ନୂଆଦିଳ୍ଲୀ,୧୧।୧: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ମୋବାଇଲ୍ ଫୋନ୍ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରନ୍ତି ନାହିଁ। ଏ ସମ୍ପର୍କରେ ନିଜେ ଡୋଭାଲ ବ୍ୟକ୍ତିଗତ ଭାବରେ ସୂଚନା ଦେଇଛନ୍ତି। ସେ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬ ର ଉଦଘାଟନରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ପହଁଞ୍ଚିଥିବା ଯୁବ ପ୍ରତିଯୋଗୀଙ୍କୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମଟି ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଥିଲା।

ପ୍ରଶ୍ନ-ଉତ୍ତର ଅଧିବେଶନ ସମୟରେ, ଯେତେବେଳେ ଡୋଭାଲଙ୍କୁ ତାଙ୍କ ମୋବାଇଲ୍ ଫୋନ୍ ଏବଂ ଇଣ୍ଟରନେଟ୍ ଉପଯୋଗ ନକରିବା ନେଇ ପ୍ରଶ୍ନ ପଚରାଯାଇଥିଲା। ସେ କହିଥିଲେ, ‘ମୁଁ ଫୋନ୍ ବ୍ୟବହାର କରେ ନାହିଁ। ମୁଁ କେବଳ ପରିବାର ଏବଂ ଅନ୍ୟ ଦେଶର ଲୋକଙ୍କ ସହିତ ଫୋନ୍ରେ କଥା ହୁଏ। ତାହା ପୁଣି ଅତି ଆବଶ୍ୟକ ହେଲେ କଥା ହୁଏ। ମୁଁ ମୋର କାମକୁ ଏହିପରି ପରିଚାଳନା କରେ। ଯୋଗାଯୋଗର ଅନେକ ଅନ୍ୟ ଉପାୟ ଅଛି। କିଛି ଅତିରିକ୍ତ ପଦ୍ଧତି ଗ୍ରହଣ କରିବାକୁ ପଡିଥାଏ। ଲୋକମାନେ ଏହା ବିଷୟରେ କମ୍ ସଚେତନ।’

ଉଲ୍ଲେଖନୀୟ ଯେ, ଅଜିତ ଡୋଭାଲ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା। ସେ ଏହି ପଦବୀରେ ଥିବା ପଞ୍ଚମ ବ୍ୟକ୍ତି। ସେ କେରଳ କ୍ୟାଡରର ଜଣେ ଅବସରପ୍ରାପ୍ତ ଭାରତୀୟ ପୋଲିସ ଅଧିକାରୀ। ସେ ଦଶନ୍ଧି ଧରି ଗୁପ୍ତଚର, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଆତଙ୍କବାଦ ବିରୋଧୀ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ୧୯୪୫ ରେ ଉତ୍ତରାଖଣ୍ଡରେ ସେ ଜନ୍ମଗ୍ରହଣ କରିଥିଲେ। ଏହାଛଡା ସେ ୧୯୬୮ ବ୍ୟାଚର ଆଇପିଏସ ଅଧିକାରୀ ଏବଂ କୀର୍ତ୍ତି ଚକ୍ରରେ ସମ୍ମାନିତ ସର୍ବକନିଷ୍ଠ ଅଧିକାରୀ ।ତାଙ୍କ କ୍ୟାରିୟର ସମୟରେ, ସେ ମିଜୋରାମ, ପଞ୍ଜାବ ଏବଂ ଉତ୍ତର-ପୂର୍ବରେ ଉଗ୍ରବାଦ ବିରୋଧୀ ଅଭିଯାନରେ ବ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି। ସେ ଡୋକଲାମ ଗତିରୋଧ ପରିଚାଳନା ଏବଂ ଭାରତର ସୁରକ୍ଷା ରଣନୀତି ପ୍ରସ୍ତୁତ କରିବାରେ ସାମିଲ ଥିଲେ। ୧୯୯୯ ମସିହାରେ କାନ୍ଦାହାରରେ IC-814 ବିମାନ ଅପହରଣ ସଙ୍କଟ ସମୟରେ ଆଲୋଚନା କରୁଥିବା ଅଧିକାରୀଙ୍କ ମଧ୍ୟରେ ସେ ଥିଲେ। ୧୯୭୧ ରୁ ୧୯୯୯ ମଧ୍ୟରେ, ସେ ଅନେକ ହାଇଜ୍ୟାକିଂ ମାମଲା ପରିଚାଳନା କରିଥିଲେ। ସେ କିଛି ବର୍ଷ ଧରି ପାକିସ୍ତାନରେ ଜଣେ ଗୁପ୍ତ ଏଜେଣ୍ଟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ଗତ ବର୍ଷ, ସରକାରଙ୍କ ଫାକ୍ଟ ଚେକିଂ ଏଜେନ୍ସି ସଂସ୍ଥା ଡୋଭାଲଙ୍କ ନାମରେ ଏକ ନକଲି ଫେସବୁକ୍ ଆକାଉଣ୍ଟକୁ ମଧ୍ୟ ଟ୍ରାକ୍ କରିଥିଲା। ଏହି ଆକାଉଣ୍ଟ ମାଧ୍ୟମରେ ପାକିସ୍ତାନରୁ ସାଇବର ଆଟାକ୍ର ଚେତାବନୀ ଜାରି କରାଯାଇଥିଲା। ସେହି ସମୟରେ, ପିଆଇବି ଏକ ବିବୃତ୍ତି ଜାରି କରି କହିଛି ଯେ ଅଜିତ ଡୋଭାଲଙ୍କ କୌଣସି ସରକାରୀ ଫେସବୁକ୍ ଆକାଉଣ୍ଟ ନାହିଁ। ତାଙ୍କ ନାମ ଏବଂ ଫଟୋ ସହିତ ପ୍ରସାରିତ ପୋଷ୍ଟଟି ସମ୍ପୂର୍ଣ୍ଣ ଭାବରେ ମନଗଢ଼ା।

ଆହୁରି ପଢନ୍ତୁ:‘ରକ୍ତ ବାନ୍ତି ସହ ନାକରୁ ବୋହୁଥିଲା ରକ୍ତ…’, ଭେନେଜୁଏଲା ସୈନିକଙ୍କ ଉପରେ ‘ରହସ୍ୟମୟ ଅସ୍ତ୍ର’ ବ୍ୟବହାର କରିଥିଲା ଆମେରିକା