ନୂଆଦିଲ୍ଲୀ ୦୯/୦୯: ନାସା-ଇସ୍ରୋର ମିଳିତ ମିଶନ ନିସାର ଆସନ୍ତା ୩ ମାସରେ  କାମ ଆରମ୍ଭ କରିବ । ଗତ ଜୁଲାଇ ୩୦ରେ ଲଞ୍ଚ୍‌ ହେବା ପରେ ନାସା-ଇସ୍ରୋ ସିନ୍ଥେଟିକ୍‌ ଅପର୍ଚର ରାଡାର ଗୋଟିଏ  ପରେ ଗୋଟିଏ ନିଜର ଅଲଗା ଅଲଗା ଅଂଶକୁ ସକ୍ରିୟ କରିଛି ।  ଏହାର ୩୯ ଫୁଟ ଚଉଡ଼ା ରାଡାର ଆଣ୍ଟିନା ରିଫ୍ଲେକ୍ଟର ଗତ ଅଗଷ୍ଟ ୧୫ରେ ଖୋଲିଥିଲା । ଏହି ସାଟେଲାଇଟ୍‌ ପୃଥିବୀପୃଷ୍ଠ, ବରଫ, ଜଙ୍ଗଲ ଓ ଅଟ୍ଟାଳିକାଗୁଡ଼ିକର ଛୋଟ-ବଡ଼ ପ୍ରତ୍ୟେକ  ହଲ୍‌ଚଲ୍‌କୁ ବିସ୍ତୃତ ଭାବେ ସ୍କାନ୍‌ କରିବ । ଭୂକମ୍ପ, ଆଗ୍ନେୟଗିରି ଓ ଭୂସ୍ଖଳନ ଭଳି ପରିବର୍ତ୍ତନକୁ ଏହା ଟ୍ରାକ୍‌ କରିବ ।

ଏହାର ଏଲ୍‌ ବ୍ୟାଣ୍ଡ୍‌ ଓ ଏସ୍‌ ବ୍ୟାଣ୍ଡ୍‌ ରାଡାର ସିଷ୍ଟମ୍‌ ଚାଲୁ ହୋଇସାରିଛି । ଉଭୟ ମିଳିତ ଭାବେ ଜଙ୍ଗଲ, ବରଫ, ମାଟି,  ଆର୍ଦ୍ରତା ଓ ଭୂପୃଷ୍ଠର ଗତିବିଧିକୁ ମାପିବେ । ଏହି ସାଟେଲାଇଟ୍‌  ପ୍ରତି ୧୨ ଦିନରେ ପୃଥିବୀର ଅଧିକାଂଶ ଅଂଶକୁ ଦୁଇ ଥର  ସ୍କାନ୍‌ କରିବ, ଫଳରେ ଜଙ୍ଗଲ, ବରଫାବୃତ୍ତ ପୃଷ୍ଠ ଓ ଅଟ୍ଟାଳିକା  ଆଦିରେ ହେଉଥିବା ପରିବର୍ତ୍ତନର ସଠିକ୍‌ ସୂଚନା ମିଳିବ ।  ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ସତ୍ତେ୍ୱ ଏହି ରାଡାର  ନିରନ୍ତର କାମ କରିବେ ।

ସତୀଶ ଧୱନ ସ୍ପେସ୍‌ ସେଣ୍ଟର୍‌ରୁ ଲଞ୍ଚ୍‌ ହୋଇଥିବା ଏହି  ସାଟେଲାଇଟ୍‌ ଏବେ ୭୪୭ କିମି ଉଚ୍ଚ କକ୍ଷରେ ଅବସ୍ଥାପିତ  ହୋଇଛି । ଇସ୍ରୋର ଟେଲିମେଟ୍ରି, ଟ୍ରାକିଂ ଓ କମାଣ୍ଡ୍‌ ନେଟ୍‌ୱର୍କ  ଏହାକୁ ନିୟନ୍ତ୍ରଣ କରୁଛି । ଅନ୍ୟପକ୍ଷେ, ନାସାର ଜେଟ୍‌  ପ୍ରପଲ୍‌ଶନ ଲାବୋରେଟୋରୀ ଓ ଗୋଡାର୍ଡ ସ୍ପେସ୍‌ ଫ୍ଲାଇଟ୍‌ ସେଣ୍ଟର୍‌ ତଥ୍ୟ ପ୍ରବନ୍ଧନ କାମ କରୁଛି । ନିସାର୍‌ ଦ୍ୱାରା ପ୍ରଦତ୍ତ  ତଥ୍ୟ ବନ୍ୟା, ଭୂକମ୍ପ ଓ ଜଙ୍ଗଲର ସ୍ଥିତିକୁ ବୁଝିବାରେ ସହାୟକ  ହେବ । ଏହା ଦ୍ୱାରା ବିପର୍ଯ୍ୟୟ ପ୍ରବନ୍ଧନ ଓ ପରିବେଶ ସଂରକ୍ଷଣ  ମଜଭୁତ ହୋଇପାରିବ ।