ଢେଙ୍କାନାଳ,୧୯/୦୧: ସଦର ଥାନା ଅଞ୍ଚଳରେ ଏକ ଭଡ଼ାଘରେ  ରହୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ମହିଳା ଏକୁଟିଆ ରହୁଥିବା ସୁଯୋଗ ନେଇ ଶୁକ୍ରବାର ରାତିରେ ଜଣେ ଯୁବକ ମୁଖାପିନ୍ଧି ଛୁରି ଦେଖାଇ ଦୁଷ୍କର୍ମ କରିଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ସଦର ଥାନା ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିବା ସହ ଛୁରି ଜବତ କରିଛି । ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲା ବାର୍‌କୋଟ  ଥାନା ଶରଣକୋଟ ଗାଁର ହୃଷିକେଶ ସାହୁ(୪୭) । ଘଟଣାସ୍ଥଳରେ ସାଇଣ୍ଟିଫକ୍‌ ଟିମ୍‌ ଓ ଅତିରିକ୍ତ ଏସ୍‌ପି ପ୍ରଭାତ କୁମାର ବିଶ୍ୱାଳ ପହଞ୍ଚି  ତଦନ୍ତ କରିଛନ୍ତି ।   

ଅଭିଯୋଗ ଅନୁସାରେ, ପୀଡ଼ିତା ଭଡ଼ାଘରେ ଏକୁଟିଆ ରହୁଥିବା  ବେଳେ ନିକଟରେ ଥିବା ଏକ କାଠମିଲରେ କାଠମିସ୍ତ୍ରୀ ଭାବେ ହୃଷିକେଶ କାମ କରେ । ଗତ କିଛିଦିନ ହେଲା ହୃଷିକେଶ ପୀଡ଼ିତାଙ୍କ  ଯିବାଆସିବା ରାସ୍ତାକୁ ଅନେଇ  ରହୁଥିଲା । ଶୁକ୍ରବାର ରାତି  ପ୍ରାୟ ୮ଟା ବେଳେ ପୀଡ଼ିତାଙ୍କ  ଅଜାଣତରେ ସେ ତାଙ୍କ ଘରେ ପଶି ଯାଇ ଲୁଚି ରହିଥିଲା । ରାତି ପ୍ରାୟ ୧୧ଟା ସମୟରେ ହଠାତ୍‌ ମୁହଁରେ ମୁଖାପିନ୍ଧି ବାହାରି ପୀଡ଼ିତାଙ୍କୁ ଟଣାଓଟରା କରିଥିଲା । ପୀଡ଼ିତା ଚିତ୍କାର କରିବାରୁ ଛୁରି ଦେଖାଇ ମୁହଁରେ କପଡ଼ା ବାନ୍ଧି ଦେଇ ଦୁଷ୍କର୍ମ କରିଥିଲା । ଶନିବାର ସକାଳେ ପୀଡ଼ିତା ଏ ନେଇ ସଦର ଥାନାରେ  ଅଭିଯୋଗ କରିବା ପରେ ଅତିରିକ୍ତ ଏସ୍‌ପି ଶ୍ରୀ ବିଶ୍ୱାଳ, ସଦର ଥାନା  ଅଧିକାରୀ ଦୀପକ ଲେଙ୍କା ପ୍ରମୁଖଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ  କରିଥିଲେ । ପୀଡ଼ିତାଙ୍କ ବୟାନ୍‌ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯିବା  ସହ ଛୁରି ଜବତ କରାଯାଇଛି । ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯିବା  ସହ ଅଭିଯୁକ୍ତକୁ ଅଧିକ ପଚରାଉଚୁରା ଜାରି ରହିଥିବା ଜଣାଯାଇଛି ।