ବଅଁରପାଳ,୧୧/୦୫: ଦଶ ଦିଗପାଳ, ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ  ସାଥୀ ହେବାକୁ ହାତ ଧରିଲେ । ହେଲେ ଚତୁର୍ଥୀ ପୂର୍ବ ରାତିରେ ସ୍ୱାମୀ, ଶ୍ୱଶୁର ଘର  ଲୋକଙ୍କ ବିଶ୍ୱାସ ତୁଟାଇ ପାଇଖାନା ସ୍କାଏଲାଇଟ୍‌ ଭାଙ୍ଗି ପଳାଇ ଯାଇଛନ୍ତି ନବବଧୂ ।  ଗଲା ବେଳେ ସମସ୍ତ ସୁନାଗହଣା ସାଙ୍ଗକୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଛନ୍ତି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା କେନ୍ଦୁପଲ୍ଲୀ ଅଞ୍ଚଳରେ ଏ ଘଟଣା ଚର୍ଚ୍ଚାର ବିଷୟ  ହୋଇଥିବା ବେଳେ ବିଚରା ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ନିଖୋଜ  ମାମଲାଟିଏ ରୁଜୁ କରି ଅନୁସନ୍ଧାନ ଚଳାଇଛି । 

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁପଲ୍ଲୀ ଗ୍ରାମର ଯୁବକ ଜଣକ ଗତ ୭ ତାରିଖରେ କିଶୋରନଗର ବ୍ଲକ୍‌ ତଥା ହଣ୍ଡପା ଥାନା ଇଲାକାରେ ବିବାହ କରିଥିଲେ । ବିବାହ ବେଳେ ଯୁବତୀଙ୍କ ତାଙ୍କ ଆଚରଣ ସ୍ୱାଭାବିକ  ଥିଲା । ନୂଆ କରି ଘରକୁ ଆସୁଥିବା ବୋହୂଠାରେ କୌଣସି ପ୍ରକାର ଅସ୍ୱାଭାବିକ ଲକ୍ଷଣ ଦେଖିନଥିଲେ ଶାଶୂଘର ଲୋକ । ହେଲେ ଶୁକ୍ରବାର ରାତିରେ  ଶୌଚାଳୟ ଯାଇ ଆଉ ଫେରିନଥିଲେ ବୋହୂ । ଘର ଲୋକେ ଅନେକ ସମୟ ଅପେକ୍ଷା  କଲେ ହେଲେ ଆଉ କବାଟ ଖୋଲିଲାନି କି ବୋହୂ ଫେରିଲାନି । ଘରକୁ କୁଣିଆ  ହୋଇ ଆସିଥିବା କିଛି ମହିଳା କବାଟକୁ ବାଡ଼େଇଲେ ଆଉ ବୋହୂ ନାଁ ଧରି ଡାକିଲେ । 

ଆଉ ଶେଷରେ କବାଟ ଭାଙ୍ଗି ଯାହା ଦେଖିଲେ ସମସ୍ତଙ୍କ ହୋସ୍‌ ଉଡ଼ିଗଲା । ବୋହୂ ସ୍କାଏ ଲାଇଟ୍‌ ଭାଙ୍ଗି ଚମ୍ପଟ ମାରିଛି । ଯାଇଛି ତ’ ଯାଇଛି ଚାଲ୍‌ କରି ପାଇଖାନା ଆସିବା ବେଳେ ସାଙ୍ଗରେ ଏକ ଲକ୍ଷ ୫୫ ହଜାର ଟଙ୍କା ସହ ୧୦ ଭରି ଓଜନର ସୁନାହାର,  ମଙ୍ଗଳସୂତ୍ର, ଚେନ୍‌, ଚୁଡ଼ି ୪ ପଟ, ଦୁଇଟା କାନଫୁଲ, ୩ଟି ମୁଦି ନେଇଯାଇଛି  ବୋଲି ପରିବାର ଲୋକେ ଜାଣିବାକୁ ପାଇଥିଲେ । ଏନେଇ ସ୍ୱାମୀ ଶନିବାର ଥାନାରେ ଏତଲା ଦେଇଛନ୍ତି । ବିଳମ୍ବିତ ରାତି ୩ଟା ୫ରେ ସେ ଘରୁ ପଳାଇ ଯାଇଥିବା ସ୍ୱାମୀ  ପାଖକୁ ମୋବାଇଲ୍‌ ଫୋନ୍‌ରେ ମେସେଜ୍‌ କରିଥିବା ଏତଲାରେ ଦର୍ଶାଯାଇଛି । ଏ  ଘଟଣା ନେଇ ଉଭୟ ପରିବାର ମଧ୍ୟରେ ବିଚାରବିମର୍ଶ ଚାଲିଥିବା ଜଣାଯାଇଛି ।