ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ସରିଲା ମାନବୀୟ ଲୀଳାଖେଳା, ରତ୍ନବେଦିକୁ ଫେରିବେ ଦାରୁବ୍ରହ୍ମ: ଆଜି ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

Published By : Prameya | July 8, 2025 8:43 AM

ପୁରୀ,୦୮/୦୭:  ସ୍ନାନପୂର୍ଣ୍ଣମୀଠାରୁ ଶୂନ୍ୟ ପଡ଼ିଛି  ରତ୍ନସିଂହାସନ । ଇତି ମଧ୍ୟରେ ଜନ୍ମବେଦି ଲୀଳା ମଧ୍ୟ ସରିଛି ।  ଏଣିକି ରତ୍ନବେଦିକୁ ଫେରିବାର  କ୍ଷଣ । ମଙ୍ଗଳବାର ରଥଯାତ୍ରାର ଶେଷ  ପର୍ବ ‘ନୀଳାଦ୍ରି ବିଜେ’ । ରତ୍ନମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିବେ ଦାରୁବ୍ରହ୍ମ । ଏହା  ପୂର୍ବରୁ ସୋମବାର ରଥାରୂଢ ଠାକୁରଙ୍କୁ  ଆଷାଢ ଶୁକ୍ଳ ଦ୍ୱାଦଶୀ ତିଥିରେ  ଅଧରପଣା ଅର୍ପଣ କରାଯାଇଥିଲା   

ସୋମବାର ରାତି ୮ଟା ୩୫ ମିନିଟ୍‌ରୁ  ୯ଟା ୧୦ ମଧ୍ୟରେ ଅଧରପଣା ନୀତି  ସମ୍ପନ୍ନ ହୋଇଥିଲା । ଶ୍ରୀବିଗ୍ରହଙ୍କୁ ଭୋଗ ଲାଗିଲା ପରେ ହାଣ୍ଡିଗୁଡିକ ରଥ ଉପରେ ଗଡ଼ାଇ ଭଙ୍ଗାଯାଇଥିଲା । ରଥର ପାର୍ଶ୍ବ ଦେବାଦେବୀ, ଅଶରୀର ତଥା  ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧର  ହାଣ୍ଡି ଗୁଡିକୁ ଭଙ୍ଗା ଯାଉଥିବା କୁହାଯାଏ । ଠାକୁରଙ୍କୁ ପୂଜା କରାଯାଇଥିବା ପଣା  ପାଇଲେ ଏମାନେ ସନ୍ତୁଷ୍ଟ ହୁଅନ୍ତି  ବୋଲି ବିଶ୍ୱାସ ରହିଛି । ରଥରୁ ଅଧର ପଣା ବୋହି ବଡ଼ଦାଣ୍ଡରେ ଭାସିଥିଲା । ଅତ୍ୟନ୍ତ ଶ୍ରଦ୍ଧାର ସହ ଦର୍ଶନାର୍ଥୀମାନେ ବଡ଼ଦାଣ୍ଡରୁ  ଠାକୁରଙ୍କ ପଣା ସଂଗ୍ରହ କରିଥିଲେ ।  

ସୋମବାର ତିନି ରଥରେ  ଠାକୁରଙ୍କ ମଧ୍ୟାହ୍ନ ଧୂପ ସରିଲା ବେଳକୁ ଅପରାହ୍ନ ୩ଟା ୪୫ମିନିଟ୍‌ ।  ଏହାପରେ ଅଧର ପଣା ପ୍ରସ୍ତୁତି  ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିର  ପ୍ରଶାସନ, ରାଘବ ଦାସ ମଠ  ଓ ବଡ଼ଓଡିଆ ମଠ ତରଫରୁ  ଯୋଗାଯାଇଥିବା ୯ଟି ମାଟି ହାଣ୍ଡିକୁ  ରଥ ଉପରକୁ ଅଣାଯାଇଥିଲା। ଛାଚି,  ସର, ଛେନା, କଦଳୀ, ଗୋଲମରିଚ  ଗୁଣ୍ଡ, କର୍ପୂର ଓ ଜାଇଫଳ ପଡି ଏହି  ପଣା ପ୍ରସ୍ତୁତ ହୋଇଥିଲା । ପାଣିଆ ଆପଟ ସେବକମାନେ ସିଂହଦ୍ୱାର  ସମ୍ମୁଖସ୍ଥ କୂଅ ପାଣି ଆଣି ରଥ  ଉପରକୁ ଯୋଗାଇଥିଲେ । ପରମ୍ପରା  ମୁତାବକ ମାଟି ପାତ୍ର ଉପରେ ଧଳା କରିଆ ଗାମୁଛା ମାନ ରଖି ମହାସୁଆର  ସେବକମାନେ ପଣା ପ୍ରସ୍ତୁତ  କରିଥିଲେ । ଭିତରଛ, ତଳୁଛ ଓ  ପୁଷ୍ପାଳକ ସେବକମାନେ ଠାକୁରଙ୍କ ଅଧର ଆଗରେ ନୂଆ ଗାମୁଛା  ଟେରା (ଆଢୁଆଳ) କରିଥିଲେ ।  ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ  ପାଳିଆ ସେବକମାନେ ତିନି ରଥ ଉପରେ ପୂଜା ଠା' କରିଥିଲେ ।  ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ  ଠାକୁରମାନଙ୍କୁ ପୂଜା କରିଥିଲେ । ତିନି  ରଥରେ ୩ଟି ଲେଖାଁଏ ହାଣ୍ଡିରେ ପଣା  ଅର୍ପଣ ହୋଇଥିଲା ।ଏହାପରେ ଯଥାବିଧି ହାଣ୍ଡି ଗୁଡିକୁ ଭଙ୍ଗାଗଲା । ରଥ  ସମ୍ମୁଖରେ ଦଣ୍ଡାୟମାନ ହଜାର ହଜାର ଭକ୍ତ ଏହି ଦେବନୀତି ଦେଖିବାର ସୌଭାଗ୍ୟ ଲଭିଥିଲେ । 

