ନୂଆଦିଲ୍ଲୀ,୨୦/୦୧: ବିଜେପିରେ ନୀତିନ ନବୀନ ଯୁଗ ଆରମ୍ଭ ହୋଇଛି । ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ୪୫ ବର୍ଷୀୟ ନୀତିନ ନବୀନ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିର ୧୨ତମ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇଛି । ଗତକାଲି ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ତାଙ୍କ ସପକ୍ଷରେ ୩୮ ସେଟ୍ ନାମାଙ୍କନ ଦାଖଲ ହୋଇଥିଲା । ପ୍ରଧାନମନ୍ତରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଟପ୍ ନେତା ପ୍ରସ୍ତାବକ ଥିଲେ । ନୀତିନଙ୍କ ଦାୟିତ୍ୱ ଗ୍ରହଣ ବିଜେପିର ସଂକଳ୍ପ ପର୍ବରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବଡ଼ ସେଲିବ୍ରେସନ ହୋଇଛି । ବହୁ ନେତା-ମନ୍ତ୍ରୀ ସମତେ ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ସମାରୋହରେ ସାମିଲ ହୋଇଛନ୍ତି । ପୂର୍ବ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର  ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ କେନ୍ଦ୍ରମନ୍ତ୍ର ନୀତିନ ଗଡ଼କରୀ ନବନିର୍ବାଚିତ ବିଜେପି ଅଧ୍ୟକ୍ଷଙ୍କୁ ପୁଷ୍ପମାଳ ପକାଇ ସମ୍ୱର୍ଦ୍ଧ୍ୱନା ଜଣାଇଛନ୍ତି ।

​​​​​​​ଦାୟିତ୍ୱ ନେବା ପରେ ନୀତିନ ନବୀନ କହିଛନ୍ତି, '' ଆଜିର ମୁହୂର୍ତ୍ତ ମୋ ପାଇଁ ସଂକଳ୍ପର ମୁହୂର୍ତ୍ତ । ଆଜି, ମୁଁ କେବଳ ଏକ ପଦବୀ ଗ୍ରହଣ କରୁନାହିଁ ବରଂ ଦଳର ବିଚାରଧାରା, ପରମ୍ପରା ଏବଂ ଏକ ଜାତୀୟତାବାଦୀ ଆନ୍ଦୋଳନର ଦାୟିତ୍ୱକୁ ଗ୍ରହଣ କରୁଛି । ୧୪୦ କୋଟି ଭାରତୀୟ ଏକ ବିକଶିତ ଭାରତର ସ୍ୱପ୍ନ ସହିତ ନିଜକୁ ଯୋଡୁଛନ୍ତି ଏବଂ ଦେଶକୁ ଆଗକୁ ନେବା ପାଇଁ କାମ କରୁଛନ୍ତି । ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ମୋର ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି । ମୋ ପରି ଜଣେ ସାଧାରଣ କର୍ମୀଙ୍କୁ ଦଳର ଏହି ସର୍ବୋଚ୍ଚ ପଦବୀରେ ପହଞ୍ଚିବାର ସୁଯୋଗ ଦେଇଛନ୍ତି, ଏବଂ ଏଥିପାଇଁ ମୁଁ ଆପଣମାନଙ୍କୁ ପ୍ରଣାମ କରୁଛି। ପ୍ରଧାନମନ୍ତ୍ରୀ । ସାଧାରଣ କର୍ମୀ ଭାବରେ, ସବୁବେଳେ ଦୂରରୁ ଦେଖିଛୁ ଯେ ଆପଣ କିପରି ନିରନ୍ତର ଭାବରେ ରାଷ୍ଟ୍ରର ସେବା ପାଇଁ କାର୍ଯ୍ୟ କରୁଛନ୍ତି।"

ଲୋକସଭା ନିର୍ବାଚନ ୨୦୨୪ ପରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ନଡ୍ଡାଙ୍କ ବିକଳ୍ପ ଭାବେ ନୀତିନ ନବୀନଙ୍କୁ ଚୟନ କରାଯାଇଥିଲା । ବିଜେପି ନୀତିନଙ୍କୁ ଡିସେମ୍ବରରେ ପାର୍ଟି କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରି ସମସ୍ତଙ୍କୁ ଚକିତ କରିଥିଲା । ଏବେ ସେ ସ୍ଥାୟୀ ଭାବେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ।