ନୂଆଦିଲ୍ଲୀ, ୧୨/୦୧ : ତୁମ ଆକାଉଣ୍ଟରେ କଳା ଟଙ୍କା ଅଛି। ଆମେ ଟ୍ରାଇ ଓ ଇଡିରୁ କହୁଛୁ। ତୁମ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି। ଶୀଘ୍ର ମୁମ୍ଵାଇରେ ଆସି ହାଜର ହୁଅ। ଏନଆରଆଇ ଦମ୍ପତିଙ୍କୁ ଦୀର୍ଘ ୧୭ ଦିନ ଧରି ଡିଜିଟାଲ୍ ଆରେଷ୍ଟ। ଲୁଟିନେଲେ ୧୫ କୋଟି ଟଙ୍କା। ଦିଲ୍ଲୀର ଏକ ବୃଦ୍ଧ ଏନଆରଆଇ ଦମ୍ପତିଙ୍କୁ ସାଇବର ଠକମାନେ ଏଭଳି କହି ଠକେଇ କରିଛନ୍ତି। ପୀଡିତ ଦମ୍ପତି ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । 

ପୀଡିତ ଦମ୍ପତି ଡକ୍ଟର ଓମ୍‌ ତନେଜା ଓ ତାଙ୍କ ପତ୍ନୀ ଡକ୍ଟର ଇନ୍ଦିରା ତନେଜା ଦୀର୍ଘ ୪୮ ବର୍ଷ ଧରି ଆମେରିକାରେ ରହି ଜାତିସଂଘରେ କାର୍ଯ୍ୟ କରିଥିଲେ । ୨୦୧୫ରେ ଅବସର ନେବା ପରେ ସେମାନେ ଭାରତ ଫେରି ଗ୍ରେଟର କୈଳାସ-୨ ଅଞ୍ଚଳରେ ରହୁଥିଲେ। ୭୭ ବର୍ଷୀୟା ଇନ୍ଦିରାଙ୍କ ସୂଚନା ଅନୁସାରେ ଗତ ଡିସେମ୍ବର ୨୪ ତାରିଖରେ ତାଙ୍କ ନିକଟକୁ ଏକ ଫୋନ୍‌ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ଜଣକ ତାଙ୍କ ମୋବାଇଲ ଫୋନ୍‌ରୁ ଆପତ୍ତିଜନକ କଲ୍‌ କରାଯାଇଥିବା କହିଥିଲେ । ଏଥିସହ ତାଙ୍କ ବ୍ୟାଙ୍କରେ କଳାଟଙ୍କା ଜମା ହୋଇଥିବା ଜଣାପଡିଛି ଏବଂ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇ ଏହାର ତଦନ୍ତ କରାଯାଉଛି ବୋଲି ସମ୍ପୃକ୍ତ ବ୍ୟକ୍ତି ଜଣକ ଦର୍ଶାଇଥିଲେ । ଏପରିକି ସାଇବର ଠକମାନେ ରାଷ୍ଟ୍ରୀୟ ସୁରକ୍ଷାର ଆଳ ଦେଖାଇ ଦମ୍ପତିଙ୍କୁ ଗିରଫ କରାଯିବ ବୋଲି ଭୟ ଦେଖାଇଥିଲେ । ଉଭୟଙ୍କୁ ମୁମ୍ବାଇରେ ହାଜର ହେବା ଲାଗି କହିଥିଲେ । ଇନ୍ଦିରା ସେମାନଙ୍କୁ ସ୍ୱାମୀଙ୍କ ଅପରେସନ ହୋଇଛି ଏବଂ ସେମାନେ ମୁମ୍ବାଇ ଯାଇପାରିବେ ନାହିଁ ବୋଲି କହିଥିଲେ । ଏହା ପରେ ସାଇବର ଠକମାନେ ଉଭୟଙ୍କୁ ଡିଜିଟାଲ ଆରେଷ୍ଟ କରାଗଲା ବୋଲି କହିଥିଲେ । ଭିଡିଓ କଲ୍‌ କରି ସେମାନେ ବୃଦ୍ଧ ଦମ୍ପତିଙ୍କ ସହ କଥା ହେଉଥିଲେ ଏବଂ ସେମାନଙ୍କ ଉପରେ ନଜର ରଖିଥିଲେ । 

ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୭ ଦିନ ଧରି ସାଇବର ଠକମାନେ ବୃଦ୍ଧ ଦମ୍ପତିଙ୍କୁ ଡିଜିଟାଲ ଆରେଷ୍ଟ କରାଇ ଭିନ୍ନ ଭିନ୍ନ ୮ଟି ବ୍ୟାଙ୍କ ଖାତାକୁ ୧୪ କୋଟି ୮୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଇ ନେଇଥିଲେ । ଏପରିକି ବ୍ୟାଙ୍କ କର୍ମଚାରୀ ଯଦି ସେମାନଙ୍କୁ ପଚାରନ୍ତି ସେମାନେ କଣ କହିବେ ସେକଥା ମଧ୍ୟ ସାଇବର ଠକମାନେ ଏହି ଦମ୍ପତିଙ୍କୁ ଜଣାଇଥିଲେ । ଜାନୁଆରୀ ୧୦ ତାରିଖରେ ସାଇବର ଠକମାନେ ଦମ୍ପତିଙ୍କ ସମସ୍ତ ସଞ୍ଚିତ ଅର୍ଥ ଲୁଟିନେବା ପରେ ଉଭୟଙ୍କୁ ନିକଟସ୍ଥ ଥାନାକୁ ଯିବାକୁ ପରାମର୍ଶ ଦେଇଥିଲେ । ଏଥିସହ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ସେମାନଙ୍କ ସମସ୍ତ ଟଙ୍କା ଫେରିଆସିବ ବୋଲି ମଧ୍ୟ କହିଥିଲେ । ବୃଦ୍ଧ ଦମ୍ପତି ନିକଟସ୍ଥ ଥାନାକୁ ଯାଇ ବୁଝିବା ପରେ ପ୍ରକୃତ ସତକଥା ସାମ୍‌ନାକୁ ଆସିଥିଲା । ସେମାନେ ସାଇବର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ପୁଲିସ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହାର ତଦନ୍ତ ଭାର ସାଇବର ୟୁନିଟର ସ୍ପେଶାଲ ସେଲ୍‌ ଆଇଏଫ୍‌ଏସ୍‌ଓକୁ ହସ୍ତାନ୍ତର କରିଛି ।

ଏହି ଖବରଟିକୁ ପଢନ୍ତୁ- DMRC ଷ୍ଟାଫ୍ କ୍ଵାର୍ଟରରେ ରୁମ୍ ହିଟର୍ ବ୍ଲାଷ୍ଟ, ଜୀଅନ୍ତା ଜଳିଗଲା ଗୋଟିଏ ପରିବାର, ଭୁଲ୍‌ରେ ବି କରନ୍ତୁନି ଏଭଳି ଭୁଲ୍...