ନୂଆଦିଲ୍ଲୀ,୧୫।୩: କୌଣସି ଟିମ୍ ସଂଗଠନ ବଡ଼ ନୁହେଁ। ମୁମ୍ବାଇରେ ଆୟୋଜିତ ଏକ ପୁରସ୍କାର ସମାରୋହରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍(ଆଇସିସି)ର ଅଧ୍ୟକ୍ଷ ଜୟ ଶାହ ଏହା କହିଛନ୍ତି। ସେ କହିଛନ୍ତି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବହୁବାର ଚର୍ଚ୍ଚା ଓ ଅନିଶ୍ଚିତତା ଥିଲା। ସେଥିପାଇଁ ଏହି ବିଶ୍ୱକପ୍ ବିଶେଷ ଗୁରୁତ୍ୱ ବହନ କରେ। ନିକଟରେ ଶେଷ ହୋଇଥିବା ଆଇସିସି ମେନ୍ସ ଟି-୨୦ ଓ୍ବାର୍ଲ୍ଡକପ୍‌ରେ ପାକିସ୍ତାନ ଓ ବାଂଲାଦେଶର ବୟକଟ୍ ଡ୍ରାମା କରିଥିଲେ।  ଏହାକୁ ନେଇ ଆଜି ଜୟ ଶାହ ଉଭୟ ଦେଶ ଉପରେ ବର୍ଷିଛନ୍ତି।

ଶାହ କହିଛନ୍ତି, ଆମ ପାଇଁ ଏହି ଆଇସିସି ବିଶ୍ବକପ୍‌ ବହୁତ ଗୁରୁତ୍ବ ଥିଲା। କାରଣ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଖୁବ୍ ଚର୍ଚ୍ଚା ଥିଲା। କିଛି ଟିମ୍ ଭାଗ ନେବେ କି ନାହିଁ। କିପରି ବିଶ୍ବକପ୍ ଆୟୋଜିତ ହେବ। ଜୟ ଶାହ କୌଣସି ଦେଶର ନାଁ ନଇେ ସ୍ପଷ୍ଟ କରିଛନ୍ତି ଯେ,ବିଶ୍ବ କ୍ରିକେଟ ସଂଗଠନ କୌଣସି ଏକ ଟିମ୍ ଠାରୁ ବଡ଼ ହୋଇଥାଏ। ‘ଆଇସିସି ଅଧ୍ୟକ୍ଷ ଭାବରେ, ମୁଁ କହିପାରିବି ଯେ କୌଣସି ଦଳ ସଂସ୍ଥାଠାରୁ ବଡ଼ ନୁହେଁ, ଏବଂ କୌଣସି ଗୋଟିଏ ଦଳ ଏକ ସଂଗଠନ ଗଠନ କରେ ନାହିଁ। ସମସ୍ତ ଦଳ ଏକତ୍ରିତ ହେବା ଦ୍ୱାରା ଏକ ସଂଗଠନ ଗଠିତ ହୁଏ।

ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଅନେକ ବିବାଦ ସାମନାକୁ ଆସିଥିଲା। ବାଂଲାଦେଶ ସୁରକ୍ଷା ଚିନ୍ତା ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲା, ସେଭଳି ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବାକୁ ଧମକ ଦେଇଥିଲା। ଏହି ଚ୍ୟାଲେଞ୍ଜ ସତ୍ତ୍ୱେ, ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଅନୁଷ୍ଠିତ ହୋଇଥିଲା ଏବଂ ଶେଷରେ ଭାରତ ଟାଇଟଲ ଜିତିଥିଲା। ଜୟ ଶାହ କହିଛନ୍ତି,ଏହି  ବିଶ୍ୱକପ୍ ଦର୍ଶକଙ୍କ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ନୂତନ ରେକର୍ଡ ସ୍ଥାପନ କରିଛି। ଇତିହାସରେ ପ୍ରଥମ ଥର ପାଇଁ, ଏକକାଳୀନ ୭.୨ ମିଲିଦର୍ଶକ ରେକର୍ଡ କରାଯାଇଥିଲା। ଏହା ମୋଟ ଦର୍ଶକଙ୍କ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି।’