ଭୁବନେଶ୍ଵର, ୩୧/୦୩ : ବିଜୁ ବାବୁଙ୍କୁ ନେଇ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ବରିଷ୍ଠ ବିଜୟ ମହାପାତ୍ର। କହିଲେ, ତୁଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ। ଜଣେ ଦାୟିତ୍ଵ ସମ୍ପନ୍ନ ସାଂସଦଙ୍କ ବିଜୁ ବାବୁଙ୍କ ପ୍ରତି ଏଭଳି ମନ୍ତବ୍ୟ ଅଗ୍ରହଣୀୟ ଏବଂ ଦୁର୍ଭାଗ୍ୟଜନକ। ବିଜୁ ବାବୁଙ୍କ ବିଷୟରେ କିଛି ନଜାଣି ପାଗଳ ଭଳି ବିବୃତ୍ତି ଦେଇଛନ୍ତି। ନିଶିକାନ୍ତ ଏଭଳି ମନ୍ତବ୍ୟ ଦେବା ସମସ୍ତଙ୍କୁ ଆଘାତ ଦେଇଛି। ଏଥିପାଇଁ ସେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ। ଭାରତ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
ବିଜୟ ପୁଣି କହିଛନ୍ତି ଯେ, ୧୯୬୨ ରେ ଚବାଟିଆ ତିଆରି ହୋଇନଥିଲା। ୧୯୬୩ ରେ ଚାରବାଟିଆ ତିଆରି ହୋଇଥିଲା। ଏହା ସମ୍ପୂର୍ଣ୍ଣ ଭାବେ ଏନଏସଏ ଅଧୀନରେ ରହିଥାଏ। ସେତେବେଳେ ସିଆଇଏ ମଧ୍ୟ ଗଠନ ହୋଇନଥିଲା। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ଭାରତ ସରକାର ତାଙ୍କୁ ଭାରତର ପ୍ରତିନିଧି ରୂପେ ପଠାଇଥିଲେ। ଯୁଦ୍ଧ ପରିଚାଳନାରେ ବିଜୁ ବାବୁଙ୍କ ଦକ୍ଷତା ଥିବାରୁ ତାଙ୍କୁ ଭାରତ ସରକାର ପଠାଇଥିଲେ।ନିଶିକାନ୍ତ ଦୁବେ ହେଉଛନ୍ତି ଜଣେ କର୍ପୋରେଟ୍ ଏଜେଣ୍ଟ।
ସେହିପରି ବିଜେଡି ନେତା ରାଜା ସ୍ଵାଇଁ କହିଛନ୍ତି ଯେ, ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟ, କୁତ୍ସିତ ମାନସିକତା। ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସି ଗୃହରେ ମନ୍ତବ୍ୟକୁ ଅଗ୍ରାହ୍ୟ ନକରୁଛନ୍ତି ସେପର୍ଯ୍ୟନ୍ତ ଦୁବେଙ୍କୁ ଏହି ମନ୍ତବ୍ୟ ଦେବା ପାଇଁ ବିଜେପି ତରଫରୁ ନିୟୋଜିତ କରାଯାଇଛି ବୋଲି ଧରି ନିଆଯିବ। ତେଣୁ ମୁଖ୍ୟମନ୍ତ୍ରୀ ନିଜେ ଦୁବେଙ୍କ ଟିପ୍ପଣୀକୁ ବିରୋଧ କରନ୍ତୁ ଓ ନିନ୍ଦା ପ୍ରସ୍ତାବ ଆଣାଯାଉ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡମ୍ କହିଛନ୍ତି ଯେ, ଓଡ଼ିଶାର ସ୍ୱାଭିମାନ ବିଜୁ ପଟ୍ଟନାୟକ। ବିଜୁ ବାବୁଙ୍କ ସାହସ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କର ବି ନାହିଁ। ପାରାଦୀପ ବନ୍ଦର, ହାଲ୍ ବିଜୁ ବାବୁଙ୍କ ଅବଦାନ। ପଣ୍ଡିତ ଜବାହରଲାଲ ନେହେରୁଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। କାଶ୍ମୀର ସମସ୍ୟା ଆଜି ଯାଏ ସମାଧାନ କରିପାରିଲେ ନାହିଁ। ଏମାନେ କହିବେ। ନିଶିକାନ୍ତ ଦୁବେଙ୍କୁ ଦେଶଦ୍ରୋହ ଆଇନରେ ଗିରଫ କରାଯାଉ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ କହିଛନ୍ତି ଯେ, ସଂସଦ ବାହାରେ ସାଂସଦ ନିଶିକାନ୍ତ ଦୁବେ ଯେଉଁ ନକାରାତ୍ମକ ଟିପ୍ପଣୀ ଦେଇଛନ୍ତି। ତାହା ସରକାରଙ୍କ ସଜ୍ଞାନକୁ ଆସିଛି। ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ତାଙ୍କ ବ୍ୟକ୍ତିଗତ ମତ। ଏଭଳି ଏକ ମନ୍ତବ୍ୟ କୌଣସି ମତେ ଗ୍ରହଣୀୟ ନୁହେଁ। ଏହି ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ଠୁ ନେଇ ଆମ ସଭିଙ୍କୁ ଗଭୀର ଭାବେ ବ୍ୟଥିତ କରିଛି। ଏପରି ମନ୍ତବ୍ୟ ଓ ପ୍ରତି ମନ୍ତବ୍ୟ ଆଉ ଯେପରି କେହି ନଦେବେ ସେଥିପାଇଁ ଆମେ ନିବେଦନ କରୁଛୁ। ଏହାକୁ ନେଇ କୌଣସି ରାଜନୀତି କରିବା ବିଜୁ ବାବୁଙ୍କ ସମ୍ମାନ ପ୍ରତି ଆଘାତ ଦେବ।
ଏହି ଖବରଟିକୁ ପଢନ୍ତୁ- 'ବିଜୁ ବାବୁଙ୍କୁ ଅପମାନ ଚଳିବ ନାହିଁ': ଏକ ହେଲେ ବିଜେଡି ଓ କଂଗ୍ରେସ, କମ୍ପିଲା ଗୃହ