ନୂଆଦିଲ୍ଲୀ,୮।୩:  ସଡ଼କ ସୁରକ୍ଷା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ।  ସେ ତୁରନ୍ତ ଏବଂ ପ୍ରଭାବଶାଳୀ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶ ଅନୁକୂଳ ନିର୍ମାଣ ସାମଗ୍ରୀ ଗ୍ରହଣ କରି ସଡ଼କ ସୁରକ୍ଷାକୁ ଉନ୍ନତ କରିବା ପାଇଁ ରଣନୀତି ବିକଶିତ କରିବାକୁ ସେ ରାସ୍ତା ନିର୍ମାଣ ଉଦ୍ୟୋଗକୁ ନିବେଦନ କରିଛନ୍ତି।

ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇ ଦିନିଆ ଗ୍ଲୋବାଲ୍ ରୋଡ୍ ଇନଫ୍ରାଟେକ୍ ସମ୍ମିଳନୀ ଏବଂ ଏକ୍ସପୋ (GRIS)ରେ ଭାଷଣ ଦେଇ ଗଡକରୀ କହିଛନ୍ତି ଯେ ଭାରତରେ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ହେଉଛି ଖରାପ ସିଭିଲ୍ ଇଞ୍ଜିନିୟରିଂ, ତ୍ରୁଟିପୂର୍ଣ୍ଣ ରାସ୍ତା ଡିଜାଇନ୍ ଏବଂ ଅନୁପଯୁକ୍ତ ରାସ୍ତା ସାଇନ୍ ଏବଂ ମାର୍କିଂ ସିଷ୍ଟମ୍। ସେ କହିଥିଲେ, ସ୍ପେନ, ଅଷ୍ଟ୍ରିଆ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ଦେଶଗୁଡ଼ିକରୁ ଶିକ୍ଷା ନେଇ ଏହି ତ୍ରୁଟିଗୁଡ଼ିକୁ ସୁଧାର କରାଯାଇପାରିବ। ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ଥିଲା "ଭିଜନ ଜିରୋ: ସ୍ଥାୟୀ ଇନଫ୍ରାଟେକ୍ ଏବଂ ସୁରକ୍ଷିତ ସଡ଼କ ପାଇଁ ନୀତି।’

ଭାରତରେ ପ୍ରତିବର୍ଷ ୪,୮୦,୦୦୦ ସଡ଼କ ଦୁର୍ଘଟଣା ଘଟେ, ଯେଉଁଥିରେ ୧,୮୦,୦୦୦ ଲୋକ ମୃତ୍ୟୁବରଣ କରନ୍ତି। ଏବଂ ପ୍ରାୟ ୪,୦୦,୦୦୦ ଲୋକ ଗୁରୁତର ଆହତ ହୋଇଛନ୍ତି। ଏଥିମଧ୍ୟରୁ ୧,୪୦,୦୦୦ଙ୍କ ମୃତ୍ୟୁ ୧୮-୪୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ ଘଟେ, ଯେଉଁଥିରେ ଦୁଇଚକିଆ ଯାନ ଆରୋହୀ ଏବଂ ପଦଯାତ୍ରୀଙ୍କ ସଂଖ୍ୟା ଅଧିକ ଥାଏ। ଗଡକରୀ କହିଛନ୍ତି ଯେ ଏହି ଦୁର୍ଘଟଣାଗୁଡ଼ିକ ଭାରତର GDPକୁ ୩ ପ୍ରତିଶତ ଆର୍ଥିକ କ୍ଷତି ପହଞ୍ଚାଏ। ଗଡକରୀ କହିଛ, ଖରାପ ରାସ୍ତା ଡିଜାଇନ୍ ଏବଂ ଭୁଲ ଯୋଜନା ପାଇଁ ଇଞ୍ଜିନିୟରମାନେ ମଧ୍ୟ ଦାୟୀ। ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାର ଏକ କାରଣ ଭାବରେ ସେ ଖରାପ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ସରକାରଙ୍କ ଲକ୍ଷ୍ୟ ୨୦୩୦ ସୁଦ୍ଧା ସଡ଼କ ଦୁର୍ଘଟଣାକୁ ୫୦ ପ୍ରତିଶତ ହ୍ରାସ କରିବା, ଯାହା ପାଇଁ ବଡ଼ ପରିମାଣରେ କାମ କରାଯାଉଛି।