଷ  ଆରମ୍ଭରୁ ଅଗ୍ନି ହନୁମାନଙ୍କ କପାଳରେ ରହିବ । ଦକ୍ଷିଣ-ପଶ୍ଚିମାଞ୍ଚଳରେ ବ୍ୟାପକ ଅଗ୍ନିଭୟ ଦେଖାଦେବ । ମକର ଦିନ ୧୨ ପରେ ବର୍ଷ ଶେଷ ପର୍ଯ୍ୟନ୍ତ ହନୁମାନଙ୍କ ଲାଙ୍ଗୁଡ଼ରେ ରହିବେ । ଫଳରେ ପଶ୍ଚିମ ଉତ୍ତର ଭାଗରେ ବ୍ୟାପକ ଅଗ୍ନିଭୟ ହେବ । କନ୍ୟା  ଓ ତୁଳା ମାସରେ ବାତ୍ୟାଯୋଗୁ ଓ  ଲଘୁଚାପ ଯୋଗ ରହିଛି । 

ଅଷ୍ଟୋତରୀ ୧୦୮ ନାକ୍ଷତ୍ରିକ ମତେ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ଆୟ ୧୧,  ବ୍ୟୟ ୫ ଓ ସ୍ଥିତି ୬ । ସେହିପରି ବୃଷ ୫-୮-୦, ମିଥୁନ ୮-୭-୧, କର୍କଟ  ୨-୭-୦, ସିଂହ ୫-୫-୦, କନ୍ୟା ୭-୬-୧, ତୁଳା ୧୧-୫-୬, ବିଛା ୧୧-୫- ୬, ଧନୁ ୧୪-୭-୭, ମକର ୨-୬-୦, କୁମ୍ଭ ୨-୬-୦, ମୀନ ୧୪-୭-୭ । 

ଆଗାମୀ ୨୫ ବର୍ଷ ଭିତରେ ପୃଥିବୀରେ ୯୭ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟେପରାଗ ଦେଖାଦେବ ।  ସେଥିମଧ୍ୟରୁ ଆମ ଦେଶ ଓ ରାଜ୍ୟକୁ ୩୭ଟି ଦୃଶ୍ୟ ସମ୍ଭାବନା ରହିଛି । ଉକ୍ତ ୩୭ଟି ମଧ୍ୟରୁ  ଚଳିତ ବର୍ଷ ୭ ସେପ୍ଟେମ୍ବର ଓ ଆସନ୍ତା ବର୍ଷ ମାର୍ଚ୍ଚ ୩ ତାରିଖରେ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ରହିଛି।

ଆମ ବିଶ୍ୱର ଏ ବର୍ଷ ମଙ୍ଗଳପ୍ରଦ ହେବ । ମାତ୍ର ଆର୍ଥିକ ମାନ୍ଦାବସ୍ଥା ଦେଖାଦେବ ।  ବ୍ରିଟିଶ୍‌ ଦ୍ୱୀପପୁଞ୍ଜରେ ନଭେମ୍ବର ମାସରେ ଏକ ପ୍ରଳୟଙ୍କାରୀ ଝଡ଼ବାତ୍ୟା ଯୋଗୁ  କ୍ଷୟକ୍ଷତି ଦେଖାଦେବ । ଆମେରିକାରେ ରାଜନୈତିକ ସଂକଟ ସ୍ଥିତି ରହିବ । ଚୀନରେ  ଅଗ୍ନି ଉଦ୍‌ଗୀରଣ ଓ ଭୂକମ୍ପ ଆଶଙ୍କା ରହିଛି । ଜାପାନ ପୂର୍ବ ଉପକୂଳରେ ଭୟାନକ  ଝଡ଼ବାତ୍ୟା ଆଶଙ୍କା ରହିଛି । ଅଷ୍ଟ୍ରେଲିଆ ଓ ଇସ୍‌ଲାମିକ ରାଷ୍ଟ୍ରରେ ଅଘଟଣ ଓ ରକ୍ତପାତ ଜନିତ ଧନଜୀବନ ହାନି ଆଶଙ୍କା ରହିଛି । ପାକିସ୍ତାନରେ ରାଜନୈତିକ  ଅଶାନ୍ତି ଓ ଅସ୍ଥିରତା ବଢ଼ି ଚାଲିବ । ଏପ୍ରିଲରୁ ଜୁନ୍‌ ମଧ୍ୟରେ ଓ ଅକ୍ଟୋବରରରୁ  ନଭେମ୍ବର ମଧ୍ୟରେ ଫିଲିପାଇନ୍ସ ଓ ଆଣ୍ଡାମାନରେ ମହାବାତ୍ୟା ଆଶଙ୍କା ରହିଛି । 

