ଭୁବନେଶ୍ୱର,୨୨/୧୧: ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ବୋଝ ବଢ଼ିବାରେ ଲାଗିଛି ।  ଗତ କିଛି ଦିନ ହେବ ନୂଆ ସ୍ମାର୍ଟ ମିଟର ବାବଦରେ ପ୍ରତି ମାସରେ ୫୦ ଟଙ୍କା  ଅତିରିକ୍ତ ଦେୟ ପାଇଁ ବିଜୁଳି ବିଲ୍‌ରେ ଆସୁଥିଲା । ଏବେ ପୁଣି ପୁରୁଣା ସିକ୍ୟୁରିଟି  ଜମା ରାଶି କମ ଥିବା ଦର୍ଶାଇ ୨ ମାସ  ହାରାହାରି ଅନୁସାରେ ଅତିରିକ୍ତ ଜମା ରାଶି ଦେବାକୁ ବିଦ୍ୟୁତ ବିତରଣ କମ୍ପାନି  ଗ୍ରାହକଙ୍କୁ ନୋଟିସ୍‌ କରିଛି। ସେମାନଙ୍କୁ  ମାତ୍ର ୧ ମାସ ସମୟ ଦିଆଯାଇଛି ।  ଯଦି ଅତିରିକ୍ତ ସିକ୍ୟୁରିଟି ରାଶି ଜମା  ନ କରିବେ, ତେବେ ତାଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି ଧମକ ମଧ୍ୟ ଦିଆଯାଇଛି । ଯାହାକୁ ନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଉପଭୋକ୍ତା ମହସଂଘ  କ୍ଷୋଭ ପ୍ରକାଶ କରିଛି । ମହାସଂଘର  ଆବାହକ ରବି ବେହେରା ଏ ନେଇ  ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।  

ନୂଆପଲ୍ଲୀ ଅଞ୍ଚଳର ଶ୍ରୀରାମ ବିହାରର ଜଣେ ବିଦ୍ୟୁତ ଗ୍ରାହକଙ୍କ ସୂଚନା ମୁତାବକ ବିଦ୍ୟୁତ ବିତରଣ କମ୍ପାନି ତାଙ୍କୁ ଏଭଳି ଚିଠି  କରିଛି । ସେଥିରେ ଦର୍ଶାଯାଇଛି, କମ୍ପାନି  ନିକଟରେ ତାଙ୍କ ସିକ୍ୟୁରିଟି ଜମା ବାବଦରେ  ୬୮୨ ଟଙ୍କା ରହିଛି । ହେଲେ ତାଙ୍କର  ହାରାହାରି ବିଜୁଳି ବ୍ୟବହାର ଅନୁସାରେ ୨  ମାସକୁ ୩୧୭୨ ଟଙ୍କା ଜମା ରହିବା କଥା ।  ସେହି ଅନୁସାରେ ତାଙ୍କୁ ୧ ମାସ ମଧ୍ୟରେ  ଅତିରିକ୍ତ ୨୪୯୦ ଟଙ୍କା ଜମା କରିବାକୁ  କୁହାଯାଇଛି । ଜମା ନ କରିପାରିଲେ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି ବିଦ୍ୟୁତ ବଣ୍ଟନ କମ୍ପାନି ପକ୍ଷରୁ ଖୋଲାଖୋଲି ଧମକ ଦିଆଯାଇଛି । ଫଳରେ କେବଳ ସେ ଜଣେ ନୁହନ୍ତି ରାଜ୍ୟର  ବହୁ ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କ  ମଧ୍ୟରେ ଭାଳେଣି ପଡ଼ିଯାଇଛି । ଏହି  ନୋଟିସ୍‌ ପାଇଲା ପରେ ଗ୍ରାହକମାନେ  ବିଦ୍ୟୁତ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ  ହେଲେଣି । କିନ୍ତୁ କମ୍ପାନି କର୍ତ୍ତୃପକ୍ଷ ଶୁଣୁନାହାନ୍ତି । ତେଣୁ ଉପଭୋକ୍ତାଙ୍କର  ଏହି ସମସ୍ୟା ଉପରେ ତୁରନ୍ତ ହସ୍ତକ୍ଷେପ  କରିବାକୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌  ଉପଭୋକ୍ତା ମହାସଂଘ ଦାବି କରିଛି ।