ଭୁବନେଶ୍ୱର, ୨୧/୦୪: ଏଣିକି ଆଉ ବାୟୋମେଟ୍ରିକ୍‌ରେ ଟିପ୍‌ ଚିହ୍ନ ଦେଇ  ଖସି ପାରିବେ ନାହିଁ ଅଧ୍ୟାପକ । ମେଡିକାଲ  କଲେଜରେ ଅଧ୍ୟାପକ ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ କରାଯାଇଛି । ସରକାରୀ ହେଉ ବା ଘରୋଇ ମେଡିକାଲ  କଲେଜରେ ଅଧ୍ୟାପକଙ୍କ ଉପସ୍ଥିତି ପାଇଁ କଡ଼ା ନିର୍ଦ୍ଦେଶ ଦେଇଛି ନ୍ୟାସନାଲ ମେଡିକାଲ  କମିଶନ (ଏନ୍‌ଏମ୍‌ସି) । ଏହି ନିୟମ ମେ  ୧ରୁ ମେଡିକାଲ କଲେଜରେ ଲାଗୁ କରିବା  ଲାଗି ଏନ୍‌ଏମ୍‌ସି ଏହା ଅଧୀନରେ ଥିବା ସବୁ  ମେଡିକାଲ୍‌ କଲେଜ ବା ଅନୁଷ୍ଠାନକୁ ନୋଟିସ୍‌  ଦେଇଛି । 

ନୋଟିସ୍‌ରେ ଉଲ୍ଳେଖ ରହିଛି  ଯେ,କଲେଜର ବିଭିନ୍ନ ସ୍ଥାନରେ ଜିପିଏସ୍‌ ଲୋକେସନ୍‌କୁ ଏନ୍‌ଏମ୍‌ସିକୁ ଜଣାଇ ଦିଆଯିବ । ଜିପିଏସ୍‌ ଲୋକେସନ୍‌ର ୧୦୦ ମିଟର ପରିଧି  ମଧ୍ୟରେ ଉପସ୍ଥାନ ଦେଇହେବ । ଯେଉଁଠାରେ  ମୋବାଇଲ୍‌ ଆପ୍‌ ମାଧ୍ୟମରେ ଉପସ୍ଥାନ ଦେବା  ସହଜ ହେବ ସେହି ସ୍ଥାନକୁ ଏନ୍‌ଏମ୍‌ସିକୁ ଜଣାଇବାକୁ ପଡିବ । ଏହାପରେ କଲେଜର ସମସ୍ତ ଅଧ୍ୟାପକ  ‘ଫେସ୍‌ ବେସ୍‌ଡ ଆଧାର ଅଥେଣ୍ଟିକେସନ୍‌’ ଆପ୍‌କୁ ନିଜ ନିଜ ମୋବାଇଲ୍‌ ଫୋନ୍‌ରେ  ଇନ୍‌ଷ୍ଟଲ୍‌ କରିବାକୁ ପଡିବ । ଏହି ଆପ୍‌ ଏପ୍ରିଲ ୨୪ ତାରିଖଠାରୁ ସକ୍ରିୟ ହେବ । ଏହାକୁ ସକ୍ରିୟ କରିବାରେ ଅସୁବିଧା ହେଲେ ଏପ୍ରିଲ ୩୦  ତାରିଖ ପୂର୍ବରୁ ଏନ୍‌ଏମ୍‌ସିକୁ ଜଣାଇବାକୁ  ପଡିବ । ଏହାପରେ ମେ ୧ ତାରିଖଠାରୁ ମୁହଁ ଆଧାରିତ ଉପସ୍ଥାନ କାର୍ଯ୍ୟକାରୀ ହେବ । ପୂର୍ବରୁ ମେଡିକାଲ କଲେଜରେ ଅଧ୍ୟାପକମାନେ  ବାୟୋମେଟ୍ରିକ୍‌ରେ ଟିପ ଚିହ୍ନ ଦେଇ ଖସି ପଳାଉଥିଲେ । ଏହି ଖବର ଏନ୍‌ଏମ୍‌ସି ପାଖରେ ପହଞ୍ଚିଲା ପରେ ଏହି ନୂଆ ବ୍ୟବସ୍ଥା  ଗ୍ରହଣ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।