ନୂଆଦିଲ୍ଲୀ୦୨/୧୧ : ଦୀପାବଳିରେ ଅଘଟଣ। ବାଣ ନିଆଁରେ ଏକ ଘର ଜଳିଯାଇଥିବା ବେଳେ ଭିତରେ ଥିବା ୩ ଛୁଆ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା। ଏଥିସହ ଘଟଣାରେ ଜଣେ ମହିଳା ଓ ଅନ୍ୟ ଜଣେ ଶିଶୁ ଗୁରୁତର ହୋଇଛନ୍ତି। ତେବେ ଏହି ଅଘଟଣ ପଶ୍ଚିମବଙ୍ଗର ହାଓଡାରେ ଓଲବେରିୟା ଅଞ୍ଚଳରେ ହୋଇଥିବା ଜଣାପଡିଛି।
ତେବେ ଜଣେ ପୁଲିସ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତରାତିରେ ଓଲବେରିୟା ଅଞ୍ଚଳରେ ଦୀପବଳି ପାଳନ ହେଉଥିବା ବେଳେ ପିଲାମାନେ ବାଣ ଫୁଟାଉଥିଲେ। ଏହି ସମୟରେ କିଛି ନିଆଁ ଝାସ ପାଖରେ ଥିବା କିଛି ବାଣ ଉପରେ ପଡ଼ିଯାଇଥିଲା। ଫଳରେ ସେଠାରେ ହୁତୁହୁତୁ ହୋଇ ନିଆଁ ଜଳିବାକୁ ଲାଗିଲା। ପାଖରେ ଥିବା ଏକ ଘର ନିଆଁ କବଳକୁ ଆସି ଯାଇଥିବା ବେଳେ ତା’ ଭିତରେ ଥିବା ୩ ପିଲା ଘରୁ ବାହାରି ପାରି ନ ଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ନିଆଁ ଲିଭାଇବା ସହ ଘରୁ ୩ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଘଟଣରେ ଗୁରୁତର ଜଣେ ମହିଳା ଓ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।