ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ତୀବ୍ର ସଂଘର୍ଷ ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଗତ ସାତ ଦିନ ଧରି ଜନସାଧାରଣୀ ମଞ୍ଚରୁ ଅନୁପସ୍ଥିତ ରହିଛନ୍ତି। ଯାହାକୁ ନେଇ ସମଗ୍ର ଦେଶରେ ଚିନ୍ତା ଓ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ତେବେ ମିଳିଥିବା ସୂଚନା ଅନୁଯାୟି ଏହି ୮୬ ବର୍ଷୀୟ ନେତା ଗୁପ୍ତ ଭୂମିଗତ ବଙ୍କରରେ ଲୁଚିଥିବା ନେଇ ଖବର ମିଳିଛି। ଯେଉଁଠାରେ ତାଙ୍କୁ ରେଭୋଲ୍ୟୁସନାରୀ ଗାର୍ଡ଼ସର ଏକ ଗୋପନୀୟ ବାହିନୀ ‘ଭାଲି-ୟେ ଆମ୍ର’ ସୁରକ୍ଷା ଯୋଗାଇ ଦେଉଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ହତ୍ୟା ଧମକ ପରେ ଖାମେନେଇ ସମସ୍ତ ପ୍ରକାରର ଇଲେକ୍ଟ୍ରୋନିକ ଯୋଗାଯୋଗ ବନ୍ଦ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ଟ୍ରାକ କରିବା କଷ୍ଟକର ହୋଇପଡିଛି। 

ଗତ ଜୁନ୍ ମାସ ୧୩ ତାରିଖରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ଇରାନ ସଂଘର୍ଷରେ ଇସ୍ରାଏଲ ଓ ଆମେରିକା ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସ୍ଫାହାନ ପରମାଣୁ ସଂସ୍ଥାନ ଉପରେ ବୋମା ମାଡ଼ କରିଛନ୍ତି। ଯେଉଁଥିରେ ଅନେକ ସୈନ୍ୟ ଅଧିକାରୀ ଓ ବୈଜ୍ଞାନିକ ନିହତ ହୋଇଛନ୍ତି। ଇରାନ ଏହାର ଜବାବରେ କତାରରେ ଥିବା ଆମେରିକୀୟ ସୈନ୍ୟ ଘାଟି ଏବଂ ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କରିଛି। ଯାହା ଫଳରେ ଶହ ଶହ ସାଦାରଣ ଜନତାଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ହଜାର ହଜାର ଲୋକ ଆହତ ହୋଇଛନ୍ତି।

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖାମେନିଙ୍କୁ ହତ୍ୟା କରିବାର ଇସ୍ରାଏଲୀ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ଇରାନର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ସେ “ସମ୍ପୂର୍ଣ୍ଣ ବିଜୟ” ଦାବି କରିଛନ୍ତି। ଖାମେନି ଏକ ଟେଲିଭିଜନ ଭାଷଣରେ ଇରାନର “ବିଜୟ” ଘୋଷଣା କରି ଆମେରିକା ଓ ଇସ୍ରାଏଲ ଉପରେ ଇରାନ କଠୋର ପ୍ରତିଶୋଧ ନେବାନେଇ ଚେତାବନୀ ଦେଇଛନ୍ତି। ଏହା ସହ ଆମେରିକୀୟ ସେନାର ଆକ୍ରମଣରେ ଇରାନର ପରମାଣୁ ସଂସ୍ଥାନ ଗୁଡିକୁ ବେଶୀ କ୍ଷତି ହୋଇନାହିଁ ବୋଲି ମଧ୍ୟ ସେ ଦାବି କରିଛନ୍ତି।

ଅନ୍ୟପଟେ ଖାମେନି ସଂଘର୍ଷ ମଧ୍ୟରେ ଉତ୍ତରାଧିକାରୀ ମନୋନୟନ କରିଛନ୍ତି ବୋଲି ନେଇ ମଧ୍ୟ ରିପୋର୍ଟ ମିଳିଛି। ଯେଉଁଥିରେ ତାଙ୍କ ପୁତ୍ର ମୋଜତାବା ଖାମେନିଙ୍କ ନାମ ନାହିଁ। ତେବେ ଇରାନର ସମ୍ବିଧାନ ଅନୁଯାୟୀ, ଆସେମ୍ବଲି ଅଫ ଏକ୍ସପର୍ଟସର ସଦସ୍ୟମାନେ ନୂତନ ନେତା ଚୟନ କରିବ। ଏନେଇ ବହୁ ଜଲଦି ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି। 

ଏହି ସଂଘର୍ଷ ମଧ୍ୟରେ ଉଭୟ ଦେଶ ମଧ୍ୟରେ ଏକ ଅସ୍ଥାୟୀ ଯୁଦ୍ଧବିରତି ହୋଇଛି, କିନ୍ତୁ ମଧ୍ୟପ୍ରାଚ୍ୟରେ ଏବେ ମଧ୍ୟ ଉତ୍ତେଜନା ଜାରି ରହିଛି।