ଭୁବନେଶ୍ଵର, ୧୫/୦୧ : ପଶ୍ଚିମବଙ୍ଗରେ ବଢିନି ସଂକ୍ରମିତଙ୍କ ସଂଖ୍ୟା। ଓଡ଼ିଶାକୁ ନାହିଁ ନିପା ଭୟ। ଏନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ନିର୍ଦ୍ଦେଶ ନଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ନାହିଁ। 

ସୂଚନା ଥାଉକି, ପଶ୍ଚିମବଙ୍ଗରେ ନିପା ଭାଇରସରେ ଦୁଇ ଜଣ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଭାରତ ସରକାର ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶନାମା ଜାରି କରି ନାହାନ୍ତି। ୨୦୨୩ ମାର୍ଗଦର୍ଶିକାକୁ ପାଳନ କରାଯାଉଛି। କେନ୍ଦ୍ର ନିର୍ଦ୍ଦେଶ ନ ଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ନାହିଁ। ଓଡ଼ିଶାରେ ନିପା ଭାଇରସ ରୋଗୀ ଚି଼ହ୍ନଟ ହୋଇନି। ଭାରତ ସରକାରଙ୍କ ଏକ ଟିମ୍ ପଶ୍ଚିମବଙ୍ଗ ଯାଇ କାମ କରୁଛନ୍ତି। ଓଡ଼ିଶା ସରକାର ବି କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି। ପଶ୍ଚିମବଙ୍ଗରର ମାତ୍ର ଦୁଇଟି ମାମଲା ଆସିଛି, ହେଲେ ବ୍ୟାପିବାର ଖବର ଆସିନାହିଁ। ଯେଉଁଥି ପାଇଁ ଓଡ଼ିଶାକୁ ବର୍ତ୍ତମାନ ଭୟ କରିବା ଦରକାର ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ପଶ୍ଚିମବଙ୍ଗରେ ନିପା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ  ଓଡ଼ିଶାରେ ଏବେ ସତର୍କ ଘଣ୍ଟି ବାଜିଛି। ବିଶେଷକରି ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସଂକ୍ରମିତ ଘୁଷୁରୀ, ବାଦୁଡିଙ୍କ ଠାରୁ ଏହି  ଭୂତାଣୁ ମଣିଷର ଶରୀର ଆସିବା ପରେ ଲୋକଙ୍କ ମଧ୍ୟରେ କ୍ଷୀପ୍ର ଗତିରେ ବ୍ୟାପିଥାଏ । ତେଣୁ ସଚେତନ ଓ ସତର୍କତା ହିଁ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇଛନ୍ତି । ବାହାରୁ ଫେରୁଥିବା ଲୋକେ ଯଦି ଦୀର୍ଘଦିନ ଧରି ଥଣ୍ଡା, ଜ୍ୱର, ମୁଣ୍ଡ ବିନ୍ଧା  ଆଦି ରୋଗରେ ପୀଡ଼ିତ ରହିବେ, ସଙ୍ଗେ ସଙ୍ଗେ  ଡାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ ଦେଇଛି  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। 

ବଡ଼କଥା ହେଉଛି, ଏପର୍ଯ୍ୟନ୍ତ ନିପାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇନି । ଏପରିକି ବିଭାଗୀୟ ସୋସିଆଲ ମିଡିଆ ଫେସବୁକ୍‌, ଏକ୍ସରେ ମଧ୍ୟ କୌଣସି ସଚେତନ  କରାଯାଉନି । କେବଳ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିଁ ଯାହା ସଚେତନ କରୁଛି । ହେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ନିରବ ପାଲଟିଯାଇଛି ।  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ରଙ୍କ  କହିବା କଥା, ଓଡ଼ିଶାରେ ଏପର୍ଯ୍ୟନ୍ତ ନିପା ସଂକ୍ରମିତର କୌଣସି ମାମଲା ଦେଖାଯାଇନି କି କେନ୍ଦ୍ରରୁ କୌଣସି  ମାର୍ଗଦର୍ଶିକା ଆସିନି । ତଥାପି ସଚେତନ ରହିବାକୁ  ପଡ଼ିବ ବୋଲି ସେ କହିଛନ୍ତି ।  

ପ୍ରକାଶଥାଉକି, ପଶ୍ଚିମବଙ୍ଗର ଉତ୍ତର  ୨୪ ପ୍ରଗଣାରେ ଥିବା ଘରୋଇ ହସ୍ପିଟାଲରେ  ୨ଜଣ ନର୍ସ ନିପା ଭୂତାଣୁରେ ସଂକ୍ରମିତ  ହୋଇଛନ୍ତି । ସେମାନଙ୍କଠାରେ ରହିଥିବା ଲକ୍ଷଣ  ନିପା ଭୂତାଣୁ ବୋଲି ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ  ହୋଇଛି । ସଂକ୍ରମଣ ରୋକିବାକୁ ଏକ ଜାତୀୟ  ଯୁଗ୍ମ ସଂକ୍ରମଣ ରେସପନ୍ସ ଦଳ ଗଠନ ହୋଇଛି ।  ତେବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରତିଦିନ ଲୋକଙ୍କ  ଯିବାଆସିବା ଲାଗି ରହିଥିବାରୁ ଓଡ଼ିଶା ପାଇଁ  ଏହା ଭୟ ବଢ଼ାଇଛି । ଏହାପୂର୍ବରୁ ୧୯୯୮-୯୯  ମସିହାରେ ମାଲେସିଆ ଓ ସିଙ୍ଗାପୁରରେ ନିପା  ବ୍ୟାପିଥିଲା । ୨୦୦୧ରେ ବାଂଲାଦେଶ, ପଶ୍ଚିମବଙ୍ଗର  ସିଲିଗୁଡି, ୨୦୦୭ରେ ପଶ୍ଚିମବଙ୍ଗର ନଦିଆ,  ୨୦୧୮, ୨୦୨୫ରେ କେରଳ ଓ ୨୦୧୪ରେ  ଫିଲିପାଇନ୍ସରେ ନିପା ଚିହ୍ନଟ ହୋଇଥିଲା । ବଡ଼କଥା,  ଏପର୍ଯ୍ୟନ୍ତ ନିପାର କୌଣସି ଟିକା ବାହାରିନି ବୋଲି ଡାକ୍ତର ବ୍ରଜ କିଶୋର ଦାଶ କହିଛନ୍ତି ।