ଭୁବନେଶ୍ୱର,୦୪।୦୨: ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ଆହୁରି ବଢ଼ିପାରେ । ଏହା ପ୍ରଭାବରେ ଶୀତ କମିଯିବ । ୮ତାରିଖ ଯାଏ ରାତି ବେଳା କ୍ୱଚିତ୍ ଶୀତ ଅନୁଭୂତ ହେବ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି । ୪ ତାରିଖରେ ପୁରୀରେ ରାତି ତାପମାତ୍ରା ୧୯ ଡିଗ୍ରୀ ଛୁଇଁବ । ଗୋପାଳପୁର ଓ ଛତ୍ରପୁରରେ ୧୮, ଚାନ୍ଦବାଲି, ନୟାଗଡ଼ ଓ ପାରାଦୀପରେ ୧୭ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସେହିପରି ବାଲେଶ୍ୱର, ଭଦ୍ରକ ଓ ଟିଟିଲାଗଡ଼ରେ ୧୬,ରାୟଗଡ଼ା ଓ ପାରଳାଖେମୁଣ୍ଡିରେ ୧୫ ଡିଗ୍ରୀ ରହିପାରେ । ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ସାମାନ୍ୟ ଶୀତ ରହିବ । ୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୧୭ ଡିଗ୍ରୀ ବା ଏହାଠାରୁ ଅଧିକ ରହିବା ସହ ଶୀତ ଗାଏବ ହୋଇଯିବ । ୬, ୭ ଓ ୮ ତାରିଖରେ ରାତି ତାପମାତ୍ରା ବି ଅଧିକ ରହିବ । ୯ ତାରିଖରୁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦାରିଙ୍ଗବାଡ଼ିରେ ୧୦.୫, ଫୁଲବାଣୀରେ ୧୧.୨,ରାଉରକେଲାରେ ୧୨.୧, ନବରଙ୍ଗପୁରରେ ୧୨.୫, ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ ହୋଇଥିଲା ।