ନୂଆଦିଲ୍ଲୀ ୨୮/୦୫: ଭାରତୀୟମାନଙ୍କ ସଂପର୍କରେ ଦେଇଥିବା ଏକ ବୟାନ ଲାଗି ନ୍ୟୁଜିଲାଣ୍ଡର ଇମିଗ୍ରେସନ୍‌ ମନ୍ତ୍ରୀ ଏରିକା ଷ୍ଟାନ୍‌ଫୋର୍ଡ ଏବେ ବିବାଦରେ । ମେ ୬ ତାରିଖରେ ସଂସଦର ଅଧିବେଶନ ସମୟରେ ଏକ ପ୍ରଶ୍ନର ଉତ୍ତରରେ ଏରିକା କହିଥିଲେ, ତାଙ୍କୁ ପ୍ରାୟତଃ ଅନେକଗୁଡ଼ିଏ ଅନାବଶ୍ୟକ ଇ-ମେଲ୍‌ ଆସିଥାଏ । ଉଦାହରଣ ସ୍ୱରୂପ, ଭାରତୀୟମାନେ ତାଙ୍କୁ ଇ-ମେଲ୍‌ ପଠାଇ ଇମିଗ୍ରେସନ୍‌ ସମ୍ବନ୍ଧୀୟ ପରାମର୍ଶ ମାଗିଥାନ୍ତି । ସେ କେବେହେଲେ ସେଭଳି ଇ-ମେଲ୍‌ର ଜବାବ ଦିଅନ୍ତି ନାହିଁ । କାରଣ ତାକୁ ସେ ସ୍ପାମ୍‌ ସହ ସମାନ ବୋଲି ମାନନ୍ତି । ତାଙ୍କର ଏଭଳି ଭାରତ-ବିରୋଧୀ ବୟାନକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । 


ଭାରତୀୟ ବଂଶୋଦ୍ଭବ ଲେବର ପାର୍ଟିର ସାଂସଦ ପ୍ରିୟଙ୍କା ରାଧାକ୍ରୀଷ୍ଣନ୍‌ ତାଙ୍କର ବୟାନକୁ ଦାୟିତ୍ୱହୀନ, ଅସମ୍ବେଦନଶୀଳ ଓ ଭେଦଭାବପୂର୍ଣ୍ଣ ବୋଲି ଦର୍ଶାଇବା ସହିତ ଏହାର ନିନ୍ଦା କରିଛନ୍ତି । ରାଧାକ୍ରୀଷ୍ଣନ୍‌ କହିଛନ୍ତି, ଏଭଳି ଟିପ୍ପଣୀ ଏକ ସଂପ୍ରଦାୟ ଲାଗି ନକାରାତ୍ମକ ଧାରଣା ସୃଷ୍ଟିକାରୀ । ଜଣେ ମନ୍ତ୍ରୀଙ୍କ ଦ୍ୱାରା ଏଭଳି ଟିପ୍ପଣୀ ଶୋଭନୀୟ ନୁହେଁ । ମନ୍ତ୍ରୀମାନଙ୍କୁ ନିୟମିତ ଭାବେ ଅନାବଶ୍ୟକ ଇ-ମେଲ୍‌ ମିଳିଥାଏ । ଏଭଳି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ଭାରତୀୟଙ୍କଠାରୁ ମିଳୁଥିବା ଇ-ମେଲ୍‌କୁ ଅଲଗା ଭାବେ ଦର୍ଶାଇବାର କୌଣସି କାରଣ ନାହିଁ । ବିଶେଷକରି ଭାରତ ସହିତ ନ୍ୟୁଜିଲାଣ୍ଡର ଗୁରୁତ୍ୱପୂର୍ଣ୍ଣ ସଂପର୍କ ପରିପ୍ରେକ୍ଷୀରେ ତାଙ୍କର ଏପରି ବୟାନ ଦେବା ଉଚିତ୍‌ ନ ଥିଲା । ଏହାପରେ ଏରିକା ସ୍ପଷ୍ଟୀକରଣ ରଖି ତାଙ୍କ ବୟାନକୁ ଭୁଲ୍‌ ଭାବେ ଗ୍ରହଣ କରାଯାଉଥିବାର ଅଭିଯୋଗ ଆଣିଛନ୍ତି । ୨୦୨୩, ନଭେମ୍ବର ମାସରୁ ଏରିକା ନ୍ୟୁଜିଲାଣ୍ଡର ଇମିଗ୍ରେସନ୍‌ ମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଛନ୍ତି ।