ବ୍ରହ୍ମପୁର, ୨୮/୩ : ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ ଯକ୍ଷ୍ମା ଓ ଛାତି ରୋଗ ବିଭାଗରେ ରୋଗୀଙ୍କୁ ଯନ୍ତ୍ରଣା। ପୁରୁଣା କୋଠାରେ ହିଁ ଚାଲିଛି   ରୋଗୀ ଚିକିତ୍ସା। ର‌୍ୟାମ୍ପ ନାହିଁ କି ଲିଫ୍ଟ ବି ନାହିଁ । ବିପଜ୍ଜନକ ଭାବେ ଉପର ମହଲାକୁ ରୋଗୀ ବୁହା ହେଉଛି । ଷ୍ଟ୍ରେଚର୍‌ରୁ କେହି ପଡ଼ିଯିବାର ବି ଆଶଙ୍କା ରହିଛି।ଚାଲିପାରୁଥିବା ରୋଗୀ କଷ୍ଟମଷ୍ଟରେ ସିଡି ଚଢ଼ି ଉପର ମହଲାକୁ ଯାଉଛନ୍ତି। କିନ୍ତୁ ଯେଉଁ ରୋଗୀ ଚାଲିପାରୁନାହାନ୍ତି। ତାଙ୍କୁ ଷ୍ଟ୍ରେଚରରେ ବୁହାଯାଉଛି। ଉପର ମହଲାକୁ ନେବା ଅତି କଷ୍ଟଦାୟକ। ଏମିତିକି ରୋଗୀର ମୁହଁରୁ ଅକ୍ସିଜେନ ବାହାର କରି ତାଙ୍କୁ ଷ୍ଟ୍ରେଚରରେ ଉପର ମହଲାକୁ ବୁହାଯାଉଛି। ପୁରୁଷୋତ୍ତମପୁର ଅଞ୍ଚଳରୁ ଜଣେ ରୋଗୀ କାଜୁଆଲ୍‌ଟିକୁ ଆସିଥିଲେ। ସେଠାରେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଯକ୍ଷ୍ମା ଓ ଛାତି ରୋଗ ବିଭାଗ ଇନ୍‌ଡୋରକୁ ପଠାଇଥିଲେ। ବ୍ୟାଟେରୀଚାଳିତ ଗାଡ଼ିରେ ତାଙ୍କୁ ଇନ୍‌ଡୋରକୁ ଅଣାଯାଇଥିଲା। ସେ ଗୁରୁତର ଥିବାରୁ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଥିବାରୁ ତାଙ୍କୁ ଅକ୍ସିଜେନ୍‌ ନେବାକୁ ପଡିବ। ଆଉ ଦୁଇଜଣ ଲୋକ ଆସିବା ପରେ ସେହି ରୋଗୀଙ୍କ ଅକ୍ସିଜେନ୍‌ ଲଗାଯାଇଥିଲା। ଆଟେଣ୍ଡାଣ୍ଟ ରୋଗୀଙ୍କୁ ଆଣି ତଳେ କିଛି ସମୟ ଅପେକ୍ଷା କଲେ।  କାରଣ ରୋଗୀକୁ ଷ୍ଟ୍ରେଚର୍‌ରେ ବୋହି ଉପର ମହଲାକୁ ବାହାର କରାଯାଇଥିଲା ଏବଂ ତାଙ୍କୁ ଷ୍ଟ୍ରେଚର୍‌ରେକାନ୍ଧରେ ବୋହି ଉପର ମହଲାକୁ ନେଇଥିଲେ । ଏହି ୱାର୍ଡରେ ୪୦ଟି ଶଯ୍ୟା ଥିବା ବେଳେ ଅଧିକ ରୋଗୀ ଆସୁଛନ୍ତି। 

ଏହି ବିଭାଗରେ ସଂକ୍ରମଣ ବ୍ୟାପୁଥିବାରୁ ଅଧିକ ସତର୍କ ରହିବାକୁ ଡାକ୍ତର କହୁଛନ୍ତି। କିନ୍ତୁ ଶଯ୍ୟା କମ୍‌ ଥିବାରୁ ରୋଗୀଙ୍କୁ ତଳେ ଶୋଇବାକୁ ପଡୁଛି। ଏଠାରୁ ସୁସ୍ଥ ହୋଇ ଫେରିବା ବଦଳରେ ରୋଗୀ ଅଧିକ ଗୁରୁତର ହେଉଥିବା ଅଭିଯୋଗ ହେଉଛି। ସେପଟେ ଅଭିଯୋଗକୁ ସ୍ୱୀକାର କରିଛନ୍ତି ଏମ୍‌କେସିଜି ଡିନ୍‌ ପ୍ରଫେସର ଡା.ସୁଚିତ୍ରା ଦାଶ । ସେ କହିଛନ୍ତି, ଏହି ବିଭାଗରେ ତଳେ ଆଇସିୟୁ କରାଯାଇଛି। ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚରରେ ନନେଇ ତଳେ ହିଁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ଅନ୍ୟପକ୍ଷରେ ୯୩୦ କୋଟି ଟଙ୍କାରେ ଡାକ୍ତରଖାନାରେ ୯ ମହଲା କୋଠା ହେବାକୁ ଯାଉଛି । ସେହି କୋଠାକୁ ଏହି ବିଭାଗ ସ୍ଥାନାନ୍ତର ପାଇଁ ଯୋଜନା ହୋଇଛି । ବହୁ ପୁରୁଣା କୋଠାରେ ଯକ୍ଷ୍ମା ଓ ଛାତି ରୋଗ ବିଭାଗ ଥିବାରୁ ଏବେ ସମସ୍ୟା ହେଉଛି ।