ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣର ଯାଞ୍ଚ ଏବେ ଏନ୍ଆଇଏ କରିବ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦୁଇଟି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଯାହାଫଳରେ ବିସ୍ଫୋରଣର ଯାଞ୍ଚ ଏନ୍ଆଇଏ କରିବ। ବର୍ତ୍ତମାନ ଯାଞ୍ଚ ଏଜେନ୍ସି ଘଟଣାସ୍ଥଳରୁ ବିସ୍ଫୋରଣର ପ୍ରମାଣ ଏକାଠି କରୁଛନ୍ତି। ଏନ୍ଆଇଏକୁ ତଦନ୍ତ ଦାୟିତ୍ବ ଦେବାର ବଡ଼ କାରଣ ହେଉଛି ଏହି ବିସ୍ଫୋରଣର ଲିଙ୍କ୍ ବହୁ ରାଜ୍ୟ ସହ ଯୋଡି ହେବ ବୋଲି କୁହାଯାଉଛି। ଏହା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିସ୍ଫୋରଣ ସମ୍ପର୍କରେ ଆଲୋଚନା କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଆଙ୍ଗୋଲାରେ ଥିବା ବେଳେ ସେ ଫୋନରେ ଅମିତ ଶାହଙ୍କ ସହ କଥା ହୋଇ ପରିସ୍ଥିତି ବିଷୟରେ ବିସ୍ତୃତ ସୂଚନା ମାଗିଥିଲେ। ସେ ବିସ୍ଫୋରଣରେ ମୃତକଙ୍କୁ ନେଇ ଚିନ୍ତା ପ୍ରକାଶ କରିଥିଲେ । ଏହା ସହ ଏଭଳି ସମ୍ବେଦନଶୀଳ ମାମଲା ପରିଚାଳନା କରୁଥିବା ତଦନ୍ତକାରୀ ଟିମ୍କୁ ତାଙ୍କର ସମର୍ଥନ ଜଣାଇଥିଲେ।
ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦୁଇଟି ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ଗୋଟିଏ ସକାଳେ ହୋଇଥିବା ବେଳେ ଅନ୍ୟଟି ମଧ୍ୟାହ୍ନରେ ଆୟୋଜିତ କରାଯାଇଥିଲା। ଏହି ସମୟରେ ଶାହ କହିଛନ୍ତି ଘଟଣା ପଛରେ ସମ୍ପୃକ୍ତ ଥିବା ପ୍ରତ୍ୟେକ ଦୋଷୀଙ୍କୁ ଧରାଯିବ। ତାଙ୍କୁ ଏଭଳି କାର୍ଯ୍ୟ ପାଇଁ କଠୋର ଦଣ୍। କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଆଇବି ନିର୍ଦେଶକ ତପନ ଡେକା, ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା ଓ ଏନ୍ଆଇଏ ମହାନିର୍ଦେଶକ ସଦାନନ୍ଦ ଦାତେ ସାମିଲ ହୋଇଥିଲେ। ସେଭଳି ଜମ୍ମୁ-କଶ୍ମୀର ପୋଲିସ ମହାନିର୍ଦେଶକ (ଡିଜିପି) ନଳିନ ପ୍ରଭାତ ଭର୍ଚୁଆଲି ଯୋଗ ଦେଇଥିଲେ।