ଭୁବନେଶ୍ୱର,୦୧।୦୪: ସୁଭଦ୍ରାରେ ଯୋଡ଼ିହେବେ ନୂଆ ହିତାଧିକାରୀ । ଆସନ୍ତା କାଲିଠୁ ଆରମ୍ଭ ହେବ ସୁଭଦ୍ରା ଯୋଜନାରେ ନୂତନ ପଞ୍ଜିକରଣ ପ୍ରକ୍ରିୟା । ୧ ଏପ୍ରିଲରୁ ୩୦ ଏକ ମାସ ଯାଏ ପଞ୍ଜିକରଣ ଅବଧି ରହିଛି । ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ । ମାନଦଣ୍ଡ ଅନୁଯାୟୀ, ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା ଯୁବତୀମାନେ ସୁଭଦ୍ରାରେ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । କିନ୍ତୁ ଯେଉଁ ମହିଳା ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାଁନ୍ତି, କେବଳ ସେମାନେ ହିଁ ଏହି ଅବଧି ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ ।
ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣ କରାଯିବ ନାହିଁ । ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬- ୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ନୂତନ ଆବେଦନଗୁଡ଼ିକ ସାଧାରଣ ସେବା କେନ୍ଦ୍ର (ସିଏସ୍ସି) ଏବଂ ଆମ ସେବା କେନ୍ଦ୍ର (ଏଏସ୍କେ) ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜିକୃତ କରାଯିବ । ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର (ଏଡବ୍ଲୁସି) ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ଦିଆଯିବ ।
ଆହୁରି ପଢନ୍ତୁ-ସାପ କାମୁଡ଼ା ହେଉ ବା ଝାଡ଼ାବାନ୍ତି... ଡାକ୍ତରଙ୍କ ଅପେକ୍ଷା ଗୁଣିଗାରେଡ଼ିରେ ଲୋକଙ୍କ ବିଶ୍ଵାସ, ଗୁଣିଆ ପାଖକୁ ଯାଉଛନ୍ତି ବେଶୀ
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରାର ଚତୁର୍ଥ କିସ୍ତି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ପୁରୀଠାରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ୧ କୋଟିରୁ ଊଦ୍ଧ୍ୱର୍ ସୁଭଦ୍ରା ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ପ୍ରଦାନ କରିଥିଲେ । ମୋଟ ୫,୧୦୬ କୋଟି ୩୩ ଲକ୍ଷ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା ।