ମୁମ୍ବାଇ ୦୩/୧୦: ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଲିଭିଜନ୍‌ ଜଗତର ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌-୧୮’ । ଏଥିରେ ଭାଗ ନେବା ପାଇଁ ଅନେକ  ପ୍ରତିଯୋଗୀଙ୍କ ନାଁ ଲଗାତାର ଚର୍ଚ୍ଚାକୁ ଆସୁଛି । ଏ ସିଜନ୍‌ର ଅନ୍ୟତମ  ପ୍ରତିଯୋଗୀ ହେଉଛନ୍ତି ନିୟା ଶର୍ମା, ଯାହାଙ୍କ ନାଁରେ ପ୍ରଥମେ ମୋହର  ବାଜିଛି । ‘ସୁହାଗନ୍‌ ଚୁଡ଼ୈଲ୍‌’, ‘ଏକ୍‌ ହଜାରୋଁ ମେଁ ମେରୀ ବହ୍‌ନା ହୈ’  ଓ ‘ନାଗିନ୍‌’ ଭଳି ଧାରାବାହିକ ପାଇଁ ଲୋପ୍ରିୟତା ପାଇଛନ୍ତି ନିୟା । 

ସଦ୍ୟ  ରିପୋର୍ଟ ଅନୁସାରେ, ନିୟା ଚଳିତ ସିଜନ୍‌ର ସବୁଠୁ ମହଙ୍ଗା ପ୍ରତିଯୋଗୀ  ହେବାକୁ ଯାଉଛନ୍ତି । ବିଗ୍‌ ବସ୍‌ ଘରେ ନିୟା ବିତାଇବାକୁ ଯାଉଥିବା  ପ୍ରତ୍ୟେକ ଦିନ ପାଇଁ ଶୋ’ର ନିର୍ମାତା ତାଙ୍କୁ ୫ ଲକ୍ଷ ୪୦ ହଜାର ଟଙ୍କା  ଦେବେ । ଅର୍ଥାତ୍‌ ସପ୍ତାହକୁ ସେ ୩୭ ଲକ୍ଷ ୮୦ ହଜାର ଟଙ୍କା ପାରିଶ୍ରମିକ  ନେବେ । 

ରିପୋର୍ଟ ଅନୁସାରେ, ନିର୍ମାତା ନିୟାଙ୍କ ସହ ମାତ୍ର ୧୫ ଦିନର  କଣ୍ଟ୍ରାକ୍ଟ ସାଇନ୍‌ କରିଛନ୍ତି । ନିକଟରେ ‘ଖତ୍‌ରୋଁ କେ ଖିଲାଡ଼ି-୧୪’ ଫିନାଲେରେ ରୋହିତ ଶେଟ୍ଟୀ ନିୟାଙ୍କ ବିଗ୍‌  ବସ୍‌ ଏଣ୍ଟ୍ରି ବିଷୟରେ ସ୍ପଷ୍ଟ କରିଥିଲେ । ସେ  ମଞ୍ଚରେ ଘୋଷଣା କରିଥିଲେ, ଉକ୍ତ ସିଜନ୍‌ର ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଜଣେ  ବିଗ୍‌ ବସ୍‌କୁ ଯିବେ । ତା’ପରେ ନିୟାଙ୍କୁ  ଏଥିପାଇଁ ଅଭିନନ୍ଦନ ଜଣାଇଥିଲେ ।  

ନିୟା ମଧ୍ୟ ଶୋ’ରେ ଯୋଗ  ଦେବାକୁ ରାଜି ହୋଇଥିଲେ । ଏହା  ପୂର୍ବରୁ ନିୟା ବିଗ୍‌ ବସ୍‌ ଓଟିଟିରେ  ମାତ୍ର କିଛି ଘଣ୍ଟା ପାଇଁ ଭାଗ ନେଇଥିଲେ । ଲୋକପ୍ରିୟ  ସିରିଏଲ ‘କୁଣ୍ଡଲୀ  ଭାଗ୍ୟ’ ଅଭିନେତା  ଧୀରଜ ଧୂପରଙ୍କ ବିଗ୍‌ ବସ୍‌ ଏଣ୍ଟ୍ରି  ନିଶ୍ଚିତ ବୋଲି ଚର୍ଚ୍ଚା  ହେଉଛି । ଅଭିନେତ୍ରୀ  ସୁରଭି ଜ୍ୟୋତି,  ଶହଜାଦ ଧାମୀ,  ଶୋଏବ ଇବ୍ରାହିମ  ଓ ନାୟରା ବାନାର୍ଜୀ  ମଧ୍ୟ ଶୋ’ରେ ଏଣ୍ଟ୍ରି  କରିପାରନ୍ତି । ବଲିଉଡ୍‌ ଅଭିନେତ୍ରୀ ସମୀରା  ରେଡ୍ଡୀ, ଉର୍ମିଲା  ମାତୋଣ୍ଡକର ଓ ଶିଳ୍ପା  ଶିରୋଡକରଙ୍କ ନାଁ ବି  ଚର୍ଚ୍ଚାକୁ ଆସିଛି ।