ଭୁବନେଶ୍ବର ୧୫/୧୨: ସମସ୍ତେ ନିଜ ନିଜ କ୍ଷେତ୍ରରେ ଲବ୍ଧପ୍ରତିଷ୍ଠ ଲେଖକ ଓ ସ୍ତମ୍ଭକାର । ‘ପ୍ରମେୟ’ର ଯାତ୍ରାରେ ସଭିଏଁ ଜଣେ ଜଣେ ସହଯୋଗୀ । ଅଧିକାଂଶ ସ୍ତମ୍ଭକାର ଓ ଲେଖକ ‘ପ୍ରମେୟ’ ପାଇଁ ସ୍ତମ୍ଭ ଲେଖୁଥିଲେ ଓ ପଢୁଥିଲେ ସୁଦ୍ଧା ପରସ୍ପରକୁ ଜାଣିନଥିଲେ । ମାତ୍ର ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ର ବନ୍ଧୁମିଳନ ସମାରୋହ ଅବସରରେ ସେହି ଅଦୃଶ୍ୟ ପାଚେରୀ ହଟିଛି । ଲେଖକ ଓ ସ୍ତମ୍ଭକାରମାନେ ପରସ୍ପରକୁ ଚିହ୍ନିବା ସହ ପରିଚୟ ବଢାଇଛନ୍ତି । କେବଳ ଏକାଠି ହୋଇନାହାନ୍ତି, ସମାଜ ପାଇଁ ଅନେକ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି ।  ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’କୁ ମାର୍ଗ ଦେଖାଇଛନ୍ତିସପ୍ତମ ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ଅବସରରେ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ପରିବାର ଜଣାଶୁଣା ସ୍ତମ୍ଭକାର ଓ ଲେଖକ/ଲେଖିକାଙ୍କୁ ଏକାଠି କରି ଏକ ବନ୍ଧୁମିଳନ ଆୟୋଜନ ହୋଇଥିଲା ।  ସୋମବାର ଅପରାହ୍ଣରେ ସହିଦ ବାଜିରାଉତ ମଞ୍ଚରେ ଆୟୋଜିତ ଏହି ସମାରୋହରେ ପ୍ରଶାନ୍ତ କେ. ଶତପଥୀ, କର୍ଣ୍ଣେଲ  ଶରତ ମହାପାତ୍ର, ତପୋଧନ ପଣ୍ଡା, ଅଧ୍ୟାପକ  ବିଶ୍ୱରଞ୍ଜନ, ପ୍ରଫେସର ବିନ୍ଦୁ ନିବେଦିତା, ଛନ୍ଦା ମିଶ୍ର,  ଚିନ୍ମୟୀ ପଣ୍ଡା, ଶ୍ୱେତା ରାଉତ, ସୁଜାତା ପ୍ରହରାଜ, ସନ୍ତୋଷ କୁମାର ମହାପାତ୍ର, ସହଦେବ ସାହୁ,  ଗୋଧନେଶ୍ୱର ହୋତା, ରଞ୍ଜନ କୁମାର ଦାସ, ବିଜୟ  ଦାସ, ନଚିକେତା ଖମାରୀ ଶର୍ମା, ରବିନ ଖଣ୍ଡାୟତରାୟ,  ଅରବିନ୍ଦ ବେହେରା, ଶ୍ରୁତକୀର୍ତ୍ତି ତ୍ରିପାଠୀ, ପଞ୍ଚାନନ  ଦାସ, ଶୁଭେନ୍ଦୁ ପଟ୍ଟନାୟକ, ପ୍ରହଲ୍ଲାଦ ସିଂ, ରଶ୍ମି  ସାମଲ, ପ୍ରଣତି ଆଚାର୍ଯ୍ୟ ମିଶ୍ର, ଲଳିତ ମୋହନ ମିଶ୍ର  ଏବଂ ମୀରା ବେଉରା ପ୍ରମୁଖ ଲେଖକ ଓ ସ୍ତମ୍ଭକାର  ଯୋଗଦେଇଥିଲେ ।

ସମସ୍ତେ ‘ପ୍ରମେୟ’ ଓ ‘ନ୍ୟୁଜ-୭’ର ଖବର ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଖବର ଆହୁରି କିପରି ରୁଦ୍ଧିମନ୍ତ ହେବ ସେ ନେଇ ମଧ୍ୟ ମାର୍ଗଦର୍ଶନ କରିଥିଲେ । ସମାରୋହରେ ‘ପ୍ରମେୟ’ ଓ ‘ନ୍ୟୁଜ-୭’ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର କହିଥିଲେ, ‘ପ୍ରମେୟ’ର ୧୫ବର୍ଷର ଯାତ୍ରାରେ ସ୍ତମ୍ଭକାର ଓ ଲେଖକମାନେ ସହଯୋଗୀ । ପରିବାରର ସଦସ୍ୟ ସଦସ୍ୟା ବି । ସେମାନଙ୍କ ବିନା ‘ପ୍ରମେୟ’ ଅଧୁରା । ପୁସ୍ତକ ମହୋତ୍ସବ ଚାଲୁଥିବା ବେଳେ ସ୍ତମ୍ଭକାର, ଲେଖକ ଓ ଲେଖିକାଙ୍କୁ ଏକତ୍ର କରିବା ଆମର ଲକ୍ଷ୍ୟ ଥିଲା । ଏହାଦ୍ୱାରା ଅଧିକ ଭାବ ଆଦାନପ୍ରଦାନ ହୋଇପାରିବ ଓ ‘ପ୍ରମେୟ’ ଆହୁରି ବଳଶାଳୀ ହେବ । ଗ୍ରୁପ୍‌ ସିଇଓ ସୁନୀଲ ଦାସ ‘ପ୍ରମେୟ’ର ଏହି  ପ୍ରୟାସକୁ ପ୍ରଶଂସା କରିଥିଲେ । ସେ କହିଲେ, ଲେଖକମାନଙ୍କ ପରାମର୍ଶ ‘ପ୍ରମେୟ’ ପାଇଁ ବରଦାନ ସଦୃଶ । ତେଣୁ ସେମାନଙ୍କ ପରାମର୍ଶକୁ ଶୁଣି କାର୍ଯ୍ୟରେ ପରିଣତ କରିବାକୁ ସେ କହିଥିଲେ । ସେଲ୍ସ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ ହିମାଂଶୁ ହୋତା କହିଲେ, ‘ପ୍ରମେୟ’ର ପୃଷ୍ଠପୋଷକ ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କ ପ୍ରଥମ ଲକ୍ଷ୍ୟ ହେଉଛି, ଗିଭିଂ ବ୍ୟାକ୍‌ ଟୁ ଦି ସୋସାଇଟି । ସେଥିପାଇଁ ‘ପ୍ରମେୟ’ କେବଳ ଖବର ପରିବେଷଣରେ ସୀମିତ ନ ରହି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛି । ସମାଜରେ ଅବହେଳିତ କୃଷକ, ମହିଳାଙ୍କ  ସାଥୀ ପାଲଟି ସେମାନଙ୍କୁ ସମ୍ମାନିତ କରୁଛି । ପ୍ରସାର ବିଭାଗ ଡିଜିଏମ୍‌ ଗଜେନ୍ଦ୍ର ଦାସ କହିଲେ,  ଖବରର ମୁଖ୍ୟ ହେଉଛନ୍ତି ପାଠକ ଓ ବିତରକ । ପାଠକଙ୍କ ଆସ୍ଥା ଓ ବିତରକଙ୍କ ପରିଶ୍ରମ ପାଇଁ  ଆମେ ଅଗ୍ରଣୀଙ୍କଠୁ ଆଗରେ । ‘ପ୍ରମେୟ’ର ଏଭଳି  ବିକାଶରେ ଲେଖକ, ଲେଖିକାମାନେ ଜଣେ ଜଣେ  ସୁଦକ୍ଷ ବିନ୍ଧାଣୀ । ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର  ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନା କରିବା ସହ ଲେଖକ  ଲେଖିକାଙ୍କୁ ସ୍ୱାଗତ କରିଥିଲେ । ଫିଚର ବିଭାଗ  ମୁଖ୍ୟ ସୁଭାଷ ଶତପଥୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ  କରିଥିବା ବେଳେ ନ୍ୟୁଜ୍‌-୭ କାର୍ଯ୍ୟନିର୍ବାହୀ ସମ୍ପାଦକ  ଦେବନାରାୟଣ ସେଠୀ ଧନ୍ୟବାଦ ଦେଇଥିଲେ ।  ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର, ପ୍ରସାର  ବିଭାଗ ଏଜିଏମ୍‌ ରମାକାନ୍ତ ମଲ୍ଲିକ, ମାନବସମ୍ବଳ  ଅଧିକାରୀ ଅରୁଣ ମଥାନ ଉପସ୍ଥିତ ଥିଲେ । ବର୍ଷା  ପଣ୍ଡା, ଚନ୍ଦ୍ରକାନ୍ତ ମଲ୍ଲିକ ଏବଂ ପ୍ରିୟରଞ୍ଜନ ଜେନା  ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

​​​​​​​