ଆଜି  ଗୋଟି ପହଣ୍ଡିରେ ରଥାରୂଢ  ଠାକୁର ଶ୍ରୀମନ୍ଦିରକୁ ବିଜେ କରିବେ । ବଡ଼ଭାଇ,  ଭଉଣୀଙ୍କ ସମେତ ସୁଦର୍ଶନଙ୍କ ପହଣ୍ଡି ସରିବ । ହେଲେ କାଳିଆ ସାଆନ୍ତଙ୍କ ବାଟ ଓଗାଳିବେ ଲକ୍ଷ୍ମୀ  ସାଆନ୍ତାଣୀ । ବିଜେ ପଥରେ ଲକ୍ଷ୍ମୀ-ନାରାୟଣ କଳି  ନୀତି ହେବ । ପରେ ରସଗୋଲା ଦେଇ ଧର୍ମପତ୍ନୀଙ୍କ  ମନ ତୋଷିବେ ଶ୍ରୀଜଗନ୍ନାଥ । ନୀଳାଦ୍ରି ବିଜେରେ  ଠାକୁରଙ୍କ ଏସବୁ ମାନବୀୟ ଲୀଳା ଦେଖି ଧନ୍ୟ  ହେବେ ଲକ୍ଷାଧିକ ଭକ୍ତ । ଅପରାହ୍ଣ ୪ଟାରେ ଠାକୁରଙ୍କ ପହଣ୍ଡି ଆରମ୍ଭ  ହୋଇ ରାତି ୧୦ଟା ସୁଦ୍ଧା ସରିବ ବୋଲି ସମୟ  ଧାର୍ଯ୍ୟ କରିଛି ଶ୍ରୀମନ୍ଦିର ପ୍ରଶାସନ । 

ପୁଷ୍ପାଳକ  ସେବକମାନେ ପ୍ରଥମେ ଶ୍ରୀମଦନମୋହନ ଓ  ଶ୍ରୀରାମକୃଷ୍ଣଙ୍କୁ ଦକ୍ଷିଣଘରେ ବିଜେ କରାଇବେ ।  ଏହାପରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ  ଦେବୀ ସୁଭଦ୍ରା ପହଣ୍ଡି ହେବେ । ଏହା ପୂର୍ବରୁ  ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ସରି  ଅଖଣ୍ଡ ବଇଠା ବସିଥିବ । ନୀଳାଦ୍ରି ବିଜେ ପାଇଁ  ସ୍ଥିର ହୋଇଥିବା ସମୟକ୍ରମେ ପ୍ରାତଃ ୪ଟାରେ ତିନି  ରଥରେ ମଙ୍ଗଳାଳତି ହେବ । ରଥରେ ଅନ୍ୟାନ୍ୟ  ନୀତି ହୋଇ ସନ୍ଧ୍ୟାଧୂପ ବଢିବ ଅପରାହ୍ନ ସାଢ଼େ  ୧ଟାରେ । ଏହାପରେ ସାଢ଼େ ୩ଟା ସୁଦ୍ଧା ରଥରେ  ଚାରମାଳ ବନ୍ଧା ହୋଇ ସିଂହାସନ ମାଜଣା ହେବ । ୩ଟା୫୦ମିନିଟ୍‌ରେ ପୁଷ୍ପାଞ୍ଜଳି ଅର୍ପଣ ହୋଇ ବିଜେ  କାହାଳି ବାଜିଲେ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ ।  ଉକ୍ତ ଦେବନୀତି ସ୍ୱଚକ୍ଷୁରେ ଦେଖିବାକୁ  ବର୍ଷକେ ଏହି ଦିନକୁ ଉତ୍କଣ୍ଠାର ସହ ଅପେକ୍ଷା  କରିଥାଏ ଭକ୍ତ । ଏହି ଅବସରରେ ଠାକୁରଙ୍କୁ  ରସଗୋଲା ଭୋଗ କରାଯିବାର ପରମ୍ପରା ରହିଛି ।  ତେବେ ନୀଳାଦ୍ରି ବିଜେ ଅବସରରେ ରଥ ନିକଟରେ  କିମ୍ବା ଶ୍ରୀମନ୍ଦିର ଭିତରେ ରକେଟ କିମ୍ବା ଅନ୍ୟାନ୍ୟ  ପ୍ରଦୂଷଣକାରୀ ବାଣ ନଫୁଟାଇବାକୁ ନିର୍ଦ୍ଦେଶ ରହିଛି ।  ଅମାନିଆ ବ୍ୟକ୍ତିଙ୍କ ବାଣ ଜବତ କରାଯିବା ସହ  ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.