ଆମ ଦେଶର ଆର୍ଥିକ ମାନ୍ଦାବସ୍ଥା ସୁଧୁରିବ । ତେବେ ପାକିସ୍ତାନ ଦ୍ୱାରା ସୀମା  ଉଲ୍ଲଂଘନ ଓ ସନ୍ତ୍ରାସବାଦୀଙ୍କ ଅନୁପ୍ରବେଶ ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବ । ଆସାମ,  ବଙ୍ଗ ସୀମାନ୍ତରେ ବିଚ୍ଛିନ୍ନତାବାଦୀ ସକ୍ରିୟ ହେବେ ଓ ହିଂସା ଘଟାଇବେ । ନାରୀ ସୁରକ୍ଷାରେ  ବିଫଳତା ଦେଖାଦେବ । ଆମ ରାଜ୍ୟରେ ପାଣିପାଗ କୃଷି ଅନୁକୂଳ ରହିବ । ଏପ୍ରିଲ ଓ  ମଇ ମାସରେ ଅଂଶୁଘାତ ଜନିତ ଜନଜୀବନ ଅସ୍ତବ୍ୟସ୍ତ ହେବ । ନିତ୍ୟ ବ୍ୟବହାର ଜିନିଷ  ଦାମ ବଢ଼ିବ । ନାରୀ ନିର୍ଯାତନା, ଧର୍ଷଣ ଓ ଲୁଣ୍ଠନ ଆଦି ଅବ୍ୟାହତ ରହିବ । ଖଣି ଉତ୍ପାଦନ  ହ୍ରାସ ପାଇବ । ଆମ ରାଜ୍ୟ ପାଇଁ ସପ୍ତମରେ ବୃହସ୍ପତି ଓ ତୃତୀୟରେ ରାହୁ ରହିଥିବା  ଯୋଗୁ ଉତ୍ତମ ସ୍ଥିତି ରହିବ, ମାତ୍ର ଚତୁର୍ଥରେ ଶନି ରହିଥିବାରୁ କାଁ ଭାଁ ଅଶାନ୍ତି ଉପୁଯିବ । 

ଏ ସମ୍ବତ୍ସରେ ଗଣିତାଧିକତି ବୁଧ, ଆଦ୍ୟ ପଳକାଧିପତି ଚନ୍ଦ୍ର, ପର  ପାଳକାଧିକତି ମଙ୍ଗଳ, ରାଜା ବୃହସ୍ୱତି, ମନ୍ତ୍ରୀ ରବି, ପୁରୋହିତ ବୁଧ,  ପରୀକ୍ଷକ ଶନି, କରଣ ମଙ୍ଗଳ, ଡଗର ଶୁକ୍ର, ଜ୍ୟୋତିଷୀ ଶନିଶ୍ଚର, ତାଡ଼ନୀୟ  ବୃହସ୍ପତି, ଅର୍ଥ ରକ୍ଷକ ରବି, ଆସ୍ଥାନ ରକ୍ଷକ ବୁଧ, ସଂଗ୍ରମାଧିପତି ରବି । 

ଏମ୍ବତ୍ସରରେ ମେଘର ଗୃହ ଉତ୍ତର ପୂର୍ବ ଐଶାନ୍ୟ କୋଣରେ ବୃଷ୍ଟି କରିବେ । ପଶ୍ଚିମ  ବାୟବ୍ୟ କୋଣରୁ ମେଘ ଆସିବ । ଏ ମେଘ ବୃଦ୍ଧାବସ୍ଥା। ଏହାଙ୍କ ସୈନ୍ୟ ଚାରିପଦ୍ମ ।  ଏମେଘର ଆସ୍ଥାନ ଜମ୍ବୁଦୀପେ, ବୃଷ୍ଟି କରିବେ ସୁରା ସମୁଦ୍ରରୁ । ଫଳରେ କୃଷି ଉତ୍ପାଦନ  ମଧ୍ୟମ ହେବ । ଇନ୍ଦ୍ର ବୃଷ୍ଟି କରିବେ ୧୦୦ ଦିନ । ସମୁଦ୍ରରେ ୫୦ ଦିନ, ପର୍ବତରେ ୩୦ ଦିନ ଓ  ଦେଶରେ ୨୦ ଦିନ ବୃଷ୍ଟି ହେବ । ଶସ୍ୟ ଆୟ ୧୧ ବିଶ୍ୱା ୪ ଗଣ୍ଡା । ମେଷ ମାସରେ ହୀନଜଳ  ବୃଷ୍ଟି, ବୃଷ ମାସରେ ସ୍ୱଳ୍ପ ବୃଷ୍ଟି, ମିଥୁନ ମାସରେ ବହୁଜଳ ବୃଷ୍ଟି, କର୍କଟ, ସିଂହ ଓ କନ୍ୟା  ମାସେ ହୀନଜଳ ବୃଷ୍ଟି, ତୁଳା ମାସରେ ବହୁଜଳ ବୃଷ୍ଟି, ବିଛା ମାସରେ ହୀନଜଳ ବୃଷ୍ଟି ହେବ ।