ଭୁବନେଶ୍ଵର, ୧୪/୦୧ : ପଶ୍ଚିମବଙ୍ଗରେ ଆକ୍ରାନ୍ତ ଚିହ୍ନଟ ପରେ ଓଡ଼ିଶାକୁ ବଢିଲା ନିପା ଭୟ। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ନିପା ଭୂତାଣୁ ଚିହ୍ନଟ ହୋଇନାହାଁନ୍ତି। ହେଲେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରତିଦିନ ଲୋକଙ୍କ ଯିବା ଆସିବା ଲାଗି ରହିଛି। ତେଣୁ ରାଜ୍ୟରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ପଶ୍ଚିମବଙ୍ଗରେ ସଂକ୍ରମଣ ରୋକିବାକୁ ଏକ ଜାତୀୟ ଯୁଗ୍ମ ସଂକ୍ରମଣ ରେସପନ୍ସ ଦଳ ଗଠନ ହୋଇଛି। ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ଓଡ଼ିଶାରେ ପୂର୍ବରୁ କେବେ ନିପା ଭୂତାଣୁ ଚିହ୍ନଟ ହୋଇନି। କେନ୍ଦ୍ର ସରକାର ଯଦି କୌଣସି ନିର୍ଦ୍ଦେଶାବଳୀ ଜାରି କରନ୍ତି ତାହେଲେ ରାଜ୍ୟ ସରକାର ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରିବେ। ବର୍ତ୍ତମାନ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନଥିବା ସେ କହିଛନ୍ତି।
ପଶୁ, ସଂକ୍ରମିତ ଖାଦ୍ୟ କିମ୍ଵା ସିଧାସଳଖ ମଣିଷକୁ ନିପା ଭୂତାଣୁ ବ୍ୟାପିଥାଏ। ସଂକ୍ରମିତ ଲାଳ, ମଳ, ମୂତ୍ର ଓ ରକ୍ତ ଜରିଆରେ ଏହା ବ୍ୟାପିବାର ଆଶଙ୍କା ଅଧିକ। ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ ଜ୍ଵର ସହ ମୁଣ୍ଡବିନ୍ଧା, ଗଳା ଦରଜ, ଡାଇରିଆ, ବାନ୍ତି, ମାଂସପେଶୀରେ ଯନ୍ତ୍ରଣା ଓ ଶ୍ଵାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ। ଗୁରୁତର ଆକ୍ରାନ୍ତ ବ୍ୟକ୍ତି କୋମାକୁ ଚାଲିଯିବାର ଆଶଙ୍କା ରହିଛି। ତେଣୁ ନିୟମିତ ହାତ ଧୋଇବା ସହ ସଂକ୍ରମିତ ଘୁଷୁରି ଓ ବାଦୁଡ଼ିଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ।
ବିଶ୍ଵବ୍ୟାପୀ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ପଶୁଠାରୁ ମଣିଷକୁ ରୋଗ ବ୍ୟାପିବାର ଆଶଙ୍କା ବଢିଛି। ତେଣୁ ଏଭଳି ରୋଗ ବା ଜୁନୋଟିକ୍ ଡିଜିଜ୍ ର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏକ ରଣନୀତି ପ୍ରସ୍ତୁତ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୨୩ ମସିହାରେ ଏ ସମ୍ପର୍କିତ ଏକାଧିକ ବୈଠକ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଥିଲା। ୱାନ୍ ହେଲଥ୍ କାର୍ଯ୍ୟକ୍ରମ ଜରିଆରେ ଜୁନୋଟିକ୍ ରୋଗ ମୁକାବିଲା ପାଇଁ ରାଜ୍ୟର ୭ଟି ସେଣ୍ଟିନେଲ୍ ସାଇଟ୍ ରେ ଲ୍ୟାବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି କରାଯାଇଛି। ଏହା ସହ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଆକ୍ସନ୍ ପ୍ରସ୍ତୁତ ହେବା ସହ କେଉଁ ଜୁନୋଟିକ୍ ରୋଗ ଅଧିକ ବ୍ୟାପୁଛି ତାହାର ମ୍ୟାପିଂ କରାଯିବ। ତେବେ ଏହି ଯୋଜନା ଉପରେ କଣ ପଦକ୍ଷେପ ନିଆଯାଇଛି ତାହା ସମ୍ପର୍କରେ ସ୍ଵାସ୍ଥ୍ୟ ବିଭାଗରେ କିଛି ସ୍ପଷ୍ଟ ସୂଚନା ନାହିଁ।
ଏହି ଖବରଟିକୁ ପଢନ୍ତୁ- ରାଜ୍ୟସଭା ରେସ୍ : ୪ ସିଟ୍ ପାଇଁ ୪୦ ଦାବିଦାର୍, ଗଣିତରେ ବିଜେପିକୁ ୨ ବିଜେଡିକୁ ଗୋଟିଏ, ଶୂନ୍ୟରୁ ଓହ୍ଲାଇବେ ଚତୁର୍ଥ ପ୍ରାର୍ଥୀ !