ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ କାନ୍ଦୁଛନ୍ତି । ପୂର୍ବରୁ ତାଙ୍କୁ ଏଭଳି କାନ୍ଦୁଥିବାର କେହି କେବେ ଦେଖିନଥିବେ । ସବୁବେଳେ ତାଙ୍କୁ ହସୁଥିବାର ଦେଖିବାକୁ ମିଳେ । ସମୟ ସମୟରେ ତାଙ୍କ କ୍ରୁରତାର ଖବର ସାମ୍ନାକୁ ଆସେ । କିନ୍ତୁ ଏମିତି କଣ ଘଟିଲା ଯେ, କିମଙ୍କ ଆଖିରେ ଲୁହ ଆସିଗଲା ? କିମ୍‌ ଜୋଙ୍ଗ କାନ୍ଦୁଥିବାର ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି  । ଆଣ୍ଠୁମାଡ଼ି କିମ୍‌ ବସିଛନ୍ତି ଏବଂ ତାଙ୍କ ଆଖିରୁ ଧାର ଧାର ଲୁହ ଗଡ଼ିବାରେ ଲାଗିଛି ।

 କିମ୍‌ ନିଜର ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଯାଇ ଆଜି ଏଭଳି ସ୍ଥିତିରେ ପଡ଼ିଛନ୍ତି ବୋଲି କୁହାଯାଉଛି । କିମ୍‌ ଜୋଙ୍ଗ ଏବଂ ରୁଷ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ବନ୍ଧୁତା ବହୁତ ଖାସ । ଏପରିକି ୟୁକ୍ରେନ୍‌ ଯୁଦ୍ଧ ଲାଗି କିମ୍‌ ନିଜର ସୈନିକଙ୍କୁ ରୁଷ ପଠାଉଛନ୍ତି । ଏନେଇ ଅନେକ ଖବର ସାମ୍ନାକୁ ଆସିଛି । ହେଲେ ୟୁକ୍ରେନ୍‌ ଯୁଦ୍ଧରେ ରୁଷ ପକ୍ଷରୁ ଲଢ଼ି ଜୀବନ ହରାଉଥିବା ଉତ୍ତର କୋରିଆ ସୈନିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । 

ନିଜର ମୃତ ସୈନିକଙ୍କୁ ଦେଖି ଆଖିର ଲୁହକୁ ଅଟକାଇ ପାରିନାହାନ୍ତି କିମ୍‌ ଜୋଙ୍ଗ । ସହିଦ ସୈନିକିଙ୍କ ଫଟୋକୁ ଦେଖି ଭାବପ୍ରବଣ ହୋଇଯାଇଛନ୍ତି କ୍ରୁର ଶାସକ ଭାବରେ ଜଣାଶୁଣା କିମ୍‌ । ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, କିମ୍‌ ସହିଦଙ୍କ ଫଟୋ ଆଗରେ ଆଣ୍ଠୁମାଡ଼ି ବସିଛନ୍ତି । ଫଟୋରେ ମେଡାଲ୍‌ ପିନ୍ଧାଉଛନ୍ତି । ଏହି ସମୟରେ ତାଙ୍କର ଆଖିରୁ ଅନବରତ ଗଡ଼ିଚାଲିଛି ଅଶ୍ରୁ ।  ଏହା ସହ କିମ୍‌ ସହିଦଙ୍କ ପିଲାମାନଙ୍କୁ ସମବେଦନା ଜଣାଇଛନ୍ତି । ପାଖରେ ଥିବା ଅନ୍ୟ ଅଧିକାରୀମାନେ ମଧ୍ୟ କିମ୍‌ଙ୍କୁ ଦେଖି ନିଜର ଲୁହକୁ ଅଟକାଇ ପାରିନାହାନ୍ତି । କେହି କେହି କିମ୍‌ଙ୍କ ଆଖିରୁ ଲୁହ ପୋଛି ଦେଉଛନ୍ତି । 

ୟୁକ୍ରେନ ଯୁଦ୍ଧରେ ରୁଷକୁ ସହାଯ୍ୟ କରିବାକୁ କିମ୍‌ ନିଜର ସୈନିକଙ୍କୁ ସେଠାକୁ ପଠାଇଛନ୍ତି । ହଜାର ହଜାର ସୈନିକ ରୁଷ ପକ୍ଷରୁ ଯୁଦ୍ଧ ଲଢ଼ୁଛନ୍ତି । ଏହି ସମୟରେ ଶତାଧିକ ସୈନିକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ମୃତ ସୈନିକଙ୍କୁ   ରୁଷ ବିମାନ ଯୋଗେ ଉତ୍ତର କୋରିଆକୁ ପଠାଇଛି । ଏସବୁ ଦେଖି ଭାବପ୍ରବଣ ହୋଇପଡ଼ିଛନ୍ତି କିମ୍ ଜୋଙ୍ଗ ଉନ । କିମ୍ ଉନ୍ ସହିଦ ସୈନିକମାନଙ୍କୁ ସମ୍ମାନିତ କରିବା ସହିତ ସେମାନଙ୍କ ସାହସିକତା ଏବଂ ମହାନ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି ।