ନୂଆଦିଲ୍ଲୀ : ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମ୍ପର୍କରେ କେନ୍ଦ୍ର ସରକାର ଆଜି (ଗୁରୁବାର) ଏକ ବଡ଼ ବିବୃତ୍ତି ଜାରି କରିଛନ୍ତି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ପ୍ରାଥମିକ ତଦନ୍ତ ରିପୋର୍ଟରେ ପାଇଲଟଙ୍କୁ କୌଣସି ଦୋଷ ଦିଆଯାଇ ନାହିଁ। ଘଟଣାକୁ ନେଇ କିଛି ଗଣମାଧ୍ୟମ ରିପୋର୍ଟ ଦ୍ୱାରା ପ୍ରସାରିତ ଭୁଲ ଧାରଣାକୁ ଦୂର କରିବା ପାଇଁ ମନ୍ତ୍ରଣାଳୟ କହିଛି ଯେ ଏହି ସ୍ପଷ୍ଟୀକରଣ ଜାରି କରାଯାଇଛି।

ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ କି ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥା ଗୁଡ଼ିକୁ ନୋଟିସ୍ ଜାରି କରିଛନ୍ତି। ଦୁର୍ଘଟଣାର ନିରପେକ୍ଷ ଏବଂ ବୈଷୟିକ ଭାବରେ ସଠିକ ତଦନ୍ତ ପାଇଁ କ୍ୟାପ୍ଟେନ ସୁମିତ ସବରୱାଲଙ୍କ ପିତା ପୁଷ୍କର ରାଜ ସବରୱାଲଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନର ଜବାବରେ ଏହି ନୋଟିସ ଜାରି କରାଯାଇଛି। ଏକ ପକ୍ଷପାତପୂର୍ଣ୍ଣ ରିପୋର୍ଟକୁ ରୋକିବା ପାଇଁ ଆବେଦନକାରୀ ସୁପ୍ରିମକୋର୍ଟଙ୍କୁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ ତଦାରଖ କରିବାକୁ ଅନୁରୋଧ କରିଛନ୍ତି।

ଶୁଣାଣୀ ସମୟରେ, ବିଚାରପତି ସୂର୍ଯ୍ୟକାନ୍ତ ମୃତ ପାଇଲଟଙ୍କ ପିତାଙ୍କୁ ଆଶ୍ୱାସନା ଦେଇ କହିଥିଲେ କି, "ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ଥିଲା, କିନ୍ତୁ ଆପଣଙ୍କ ପୁଅକୁ ଦୋଷ ଦିଆଯିବାର ଭାର ଆପଣ ବହନ କରିବା ଉଚିତ୍ ନୁହେଁ... କେହି ବିଶ୍ୱାସ କରନ୍ତି ନାହିଁ ଯେ ଏହା ପାଇଲଟଙ୍କ ଭୁଲ ଥିଲା।" ବିଚାରପତି ଜୟମାଲ୍ୟ ବାଗଚୀ ଏହା ମଧ୍ୟ କହିଛନ୍ତି ଯେ ପ୍ରାଥମିକ ରିପୋର୍ଟରେ ପାଇଲଟଙ୍କ ତ୍ରୁଟି ଉଲ୍ଲେଖ କରାଯାଇ ନାହିଁ।

ଉଲ୍ଲେଖନୀୟ ଯେ ଜୁନ୍ ୧୨, ୨୦୨୩ ରେ, ଏୟାର ଇଣ୍ଡିଆର ବିମାନ AI-୧୭୧ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀ ଏବଂ ୧୯ ଜଣ କ୍ରୁ ସଦସ୍ୟଙ୍କ ସମେତ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରାଥମିକ ରିପୋର୍ଟରେ କୁହାଯାଇଛି ଯେ ବିମାନର ଉଭୟ ଇଞ୍ଜିନର ଇନ୍ଧନ ସ୍ୱିଚ୍ ହଠାତ୍ ରନ୍ ରୁ କଟଅଫ୍ ମୋଡ୍ କୁ ପରିବର୍ତ୍ତନ ହୋଇଥିଲା, ଯାହା ଫଳରେ ବିଦ୍ୟୁତ୍ ବନ୍ଦ ହୋଇଯାଇଥିଲା ଏବଂ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।