ଭୁବନେଶ୍ବର, ୪/୧୨ : ରାଜସ୍ୱ ଗାଁ ଗଠନ କରିବା ପାଇଁ ୫ହଜାର ୫୬୬ଆବେଦନ ଆସିଥିଲା । ଏ ଗୁଡ଼ିକ ଆଜି ପର୍ଯ୍ୟନ୍ତ ରାଜସ୍ୱ ବିଭାଗକୁ ଆସିଥିଲା ବୋଲି ପ୍ରସ୍ତାବ ବୋଲି ସ୍ପଷ୍ଟ କଲେ ରାଜସ୍ୱ ମନ୍ତ୍ରୀ । ଏହା ଭିତରୁ ୧ହଜାର ୮୮୮ଟି ରାଜସ୍ୱ ଗାଁ ରୂପାନ୍ତରିତ ହୋଇଥିଲା । ଆଉ ତା ଭିତରୁ ୨ହଜାର ୫୦୧ପ୍ରସ୍ତାବ ଖାରଜ ହୋଇଥିଲା । ଏହି ଆବେଦନ ଓ ଖାରଜ ହୋଇଥିବା ପ୍ରସ୍ତାବ ଗୁଡ଼ିକ ଚଳିତ ବିଜେପି ସରକାର ସମୟରେ ହୋଇନି ବୋଲି ସ୍ପଷ୍ଟ କଲେ ରାଜସ୍ୱ ମନ୍ତ୍ରୀ ।
ପୂର୍ବରୁ ରାଜସ୍ୱ ଗାଁ କରିବା ପାଇଁ ୨୫୦ଜନସଂଖ୍ୟା, ମୂଳ ଗାଁଠାରୁ ୫୦୦ମିଟର ଦୂରରେ ଥିବା ଗାଁରେ ସ୍ଵତନ୍ତ୍ର ଭାବେ ଗୋଚର ଜମି ଥିବ, ଗାଁରେ ସ୍ଵତନ୍ତ୍ର ଶ୍ମଶାନ ରହିବାର ମାପ ଦଣ୍ଡ ଥିଲା । ତେବେ ଏହି ମାପଦଣ୍ଡ ଗୁଡ଼ିକୁ ଏବେ କୋହଳ କରାଯାଇଛି । କେବଳ ଦୁଇଟି ମାପଦଣ୍ଡ ରଖିଛନ୍ତି ସରକାର । ଆବେଦନ କରାଯାଇଥିବା ପଡ଼ା ଗାଁର ଜନସଂଖ୍ୟା ୨୫୦ ଏବଂ ମୂଳ ରାଜସ୍ୱ ଗାଁରୁ ୫୦୦ମିଟର ଦୂରରେ ଥିବ । ଏହିକ୍ରମରେ ନୂଆ ସରକାର ହେଲା ପରେ ଗୋଟିଏ ହେଲେ ଆବେଦନ ଖାରଜ ହୋଇନାହିଁ । ଅନ୍ୟପଟେ ୧୯୯୧ମସିହାରୁ ୨୦୨୪ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ମାତ୍ର ୧ ହଜାର ଗାଁ ରାଜସ୍ୱ ଗାଁ ଭାବେ ମାନ୍ୟତା ପାଇଥିଲା । ଏଥିରୁ ମାତ୍ର ୩୦ଟି ଗାଁର ନକ୍ସା ପରିବର୍ତ୍ତନ ହୋଇଥିଲା । ୭୦୦ଗାଁର ନକ୍ସା ପରିବର୍ତ୍ତନ ହୋଇନଥିଲା । ତେଣୁ ବିଗତ ୩୦ବର୍ଷ ଭିତରେ ଯେତିକି ରାଜସ୍ୱ ଗାଁ ମାନ୍ୟତା ପାଇଥିଲା, ତାଠାରୁ ଅଧିକ ଗାଁ ଏବେ ରାଜ୍ୟ ସରକାର ମାନ୍ୟତା ଦେବା ପାଇଁ ବିଚାର କରୁଛନ୍ତି । ଅଦ୍ୟାବଧି ନୂଆ ସରକାରରେ ୩୦୦ରୁ ଅଧିକ ପଡ଼ା ଗାଁ ରାଜସ୍ୱ ଗାଁର ମାନ୍ୟତା ପାଇ ସାରିଲାଣି । ଏହାସହ ଅତୀତ ସରକାରରେ ୪ଟି ମାପଦଣ୍ଡ ପାଇଁ ଯେଉଁ ପଡ଼ା ଗାଁ ଗୁଡ଼ିକ ରାଜସ୍ୱ ଗାଁ ଭାବେ ମାନ୍ୟତା ଖାରଜ ହୋଇଥିଲା, ସେଗୁଡ଼ିକୁ ନୂଆ ସରକାରଙ୍କ ମାପଦଣ୍ଡରେ ପରୀକ୍ଷା ନିରୀକ୍ଷା କରି ପ୍ରସ୍ତାବ ପଠାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରୁ ଯେଉଁ ଗାଁ ଗୁଡିକ ଯୋଗ୍ୟ ବିବେଚିତ ହେବ, ସେଗୁଡିକୁ ରାଜସ୍ୱ ଗାଁ ଭାବେ ରୂପାନ୍ତରିତ କରିବେ ସରକାର ।
ବ୍ଲକ୍, ପଞ୍ଚାୟତ, ସବଡିଭିଜନ ବିଭାଜନ ପାଇଁ ସରକାରଙ୍କ ପାଖକୁ ଅନେକ ପ୍ରସ୍ତାବ ଆସିଛି । ତେବେ ଗତ ଜନଗଣନା ପରେ ୧୫ବର୍ଷ ଭିତରେ ବିଭିନ୍ନ ପଞ୍ଚାୟତ, ବ୍ଲକ ଓ ତହସିଲରେ ଜନସଂଖ୍ୟା ବଢ଼ିଛି । ତେଣୁ ୨୦୨୬ଜନଗଣନା ସମାପ୍ତ ହେଲା ପରେ ନୂଆ ତହସିଲ, ପଞ୍ଚାୟତ, ବ୍ଲକ୍, ସବଡିଭିଜନ ଗଠନ କରିବା ପାଇଁ ଆସିଥିବା ପ୍ରସ୍ତାବ ଗୁଡ଼ିକୁ ସରକାର ବିଚାର କରିବେ । ଆଉ ସେଥିପାଇଁ ମାପଦଣ୍ଡ ମଧ୍ୟ ପ୍ରସ୍ତୁତ କରିବେ ସରକାର । ଏହାସହ ଜନଗଣନା ପାଇଁ ଡିସେମ୍ବର ମାସ ଶେଷ ବେଳକୁ ରାଜସ୍ୱ ଗାଁ ପ୍ରକ୍ରିୟା ମଧ୍ୟ ଅଟକି ଯିବ। ଜନଗଣନା ରିପୋର୍ଟ ଆସିବା ପରେ ପୁଣି ଏହି ପ୍ରକ୍ରିୟା ଆରମ୍ଭ ହେବ ।