କଟକ,୨୭/୩(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲ, ଶିଶୁ ଭବନ, କ୍ୟାନସର ହସ୍ପିଟାଲ, ସିଟି ହସ୍ପିଟାଲ ସମେତ ବିଭିନ୍ନ ହସ୍ପିଟାଲ ଆଖପାଖରେ ୫ ଶହରୁ ଅଧିକ ଘରୋଇ ଆମ୍ବୁଲାନ୍ସ ଏବେ ରୋଗୀ ବୋହୁଛନ୍ତି । ରୋଗୀଙ୍କୁ ସୁରକ୍ଷିତ ଅବସ୍ଥାରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ନାଁରେ ମାଳମାଳ ଆମ୍ବୁଲାନ୍ସ ବୁଲୁଛି । ମାତ୍ର ବାସ୍ତବରେ ଏହି ଗାଡ଼ିଗୁଡ଼ିକ କେତେ ନିରାପଦ ତାହା ଦେଖିବାକୁ କେହି ନାହିଁ । ଆମ୍ବୁଲାନ୍ସଗୁଡ଼ିକର କାଗଜପତ୍ର ଅଛି କି ନାହିଁ ଏବଂ ତାର ଚାଳକ ବା ରୋଗୀଙ୍କ ପରିବହନ ଦାୟିତ୍ୱରେ ଉପଯୁକ୍ତ ଡ୍ରାଇଭର୍‌ ରହିଛନ୍ତି କି ନାହିଁ ସେ ସମ୍ପର୍କରେ ପୁଲିସ କିମ୍ବା ପରିବହନ ବିଭାଗ କାହାରି ପାଖରେ ସୂଚନା ନାହିଁ । ଏମିତିକି ହସ୍ପିଟାଲ ପରିସରରେ ଦିନରାତି ଡେରା ପକାଇଥିବା ଆମ୍ବୁଲାନ୍ସଗୁଡ଼ିକ ବାବଦରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ କିଛି ଜଣାନାହିଁ ବୋଲି ଅଧିକାରୀମାନେ ମାନୁଛନ୍ତି । 

ଏପରି ସ୍ଥିତିରେ ଘରୋଇ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୁରୁତର ରୋଗୀଙ୍କୁ ହସ୍ପିଟାଲରେ ସୁରକ୍ଷିତ ପହଞ୍ଚାଇବା ଓ ହସ୍ପିଟାଲ୍‌ରୁ ନେଇ ଘରେ ଛାଡ଼ିବା ପରି ଦାୟିତ୍ୱ ସମ୍ପନ୍ନ କାର୍ଯ୍ୟ ଘରୋଇ ଆମ୍ବୁଲାନ୍ସ କରୁଥିଲେ ହେଁ କିପରି ଉକ୍ତ ବ୍ୟବସ୍ଥା ଉପରେ ପୁଲିସ କିମ୍ବା ପରିବହନ ବିଭାଗର ନଜର ରହୁନାହିଁ ତାହା ଉଦ୍‌ବେଗର ବିଷୟ । ବିଭିନ୍ନ ଅପରାଧିକ ଘଟଣାରେ କଟକରେ ନିୟମିତ ବ୍ୟବଧାନରେ ଆମ୍ବୁଲାନ୍ସ ଡ୍ରାଇଭର, ମାଲିକ ଆଦି ଗିରଫ ପରେ ଘରୋଇ ଆମ୍ବୁଲାନ୍ସରେ ସୁରକ୍ଷିତ ରୋଗୀ ପରିବହନକୁ ନେଇ ଆଶଙ୍କା ଉପୁଜିଲାଣି । ଏମିତିକି କିଛି ଆମ୍ବୁଲାନ୍ସ ଡ୍ରାଇଭର୍‌ ରୋଗୀ ପରିବହନ ନାଁରେ ଜୁଲମ୍‌ ଚଳାଇଥିବାର ଅଭିଯୋଗ ହେଉଛି । 

