ପୁରୀ,୨୪/୦୬: ଗଜପତି ମହାରାଜାଙ୍କ ନିକଟରେ ପହଞ୍ଚିଥିଲା ମହାପ୍ରଭୁଙ୍କ ସୁସ୍ଥ ଖବର । ଏହାପରେ ଠାକୁରେ ଅଣସର ପିଣ୍ଡିରୁ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଣୁ ସେବକମାନେ ଠାକୁରଙ୍କ ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣିବା ପାଇଁ ଲାଗିଛନ୍ତି । ସୋମବାର ଅପରାହ୍ନରେ ଶୁଦ୍ଧ ସୁଆର ସେବକଙ୍କ ଘରୁ ଘଣ୍ଟ, ଘଣ୍ଟା ଓ କାହାଳୀର ପଟୁଆରରେ ଖଳି ପ୍ରସାଦ ଶ୍ରୀମନ୍ଦିରକୁ  ବିଜେ କରାଯାଇଛି। ପବିତ୍ର ଆଷାଢ଼ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହୋଇଥିଲା। 

ଶୁଦ୍ଧ ସୁଆରଙ୍କ ଘରୁ ଆସିଥିବା ଖଳି ରୁପା ପିଙ୍ଗଣରେ ରଖି ଦଇତାପତିମାନେ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିଥିଲେ ।  କର୍ପୂର, କେଶର ଓ କସ୍ତୁରୀ ମିଶ୍ରିତ ଦିବ୍ୟ  ଖଳି ଠାକୁରଙ୍କୁ ଲାଗି କରାଯାଇଥିଲା । ଶୁଦ୍ଧସୁଆର ଘରର ସଧବା ସ୍ତ୍ରୀ  ଲୋକମାନେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ  ଏହି ଖଳିକୁ ପ୍ରସ୍ତୁତ କରିଥିଲେ । ମଣିଷ  ଶରୀରରେ ଶିରା, ପ୍ରଶିରା ଓ ଅନ୍ତନାଡ଼ି  ପରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅକ୍ଷାଂଶ  ଓ ଦ୍ରାଘିମା ରେଖା ପରି ବିଭିନ୍ନ ଛାନ୍ଦ  ପଡି ପାଟ ଡୋର ଲାଗି କରାଯାଇଥିଲା । ବିଶ୍ୱାବସୁଙ୍କ ଭଳି ମହାପ୍ରଭୁଙ୍କ ଅନବସରରେ ଦଇତାପତି ଠାକୁରଙ୍କ ସେବା କରିଥିଲେ। ଶୁଦ୍ଧ ସୁଆରଙ୍କ ଖଳି ପ୍ରସାଦ ଲାଗି ହେଲା ପରେ ଖଡ଼ି ପ୍ରସାଦ ବିଜେର ପରମ୍ପରା ରହିଛି ।  ମହାପ୍ରଭୁଙ୍କ ସେବକ ଦତ୍ତମହାପାତ୍ରଙ୍କ ଘରୁ ଖଡ଼ିପ୍ରସାଦ ବିଜେ ହୋଇଥାଏ ।  ଏହାପରେ ଶ୍ରୀଜିଉ ପୂର୍ବାବସ୍ଥାକୁ ଫେରନ୍ତି  ବୋଲି କୁହାଯାଏ । 

ପ୍ରମୁଖ ଦତ୍ତମହାପାତ୍ର ସେବକ  ମଦନମୋହନ ଦତ୍ତମହାପାତ୍ର କୁହନ୍ତି  ଅନବସର ଦ୍ୱାଦଶୀଦିନ(ଖଡ଼ିଲାଗି ପୂର୍ବଦିନ)ରୁ ଫୁଲଖଡ଼ିକୁ ଯଥାବିଧି ପ୍ରସ୍ତୁତ କରାଯାଇ ପାଳିଆ ଦତ୍ତମହାପାତ୍ର  ତାଙ୍କ ଘରେ ଆଣି ଅଧିବାସରେ  ରଖନ୍ତି । ତ୍ରୟୋଦଶୀ ଦିନ ଶ୍ରୀମନ୍ଦିର  ଭୋଗମଣ୍ଡପ ନୀତି ସରିବା ପରେ ଦତ୍ତ  ମହାପାତ୍ରଙ୍କ ଘରୁ ଖୁବ୍‌ ସୁସଜ୍ଜିତ ଫୁଲ  ଓ ବାରଲାଗି ପାଟରେ ଏହି ଖଡ଼ି ପ୍ରସାଦ  ଘଣ୍ଟ, ଛତା, ମଶାଲ, ବାଜା ଓ ବିଜେ କାହାଳି ବାଜି ବନ୍ଦାପନା ହେବା ପରେ  ଏହା ଶ୍ରୀମନ୍ଦିରକୁ ବିଜେ ହୋଇଥାଏ । ଶ୍ରୀମନ୍ଦିର ବେହେରଣ ଦ୍ୱାର ଦେଇ  ତାଟି ମଧ୍ୟରେ ପ୍ରବେଶ କରିବା ପୂର୍ବରୁ  ତିନୋଟି ରୁପା ପିଙ୍ଗଣରେ କର୍ପୁର  ଜଳ ସହିତ ଖଡ଼ି ପ୍ରସାଦକୁ ଗୋଳାଇ  ଦିଆଯାଏ । ଏହି ତିନୋଟି ରୁପା ପିଙ୍ଗଳ  ମଧ୍ୟରେ ତିନୋଟି ରୁପାଗଡ଼ୁ ମଧ୍ୟ ରଖି  ଦିଆଯାଏ । ପତିମହାପାତ୍ରଙ୍କୁ ସାଙ୍ଗରେ  ନେଇ ତାଟି ଭିତରେ ଏହି ଖଡ଼ି ପ୍ରସାଦ  ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ମଣ୍ଡଳରେ ଲାଗି ହୋଇଥାଏ । ଖଡ଼ି ପ୍ରସାଦ ଲାଗି ହୋଇ  ସାରିବା ପରେ ପୁନଶ୍ଚ ତିନି ଜଣ  ଦତ୍ତ ମହାପାତ୍ର ସେବକ ୩ଟି ରୁପା  ପିଙ୍ଗଣରେ ଏହି ଖଡ଼ି ପ୍ରସାଦକୁ ଧରି  ଦଇତାପତିମାନଙ୍କ ସହ ଖଡ଼ି ପ୍ରସାଦ  ବିଜେରେ ଶ୍ରୀନଅରକୁ ଆସିଥାନ୍ତି ।  ଏହି ଖଡ଼ି ପ୍ରସାଦ ଶ୍ରୀନଅରରେ ଥିବା ଠାକୁରମାନଙ୍କୁ ଲାଗି କରାଯାଏ ।