କଟକ, ୦୧/୦୨: ଫେବ୍ରୁଆରୀ ପହିଲାରୁ ରାଜ୍ୟର ୨୨ଟି ଟୋଲ୍‌ ଗେଟ୍‌ରେ ବୀମା କରିନଥିବା ଗାଡ଼ି ଉପରେ ଜରିମାନା ଲାଗୁ ହୋଇଛି। ଏଣିକି ଟୋଲ୍‌ ଗେଟ୍‌ରେ ଲାଗୁ ବୈଷୟିକ କୌଶଳ  ଅନୁସାରେ ଏକ ସ୍ୱୟଂକ୍ରିୟ ପ୍ରକ୍ରିୟାରେ ଗାଡ଼ିର ଇ-ଚାଲାଣ କଟାଯିବ । ଟୋଲ୍‌ଗେଟ୍‌ ଅତିକ୍ରମ କରିବା ମାତ୍ରେ ବୀମା ନଥିବା ଗାଡ଼ିର ମାଲିକଙ୍କ ପାଖକୁ ଜରିମାନା ଚାଲାଣ କଟିବ । ଏଥିପାଇଁ ଇ-ଡିଟେକ୍ସନ୍‌ ବ୍ୟବସ୍ଥାରେ ବୀମା ସଂପର୍କିତ ସୂଚନାକୁ  ଯୋଡ଼ିବା ପ୍ରକ୍ରିୟା ଶେଷ ହୋଇଛି ।  

ମୋଟର ଯାନ ଆଇନ ଧାରା ୧୪୬ ଅନୁଯାୟୀ ସବୁ ଗାଡ଼ି ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ । ଅନେକ ଘରୋଇ ଓ ବ୍ୟବସାୟିକ ଗାଡ଼ି ନିୟମ ଉଲ୍ଲଂଘନ  କରି ବୀମା କରୁନାହାନ୍ତି । ଫଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ  ପରିବାର ଅନୁକମ୍ପାମୂଳକ ବୀମା ରାଶି  ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାକୁ  ନେଇ ସରକାରଙ୍କ ପକ୍ଷରୁ ଉଦ୍‌ବେଗ  ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି  ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ପାଇଁ ପରିବହନ ଆୟୁକ୍ତ  ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଇ-ଡିଟେକ୍ସନ୍‌ ବ୍ୟବସ୍ଥାରେ ପରମିଟ୍‌, ଫିଟନେସ୍‌,  ଟିକସ ଉଲ୍ଲଂଘନକାରୀ ଗାଡ଼ିକୁ ଟୋଲଗେଟରେ ଚିହ୍ନଟ କରାଯାଉଥିଲା । ଏବେ  ବୀମା ନିୟମ ଉଲ୍ଲଂଘନକାରୀଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ଚିହ୍ନଟ କରାଯିବ ।  ଏନଫୋର୍ସମେଣ୍ଟରେ ଆଧୁନିକ ଜ୍ଞାନକୌଶଳକୁ ଅଧିକ ବ୍ୟବହାର କରାଯିବାକୁ  ନିଷ୍ପତ୍ତି ହୋଇଛି । ତେଣୁ ଗାଡ଼ିର ବୀମା ନ ଥିଲେ ତୁରନ୍ତ ବୀମା କରାଇ ନେବାକୁ  ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।  

ବୀମା ନଥାଇ ଟୋଲ୍‌ଗେଟ୍‌ ଦେଇ ଅତିକ୍ରମ କରୁଥିବା ଗାଡ଼ି ପ୍ରଥମ ଥର  ଧରାପଡ଼ିଲେ ଗାଡ଼ି ମାଲିକଙ୍କୁ ୨ ହଜାର ଟଙ୍କାର ଜରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ  ଜେଲ୍‌ ଦଣ୍ଡ ଦିଆଯିବ । ଯଦି ସେହି ଗାଡ଼ି ଦ୍ୱିତୀୟ ଥର ପାଇଁ ଟୋଲ୍‌ଗେଟ୍‌ରେ  ଧରାପଡ଼େ ତାହେଲେ ଗାଡ଼ି ମାଲିକଙ୍କୁ ୪ହଜାର ଟଙ୍କା ଜରିମାନା ନଚେତ୍‌ ୩  ମାସ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।