୨୦୨୧ ମସିହାରେ କୋଭିଡ୍‌ ବେଳେ ରୋଗୀ ପରିବହନ ଲାଗି ପରିବହନ ବିଭାଗ ଏକ ଦର ଧାର୍ଯ୍ୟ କରିଥିଲା । ପ୍ରଥମ ୧୦ କିମି ରାସ୍ତାକୁ ଅତି ବେଶିରେ ୭୫୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ପରେ କିମି ପିଛା ୩୦ ଟଙ୍କା ଲେଖାଏଁ ନେବାକୁ କୁହାଯାଇଥିଲା । ସେତେବେଳେ ମହାମାରୀକୁ ଦୃଷ୍ଟିରେ ରଖି ସରକାର ଆମ୍ବୁଲାନ୍ସ ମାଲିକଙ୍କୁ ପ୍ରୋତ୍ସାହିତ କରିବା ଲାଗି ଅଧିକ ଦର ଚାର୍ଟ ପ୍ରସ୍ତୁତ କରିଥିଲେ । ମାତ୍ର ୨୦୨୧ ପରଠୁ ସରକାର ଉକ୍ତ ଘରୋଇ ଆମ୍ବୁଲାନ୍ସ ରେଟ୍‌ ଚାର୍ଟରେ ଆଉ କୌଣସି ସଂଶୋଧନ କରିନାହାନ୍ତି । ସଂଶୋଧିତ ନ ହେବାରୁ ରୋଗୀ ପରିବହନ ନାଁରେ ବେଆଇନ ଆମ୍ବୁଲାନ୍ସଗୁଡ଼ିକ ମନଇଚ୍ଛା ଭଡ଼ା ଭିଡ଼ୁଥିବା ରୋଗୀ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ଆମ୍ବୁଲାନ୍ସରେ ଅକ୍ସିଜେନ୍‌ଠାରୁ ଆରମ୍ଭ କରି ଫାଷ୍ଟ୍‌ଏଡ୍‌ ସୁବିଧା ଆଦି ରହିବା ଜରୁରି । କିନ୍ତୁ ତାହା ଅନେକ ଆମ୍ବୁଲାନ୍ସରେ ଦେଖିବାକୁ ମିଳୁନାହିଁ । କିଛି ଗାଡ଼ିର ପଞ୍ଜୀକରଣ, ଫିଟସେନ୍‌ କିମ୍ବା ଇନ୍‌ସ୍ୟୁରାନ୍ସ ନାହିଁ । କିଛି ଡ୍ରାଇଭର୍‌ଙ୍କ ଡ୍ରାଇଭିଂ ଲାଇସେନ୍ସ ନାହିଁ । ପରିବହନ ବିଭାଗର ଅନୁମତି ନଥାଇ ରୋଗୀ ପରିବହନ ନାଁରେ ମାଳମାଳ ଘରୋଇ ଆମ୍ବୁଲାନ୍ସ ବ୍ୟବହାର ହେଉଛି । ଏଥିପ୍ରତି ପୁଲିସର ନଜର ନରହିବାରୁ ଆମ୍ବୁଲାନ୍ସ ଚାଳକମାନେ ବିଭିନ୍ନ ଅପରାଧିକ କାର୍ଯ୍ୟ ଓ ଦଲାଲିରେ ସମ୍ପୃକ୍ତ ରହୁଛନ୍ତି । 

ଏସ୍‌ସିବି ମେଡିକାଲରେ ଦଲାଲ୍‌ଗିରି ଚଳାଇ ରୋଗୀଙ୍କୁ ଘରୋଇ ହସ୍ପିଟାଲରେ ପହଞ୍ଚାଇବା ଆଦି ଯାବତୀୟ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ରହୁଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଦଲାଲ୍‌ଗିରି ଚଳାଇବା ଅଭିଯୋଗରେ ମଙ୍ଗଳାବାଗ ଥାନା ପୁଲିସ୍‌ ଆମ୍ବୁଲାନ୍ସ ଡ୍ରାଇଭର୍‌ ଓ ମାଲିକ ମିଶି ୧୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏକ ଟ୍ରାକ୍ଟର ଚୋରି ଘଟଣାରେ ଦୁଇ ଜଣ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଲାଲବାଗ ଥାନା ପୁଲିସ୍‌ ଗିରଫ କରିଥିଲା । ଶିଶୁ ଭବନ ହସ୍ପିଟାଲ ନିକଟରୁ ମଧ୍ୟ ଆମ୍ବୁଲାନ୍ସ ଡ୍ରାଇଭର ଗିରଫ ହେବାର ରେକର୍ଡ ରହିଛି । ଏ ସଂପର୍କରେ ବିଶ୍ୱକର୍ମା ଆମ୍ବୁଲାନ୍ସ ସେବା ସଂଘର ସଭାପତି ପ୍ରଦୀପ ସାହୁଙ୍କ କହିବା କଥା, ଆମ୍ବୁଲାନ୍ସ ସେବାରେ ନିୟୋଜିତ ଗାଡ଼ି ପରିବହନ ବିଭାଗର ନୀତିନିୟମ ଓ କଟକଣାକୁ ମାନିବା ଉଚିତ୍‌ । ରୋଗୀଙ୍କୁ ଶୋଷଣ କରୁଥିବା ଓ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ୍‌ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ୍‌ । 

ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ ଉମାକାନ୍ତ ସାହୁ କହିଛନ୍ତି, ମେଡିକାଲ ଭିତରେ ଘରୋଇ ଆମ୍ବୁଲାନ୍ସ ପାର୍କିଂକୁ ଆମେ ସୁଯୋଗ ଦେଉନାହୁଁ । ତଥାପି ରୋଗୀଙ୍କ ସୁରକ୍ଷିତ ଯା’ଆସ ଲାଗି ଆଗାମୀ ଦିନରେ ପଦକ୍ଷେପ ନେବା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସହ ମିଶି ଯୋଜନା କରୁଛୁ ।  ରାଜ୍ୟ ପରିବହନ ସଂସ୍ଥା (ଏସ୍‌ଟିଏ)ର ଅତିରିକ୍ତ କମିସନର ଦୀପ୍ତି ରଂଜନ ପାତ୍ର କହିଛନ୍ତି, ଆମ୍ବୁଲାନ୍ସ ରେଜିଷ୍ଟ୍ରେସନ ପାଇଁ ପୃଥକ୍‌ ବ୍ୟବସ୍ଥା ରହିଛି । ଗାଡ଼ିର ଆର୍‌ସି ବୁକ୍‌ରେ ଆମ୍ବୁଲାନ୍ସ ସେବା ବୋଲି ନିର୍ଦ୍ଦିଷ୍ଟ ଉଲ୍ଲେଖ ହୋଇଥାଏ । ତେଣୁ କୌଣସି ଗାଡ଼ିକୁ ମନଇଚ୍ଛା କେହି ଆମ୍ବୁଲାନ୍ସ ଭାବେ ବ୍ୟବହାର କରିପାରିବେ ନାହିଁ । ଉକ୍ତ ନିୟମ ଉଲ୍ଲଙ୍ଘନ କଲେ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି ।