ଭୁବନେଶ୍ୱର ୦୫/୧୦: ଜଣେ ଇନ୍ସପେକ୍ଟର  ସରକାରୀ କ୍ୱାର୍ଟର୍ସରେ ଆଇପିଏସ୍‌ଙ୍କ ଉତ୍ପାତ ଘଟଣା  ପୁଣି ଚର୍ଚ୍ଚାକୁ ଆସିଛି । ଜାତୀୟ ମାନବ ଅଧିକାର  ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଘଟଣାକୁ ଗୁରୁତର ସହ ନେଇଛନ୍ତି । ଏନେଇ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)  ୱାଇ ବି ଖୁରାନିଆଙ୍କୁ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ୮ ସପ୍ତାହ ଭିତରେ ଘଟଣାର ତଦନ୍ତ ସହ  କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।  

ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ଏନେଇ ଏନ୍‌ଏଚ୍‌ଆରସିରେ ପିଟିସନ ଦାଖଲ କରିଥିଲେ । ଜୁଲାଇ ୨୭ ତାରିଖ ରାତିରେ ଆଇପିଏସ୍‌ଜଣକ  ନିଶାସକ୍ତ ଅବସ୍ଥାରେ କ୍ୟାପିଟାଲ ଥାନା ଅଧୀନରେ  ଥିବା ଜଣେ ମହିଳା ଇନ୍ସପେକ୍ଟରଙ୍କ ସରକାରୀ  କ୍ୱାର୍ଟର୍ସକୁ ଯାଇଥିଲେ। କ୍ୱାର୍ଟର୍ସରୁ ମହିଳା  ଅଧିକାରୀଙ୍କୁ ଘୋଷାଡି଼ ଆଣି ନାନା ପ୍ରକାର  ଗାଳିଗୁଲଜ କରିଥିଲେ । ତାଙ୍କୁ ଜୋର୍‌ଜବରଦସ୍ତି  ବିବାହ କରିବାକୁ ବାଧ୍ୟ କରିଥିଲେ । ମହିଳା  ଅଧିକାରୀଙ୍କ ସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି ବିରୋଧ  କରିବାରୁ ତାଙ୍କୁ ମଧ୍ୟ ପିଟାମରା କରିଥିଲେ ଆଇପିଏସ୍‌ଜଣକ । କ୍ୟାପିଟାଲ ଥାନାରୁ ଏକ  ପିସିଆର ଭ୍ୟାନ୍‌ ଘଟଣାସ୍ଥଳକୁ ଯାଇଥିଲା । କିନ୍ତୁ  ଆଇପିଏସ୍‌ଙ୍କ ଭୟରେ କୌଣସି କାର୍ଯ୍ୟାନୁଷ୍ଠାନ  ନ ନେଇ ପଳାଇ ଆସିଥିଲା । ଇନ୍ସପେକ୍ଟରଙ୍କ  ସ୍ୱାମୀ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି  ହୋଇଥିଲେ । କିନ୍ତୁ ପୀଡି଼ତାଜଣକ ସମ୍ପୃକ୍ତ  ଆଇପିଏସ୍‌ଙ୍କ ବିରୋଧରେ କୌଣସି ପଦକ୍ଷେପ  ନେଇନଥିଲେ । ଆଇପିଏସଙ୍କ ଡରରେ ସେ  କୌଣସି ଥାନାରେ ଅଭିଯୋଗ କରିନଥିଲେ ।  ଏହି ପିଟିସନର ଶୁଣାଣିରେ ଗତ ୧ ତାରିଖରେ  ଏନ୍‌ଏଚ୍‌ଆରସି ଏହି ନିର୍ଦ୍ଦେଶ ଦେଇଛନ୍ତି ।