ଭୁବନେଶ୍ୱର ୨୦/୦୧: ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥରେ ପ୍ରତାପନଗରୀ ଧାକୁଲେଇ ପୀଠ ପାଖରୁ କନ୍ଦରପୁରକୁ ଫିଟିବ ନୂଆ ରାସ୍ତା । ଏହି ଗ୍ରୀନ ଫିଲ୍ଡ ରାସ୍ତା ନିର୍ମାଣ ହେଲେ ଭୁବନେଶ୍ୱରରୁ ପାରାଦୀପ ଓ ଜଗତସିଂହପୁର ଯିବା ପାଇଁ ଆଉ କଟକ ସହର ଭିତରକୁ ପ୍ରବେଶ କରିବାକୁ ପଡ଼ିବ ନାହିଁ । ସମ୍ଭବତଃ ଧାକୁଲେଇ ପୀଠରୁ ୪୨ ମୌଜା ଅଞ୍ଚଳ ଦେଇ ଏହି ସଡ଼କ ସିଧା କନ୍ଦରପୁରକୁ ଛୁଇଁବ । ଏମିତି ହେଲେ ଭୁବନେଶ୍ୱର-ପାରାଦୀପ, ଭୁବନେଶ୍ୱର-ଜଗତସିଂହପୁରକୁ ଦୂରତା କମିବ । ଜାତୀୟ ରାଜପଥରେ ଭିଡ଼ କମିବା ସହ ଟ୍ରାଫିକ ଯନ୍ତ୍ରଣାରୁ ଟ୍ୱିନସିଟିବାସୀ ବଡ଼ ଆଶ୍ୱସ୍ତି ପାଇବେ । ଖାଲି ସେତିକି ନୁହେଁ, ଦୁର୍ଘଟଣା ବି କମିବ ।

ପୂର୍ତ୍ତ ବିଭାଗର ସମ୍ମିଳନୀ କକ୍ଷରେ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ବିଭିନ୍ନ ରାସ୍ତା ପ୍ରକଳ୍ପର ନିର୍ମାଣ ଓ ପ୍ରଶସ୍ତିକରଣ ନେଇ ଆଲୋଚନା ହୋଇଛି । ଭୁବନେଶ୍ୱର-ପାରାଦୀପ ପାଇଁ ପ୍ରସ୍ତାବିତ ରାସ୍ତା ଲାଗି ନକ୍ସା ଏବଂ ଡିପିଆର୍ ପ୍ରସ୍ତୁତ କରିବାକୁ ବିଭାଗକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି ।

ରାଜଧାନୀ ଭୁବନେଶ୍ୱର ଚାରିପାଖରେ ନିର୍ମାଣ ହେବାକୁ ଥିବା ପ୍ରାୟ ୧୧୧ କିଲୋମିଟର ଦୀର୍ଘ କ୍ୟାପିଟାଲ ରିଜିଅନ୍ ରିଂ ରୋଡ୍ ନିର୍ମାଣ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅନୁମୋଦନ ଏବଂ ଜମି ଅଧିଗ୍ରହଣ ସହ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେବା ପାଇଁ ଶ୍ରୀ ସିଂହ ବିଭାଗୀୟ ଅଧିକାରୀ ଓ ଇଂଜିନିୟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ୨୦୬ କିମି ବିଶିଷ୍ଟ କୋରାପୁଟ-ମୋହନା ରାସ୍ତାର ପ୍ରଶସ୍ତିକରଣ ଏବଂ ଜମି ଅଧିଗ୍ରହଣ ନେଇ ଆଲୋଚନା ହୋଇଥିଲା । ସେହିପରି ଖୋର୍ଦ୍ଧା- ନୟାଗଡ଼ ରାସ୍ତାର ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ସହ ଡିପିଆର୍ ଅନୁଯାୟୀ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ନିର୍ମାଣ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ପାଢ଼ୀ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ସୁନୀଲ କୁମାର, ଜାତୀୟ ରାଜପଥ(ଓଡ଼ିଶା)ର ମୁଖ୍ୟଯନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।