ନୂଆଦିଲ୍ଲୀ ୨୦/୦୧: ଗତବର୍ଷ ରିଲିଜ୍ ହୋଇଥିବା ଆଦିତ୍ୟ ଧରଙ୍କ ବ୍ଲକ୍ବଷ୍ଟର ଫିଲ୍ମ ‘ଧୂରନ୍ଧର’ ବକ୍ସ ଅଫିସ୍ରେ ଦମ୍ଦାର ପ୍ରଦର୍ଶନ କରିଛି । ସେଥିରେ ଉଚ୍ଚକୋଟୀର ଅଭିନୟ ଲାଗି ରାତାରାତି ସଫଳତାର ଶୀର୍ଷରେ ପହଞ୍ଚିଯାଇଛନ୍ତି ଅଭିନେତ୍ରୀ ସାରା ଅର୍ଜୁନ । ଫିଲ୍ମରେ ତାଙ୍କୁ ରଣବୀର ସିଂହଙ୍କ ନାୟିକା ଭାବେ ଦେଖିବାକୁ ମିଳିଥିଲା । ଉଭୟଙ୍କ ଯୋଡିକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ । ତେବେ ରଣବୀର ସିଂହ ନୁହଁନ୍ତି, ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ହେଉଛନ୍ତି ସାରାଙ୍କର ପ୍ରିୟ ଅଭିନେତା । ନିକଟରେ ସାରା ନିଜ ଫିଲ୍ମ ‘ୟୁଫୋରିଆ’ର ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ପହଞ୍ଚିଥିବାବେଳେ ଏକ ପ୍ରଶ୍ନର ଉତ୍ତର ଦେଇ ଏହା ପ୍ରକାଶ କରିଥିଲେ । ସାରା କହିଥିଲେ ଯେ, ବିଜୟଙ୍କ ସାବଲୀଳ ଅଭିନୟ ତାଙ୍କୁ ଭଲ ଲାଗେ । ସେଥିଲାଗି ସେ ତାଙ୍କୁ ଖୁବ୍ ସମ୍ମାନ ମଧ୍ୟ କରନ୍ତି ।
ତେବେ ଅଭିନେତ୍ରୀଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ସୋସିଆଲ୍ ଡ୍ରାମା ‘ୟୁଫୋରିଆ’ରେ ସାରା ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ । ତାଙ୍କ ସହିତ ସେଥିରେ ଭୂମିକା ଚାୱଲା, ଗୌତମ ମେନନ୍ଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମଟି ଆସନ୍ତାମାସ ୬ ତାରିଖରେ ରିଲିଜ୍ ହେବ । ‘ୟୁଫୋରିଆ’ ବ୍ୟତୀତ ସାରା ‘ଧୂରନ୍ଧର’ର ସିକ୍ୱେଲରେ ମଧ୍ୟ ନଜର ଆସିବେ । ସେହିପରି ଗୌତମ ତିନ୍ନନୁରୀଙ୍କ ଫିଲ୍ମ ‘ମ୍ୟାଜିକ୍’ରେ ବି ସାରା କାମ କରୁଛନ୍ତି ।