ଚନ୍ଦନେଶ୍ଵର, ୬/୧୧(ଆ.ପ୍ର) : ହଜିଗଲା ମାନବିକତା। ଦଶମାସ ଦଶଦିନ ଗର୍ଭରେ ଧରି ପିଲା ଜନ୍ମ କରିବା ପରେ ଏକ ବ୍ୟାଗରେ ପୁରାଇ ଗଛରେ ଟାଙ୍ଗି ଦେଇ ପଳାଇ ଯାଇଛନ୍ତି ଜନ୍ମ ଦାତା। ଆଉ ୫ଦିନ ପରେ ଗାଁଲୋକେ ମୃତ ପୁଅଟିକୁ ଉଦ୍ଧାର କରି ତାର ସତ୍କାର କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇର ଗୋଛିଦାତେଗରି ପଞ୍ଚାୟତ ଅଧିନ ସେହି ଗାଁରେ।        

ଗୋଛିଦା ତେଘରି ପଞ୍ଚାୟତ କାର୍ଯ୍ଯାଳୟ ପାଖ କେନ୍ଦୁ ଗଛରେ ୫ଦିନ ହେଲା ଏକ ବ୍ୟାଗ ଝୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତେବେ କେହି ଉକ୍ତ ବ୍ୟାଗ ବାହାର କରି ନଥିଲେ କି ମନ ଭିତରେ ସନ୍ଦେହ ମଧ୍ଯ ଆସି ନଥିଲା। କେନ୍ଦୁଗଛ ପାଖ ପଡିଆରେ ଅନ୍ନ ମହୋତ୍ସବ ଅନୁଷ୍ଠିତ ହେବାର ଅଛି । ତେଣୁ  ଗୁରୁବାର ସେଠାରେ ସଫେଇ ଚାଲୁଥିଲା। ଜଣେ ଲୋକ ଉକ୍ତ ବ୍ୟାଗକୁ ବାହାର କରି ଦେଖିବାରୁ ଏକ ପିଲାର ମୁଣ୍ଡ ଦେଖାଯାଇ ଥିଲା। ଚିତ୍କାର କରି ଅନ୍ୟମାନଙ୍କୁ ଡାକିଥିଲେ। ପରେ ସମସ୍ତେ ଦେଖିବାକୁ ପାଇ ଥିଲେ ବ୍ୟାଗ ଭିତରେ ଏକ ଶିଶୁପୁତ୍ର ଅଛି। ପ୍ୟାଣ୍ଟ, ସାର୍ଟ ପିନ୍ଧିଛି, ଏକ ଛୋଟ କମ୍ବଳରେ ତାକୁ ଗୋଡାଇ ବ୍ୟାଗରେ ପୁରା ଯାଇଛି। ଦେହରେ ରକ୍ତ ଛିଟା ମଧ୍ଯ ରହିଛି। ପିଲାଟି ମରିଯାଇଥିବାରୁ ଗ୍ରାମବାସୀ ସତ୍କାର କରିଥିଲେ।