ଭୁବନେଶ୍ୱର,୨୦/୦୮: ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୫ ତାରିଖରୁ ଆବେଦନ ଆରମ୍ଭ ହେବ । ନାମ ଲେଖାଇବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ସାମ୍ସ ୱେବ୍ସାଇଟ୍ ମାଧ୍ୟମରେ ୩୧ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଏହି ପର୍ଯ୍ୟାୟର ପ୍ରଥମ ମେଧା ତାଲିକା ଆସନ୍ତା ସେପ୍ଟେମ୍ବର ୪ ତାରିଖ ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୬ରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନିର୍ଦ୍ଦେଶାଳୟ ସୂଚନା ଦେଇଛି ଯେ, ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍ ଅଡମିଶନ ପାଇଁ ସେପ୍ଟେମ୍ବର ୧୨ରୁ ୧୩ ଯାଏ ଚଏସ୍ ଲକିଂ ସୁବିଧା ଉପଲବ୍ଧ ରହିବ । ଚଏସ୍ ନାମଲେଖା ପାଇଁ ଅନ୍ଲାଇନ୍ ସ୍ପଟ୍ ନାମଲେଖା ମେଧା ତାଲିକା ୧୭ ତାରିଖରେ ପ୍ରକାଶ ପାଇବ । ୧୮ରୁ ୧୯ ତାରିଖ ମଧ୍ୟରେ ଏହି ତାଲିକାରେ ଥିବା ଛାତ୍ରଛାତ୍ରୀମାନେ ନାମ ଲେଖାଇବାର ସୁଯୋଗ ପାଇବେ । ଆଉ ବଳକା ସିଟ୍ରେ ନାମଲେଖା ପାଇଁ ୨୨ ତାରିଖ ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏ ହାତଲେଖା ଦରଖାସ୍ତ ଆହ୍ୱାନ କରାଯିବ । ଏହାର ମେଧା ତାଲିକା ସେହିଦିନ ସାଢ଼େ ୪ଟାରେ ପ୍ରକାଶ ପାଇବ । ୨୪ ତାରିଖ ମଧ୍ୟରେ ସମସ୍ତ ଚୟନ ଛାତ୍ରଛାତ୍ରୀଙ୍କର ନାମଲେଖା ଶେଷ ହେବ ।
ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ନାମଲେଖା ଗତ ୧୬ ତାରିଖରେ ଶେଷ ହୋଇଛି । ଯୁକ୍ତ ଦୁଇ ନାମଲେଖା ପାଇଁ ମୋଟ ୫ ଲକ୍ଷ ୯୨ ହଜାର ୧୧ଟି ସିଟ୍ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୫୮ ହଜାର ୪୩୦ ସିଟ୍ରେ ନାମଲେଖା ହୋଇଛି । ଆହୁରି ୨ ଲକ୍ଷ ୩ ହଜାର ୫୮୧ ସିଟ୍ ଖାଲି ପଡ଼ିଛି । ଗତ ଜୁଲାଇ ୨୪ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପିଲାଙ୍କର ପାଠପଢ଼ା ଆରମ୍ଭ ହୋଇଛି ।