ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ତାଙ୍କ ପ୍ରତ୍ୟର୍ପଣ ମାମଲା ରିଓପନ ଲାଗି ଆବେଦନ କରିଛନ୍ତି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାର ଅଭିଯୁକ୍ତ ନୀରବ ମୋଦୀ କହିଛନ୍ତି ଯେ, ଯଦି ତାଙ୍କୁ ଭାରତ ପଠାଯାଏ ତେବେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତାଙ୍କୁ ପଚରାଉଚରା ସମୟରେ ନିର୍ଯାତନା ଦେବେ। ସେ ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟରେ ତାଙ୍କ ପ୍ରତ୍ୟର୍ପଣ ମାମଲାର ପୁର୍ନବିଚାର ପାଇଁ ଅନୁରୋଧ କରିଛନ୍ତି ।  ନଭେମ୍ବର ୨୩ ତାରିଖରେ ଏହା ଉପରେ ଶୁଣାଣି ହେବାର ସମ୍ଭାବନା ରହିଛି।

ମାମଲା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି, ‘ଆମେ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଛୁ। ବର୍ତ୍ତମାନ ତାଙ୍କୁ ପଚରାଉଚରା କରିବାର କୌଣସି ଆବଶ୍ୟକତା ନାହିଁ। ଆମର ତଦନ୍ତ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ତାଙ୍କୁ କେବଳ ବିଚାରର ସମ୍ମୁଖୀନ ହେବାକୁ ପଡିବ। ଯଦି ୟୁକେ କୋର୍ଟ ପଚାରିବେ ତେବେ ଆମେ ତାଙ୍କୁ ଆଶ୍ୱସ୍ତ କରିପାରିବୁ ଯେ, ଭାରତ ଫେରିବା ପରେ ତାଙ୍କୁ ପଚରାଉଚରା କରାଯିବ ନାହିଁ । ଆମେ ପୂର୍ବରୁ ଏହି ପ୍ରତିଶ୍ରୁତି ଦେଇସାରିଛୁ।’

ନୀରବ ମୋଦୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୬,୪୯୮ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।  ସମସ୍ତ ତଦନ୍ତକାରୀ ସଂସ୍ଥା ସହମତ ଯେ, ତାଙ୍କୁ ପଚରାଉଚରା କରାଯିବାର ଆବଶ୍ୟକତା ନାହିଁ। ତାଙ୍କୁ ମାର୍ଚ୍ଚ ୨୦୧୯ ରେ ଗିରଫ କରାଯାଇଥିଲା। ସେ ବର୍ତ୍ତମାନ ୟୁକେ ଜେଲରେ ଅଛନ୍ତି ଏବଂ ପ୍ରତ୍ୟର୍ପଣ ପ୍ରକ୍ରିୟା ବିଚାରାଧୀନ ଅଛି।

ଭାରତ ବ୍ରିଟେନକୁ ଜଣାଇଛି ଯେ, ନୀରବଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲର ୧୨ ନମ୍ବର ବାରାକରେ ରଖାଯିବ, ଯେଉଁଠାରେ ହିଂସା କିମ୍ବା ଦୁର୍ବ୍ୟବହାରର କୌଣସି ବିପଦ ନାହିଁ । ଚିକିତ୍ସା ସୁବିଧା ଉପଲବ୍ଧ ଅଛି। ଏଜେନ୍ସିଗୁଡ଼ିକ ୟୁକେକୁ ଆଶ୍ୱାସନା ଦେଇଛନ୍ତି ଯେ, ନୀରବଙ୍କ ବିରୁଦ୍ଧରେ କୌଣସି ନୂତନ ଅଭିଯୋଗ ଦାଖଲ କରାଯିବ ନାହିଁ।