ଭଦ୍ରକ, ୧୧/୦୩ : ହଦଗଡ଼ ଡ୍ୟାମରୁ ବାହାରୁନି ଜଳ। ୫ ବର୍ଷା ହେଲା ନାହିଁ ଟୋପେ ବର୍ଷା । ଶୁଖି ଆଁ କରିଛି କେନାଲ, ନୟନଜୋରି-ଗାଡ଼ିଆ ପୋଖରୀ । ଜଳ ଟୋପେ ଲାଗି ପଶୁ ପକ୍ଷୀ ହାହାକାର ଡାକୁଛନ୍ତି । ବର୍ଷା ନ ହେବାରୁ ଖାଇବାକୁ ଖାଦ୍ୟ ନାହିଁ । ବିଲ ଓ ପଡ଼ିଆରେ ଘାସ କଅଁଳୁ ନାହିଁ । ଏଣୁ ଗୋରୁଗାଈ ଚରିବାକୁ ଯାଇ କିଛି ଖାଦ୍ୟ ପାଉନାହାନ୍ତି । କେବଳ ଛାଇ ଖୋଜୁଛନ୍ତି । ଶୋଷରେ ରହୁଛନ୍ତି । ଘରକୁ ଫେରିଲେ ମୁନ୍ଦେ ଜଳ ମିଳୁଛି । ଜଳାଶୟ ଗର୍ଭରେ ଜଳ ଆଉ ନାହିଁ । ଅନେକ ଗାଡ଼ିଆ ପୋତି ଯାଇଛି । ଯିଏ ବି ଅଛି ତାକୁ ବୋହି ମାଛ ଧରିବା କାରଣ ଯୋଗୁ ଜଳର ଏବେ ଘୋର ଅଭାବ ଲାଗି ରହିଛି । କେନାଲରେ ଜଳ ନ ଆସିବାରୁ ନୟନଜୋରି, ବିଲ ଗାଡ଼ିଆ ପୋଖରୀ ସବୁ ଶୁଖିଲା ପଡ଼ିଛି । ଏଭଳି ସ୍ଥିତିରେ ଜଳ ଯନ୍ତ୍ରଣା ଏବେ ଭଦ୍ରକ ଜିଲ୍ଲାର ବନ୍ତ, ଭଦ୍ରକ, ତିହିଡ଼ି, ସମେତ ବାଲେଶ୍ୱର ଜିଲ୍ଲାର ଖଇରା, ସିମୁଳିଆ, ବାହାନଗା ଓ ନୀଳଗିରି ଆଦି ଅଞ୍ଚଳରେ ଦେଖାଦେଇଛି ।  

ଜିଲ୍ଲା ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ୭ ବ୍ଲକ ସମେତ ସହରରେ ୩ ଲକ୍ଷ ୨୯ ହଜାର ୯୯୨ ଗୋରୁ ରହିଛନ୍ତି । ଏମାନଙ୍କ ମଧ୍ୟରୁ ହଦଗଡ଼ କେନାଲ ଜଳ ଉପରେ ପ୍ରାୟ ପ୍ରାଣୀସମ୍ପଦ ଖରାଦିନେ ନିର୍ଭରଶୀଳ । ପ୍ରତିବର୍ଷ ଏପ୍ରିଲ ବେଳକୁ କେନାଲ ସମେତ ନୟନ ଜୋରି ଓ ଗାଡ଼ିଆ ପୋଖରୀ ଶୁଖେ । ତା ପରେ ହଦଗଡ଼ ଜଳ ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ ପହିଲାରେ ଜଳ ଛାଡ଼େ । ହେଲେ ଚଳିତ ବର୍ଷ ଅକ୍ଟୋବର ପରେ ଆଉ ବର୍ଷା ନାହିଁ । ସଅଳ ସବୁ ଗାଡ଼ିଆ ପୋଖରୀ ଶୁଖିଛି । ଏଣୁ ଜଳ ସଙ୍କଟରେ ପ୍ରାଣୀସମ୍ପଦ ପେଶୀ ହୋଇଛି । କିଏ ସେମାନଙ୍କ ସାହା ହେବ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରୁ ହଦଗଡ଼ ଡ୍ୟାମ ନିର୍ମାଣ ହୋଇଛି । ୧୯୮୩ ମସିହାରୁ ଏହି ଡ୍ୟାମ ଜଳ ଚାଷକୁ ଯୋଗାଉଛି । ଖରାଦିନେ ବି ଜଳ କେନାଲ ଯୋଗେ ଆସେ । ଯାହା ଶୋଷିଲା ପେଟକୁ ପୁରାଏ । ଭଦ୍ରକ ଜିଲ୍ଲାର ବନ୍ତ, ଭଦ୍ରକ, ତିହିଡ଼ି, ଭଳି ଅଞ୍ଚଳକୁ କେନାଲ ଯୋଗେ ଜଳ ମାଡ଼ୁଛି । ସେହିଭଳି ବାଲେଶ୍ୱର ଜିଲ୍ଲାର ଖଇରା, ସିମୁଳିଆ, ବାହାନଗା, ନୀଳଗିରି ଅଞ୍ଚଳକୁ ଏବେ ଜଳ ଯୋଗାଣ ଚାଲିଛି । ଏହି ସବୁ ଅଞ୍ଚଳରେ ବିଲ ମଝିରେ କେନାଲ ଯାଇଛି । ସେହି ଜଳ ଉପରେ ପଶୁ ପକ୍ଷୀ ନିର୍ଭରଶୀଳ ଥିଲାବେଳେ ଏବେ ଜଳ ସଙ୍କଟ ଦେଖାଦେଇଛି । ତୁରନ୍ତ ଚରମ୍ପା, ଗୋପାଳପୁର, ରାଣୀତାଲ ଓ ଖଇରା ଆଦି କେନାଲ ଗୁଡ଼ିକରେ ଜଳ ଛାଡ଼ିବାକୁ ଦାବି ହେଉଛି । ହଦଗଡ଼ ଡ୍ୟାମ କର୍ତ୍ତୃପକ୍ଷ ଏନେଇ ଚିନ୍ତାବ୍ୟକ୍ତ କରିବା ଉଚିତ ବୋଲି ପଶୁପ୍ରେମୀ ମତ ରଖିଛନ୍ତି । ସେହିଭଳି ଭଦ୍ରକ ସାଳନ୍ଦୀ କର୍ତ୍ତୃପକ୍ଷ ମଧ୍ୟ ଚରମ୍ପା କେନାଲରେ ଜଳ ଛାଡ଼ିବା ନେଇ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବାର ସମୟ ଆସିଛି । ଜିଲ୍ଲା ପ୍ରଶାସନ ବି କଥା କହି ପାରୁ ନ ଥିବା ନିରୀହ ପଶୁ ଜାତିର ଶୋଷ ମେଣ୍ଟିବାକୁ ବ୍ୟବସ୍ତା କରିବାକୁ ଦାବି ହୋଇଛି। 

ଏହି ଖବରଟିକୁ ପଢନ୍ତୁ- ଦୟାନଦୀ ଗର୍ଭରେ ଏମୁଣ୍ଡ ସେମୁଣ୍ଡ ବନ୍ଧ, ମରୁଭୂମି ପାଲଟିଲାଣି ତଳମୁଣ୍ଡ, ଯନ୍ତ୍ରୀ କହିଲେ କାହିଁକି ବନ୍ଧ ପଡ଼ିଛି ଫାଇଲ୍ ଦେଖି କହିବି...