ନୂଆଦିଲ୍ଲୀ, ୦୪/୦୯ : ଝିଅ ବିଦା ବେଳେ ଯୌତୁକରେ ସୁନା ଗହଣା ନୁହେଁ, ଖଣ୍ଡା ଓ ବନ୍ଧୁକ ଦିଅ। ନାରୀ ସୁରକ୍ଷାକୁ ନେଇ ୟୁପି ବାଗପତ ଠାକୁର ସମାଜର ବଡ଼ ନିଷ୍ପତ୍ତି। ମହାପଞ୍ଚାୟତ ମଞ୍ଚରେ ଘୋଷଣା କଲେ ଅଖିଳ ଭାରତୀୟ ଆଞ୍ଚଳିକ ମହାସଭାର ଅଧ୍ୟକ୍ଷ ଠାକୁର କୁଅଁର ଅଜୟ ପ୍ରତାପ ସିଂ। ସେ କହିଛନ୍ତି ଯେ, ଏବେ ସମୟ ଆସିଛି ସମାଜରେ ନାରୀ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉ। 

ମହାସଭା ଅଧ୍ୟକ୍ଷ କହିଛନ୍ତି ଯେ, ଆମେ ପୁରୁଣା ପରମ୍ପରାକୁ ଭୁଲିବାକୁ ବସିଲେଣି। ପୂର୍ବରୁ ଯେତେବେଳେ କନ୍ୟାଦାନ ହେଉଥିଲା , ସେତେବେଳେ ଆତ୍ମରକ୍ଷା ପାଇଁ ଅସ୍ତ୍ର ଦିଆଯାଉଥିଲା। ହେଲେ ଏବେ ପରିସ୍ଥିତି ବଦଳିଛି। ଝିଅବିଦା ବେଳେ ଯୌତୁକରେ ସୁନା ଗହଣା, ଟଙ୍କା ଦିଆଯାଉଛି। ହେଲେ ଏହା ସେମାନଙ୍କୁ ସୁରକ୍ଷା ଦେଇପାରିବ ନାହିଁ। ଯଦି ସେମାନେ ସୁନା ପିନ୍ଧି ବଜାରକୁ ଯିବେ ତାହେଲେ ଲୁଟ୍‌ର ଶିକାର ହେବେ। ତେଣୁ ଝିଅବିଦା ବେଳେ ସୁନା-ଗହଣା ଦିଅ କି ନଦିଅ ଖଣ୍ଡା-ବନ୍ଧୁକ ନିଶ୍ଚୟ ଦିଅ। 

କୁଅଁର ଅଜୟ ପ୍ରତାପ ପୁଣି କହିଛନ୍ତି ଯେ, ଝିଅମାନେ ନିଜର ସୁରକ୍ଷା ପାଇଁ ସକ୍ଷମ ହେବା ନିହାତି ଜରୁରୀ। ଯେଉଁଭଳି ଭାବେ ଆମେ ଆମ ପୁଅଙ୍କୁ ସକ୍ଷମ କରୁଛେ, ସେହିଭଳି ଝିଅଙ୍କୁ ବି ସଶକ୍ତ କରିବା ଉଚିତ୍। ତେଣୁ ଝିଅଙ୍କୁ ଆତ୍ମରକ୍ଷା କୌଶଳ ଶିଖାଯିବା ନିତାନ୍ତ ଆବଶ୍ୟକ। ତେବେ ମହାପଞ୍ଚାୟତରେ ଉପସ୍ଥିତ ଥିବା ସବୁ ଲୋକ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।