ମୁମ୍ବାଇ,୨୪/୧୨: ଆସନ୍ତା ବର୍ଷ ଫେବ୍ରୁଆରୀ ପହିଲାରେ ସାଧାରଣ ବଜେଟ୍‌  ୨୦୨୫-୨୬ ଉପସ୍ଥାପନ ହେବ । ଏହା ଶନିବାର ପଡୁଥିବା ସତ୍ତେ୍ୱ ପୁଞ୍ଜି ବଜାର ଖୋଲା ରହିବ । ଉକ୍ତ ଦିନ ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ ନିଜର ଅଷ୍ଟମ କେନ୍ଦ୍ରୀୟ ବଜେଟ୍‌କୁ ଆଗତ କରିବେ । 

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)  ସୂଚକାଙ୍କ ସେନ୍‌ସେକ୍ସ ଏବଂ ନ୍ୟାସ୍‌ନାଲ  ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟି  ଉଭୟ ସୂଚକାଙ୍କ ସାଧାରଣ କାରବାର  ଦିବସ ଭଳି ଉକ୍ତ ଦିନ ସକାଳ ୯ଟା ୧୫ରୁ  ଅପରାହ୍ନ ୩.୩୦ ଯାଏ ଖୋଲା ରହିବ ।  କମୋଡିଟି ଡେରିଭେଟିଭ୍‌ ସେଗ୍‌ମେଣ୍ଟ ବି  ଫେବ୍ରୁଆରୀ ୧ ସକାଳେ କାରବାର ପାଇଁ  ଖୋଲା ରହିବ ।  

ଭାରତରେ ସାଧାରଣତଃ ଶନିବାର  ଏବଂ ରବିବାର ଷ୍ଟକ୍‌ ବଜାର ବନ୍ଦ  ରହିଥାଏ । ତେବେ କିଛି ସ୍ୱତନ୍ତ୍ର ଦିନରେ  ସ୍ପେସିଆଲ ଟ୍ରେଡିଂ ସେସନ୍‌ର ଆୟୋଜନ  କରାଯାଇଥାଏ । ଏହା ପୂର୍ବରୁ ୨୦୨୦  ଫେବ୍ରୁଆରୀ ୧ ବଜେଟ୍‌ ଦିନ ଶନିବାର  ପଡ଼ିଥିଲା । ଉକ୍ତ ଦିନ ବଜାର ଖୋଲା  ରହିଥିଲା । ସେହିଭଳି ୨୦୧୫ ଫେବ୍ରୁଆରୀ  ୨୮ ବଜେଟ୍‌ ଦିନ ବି ଶନିବାର ପଡ଼ିଥିବାରୁ  ଉକ୍ତ ଦିନ ବଜାର ଖୋଲାଥିଲା । 

ସପ୍ତାହର ପ୍ରଥମ ଦିନ ଅର୍ଥାତ୍‌  ଆଜି ସେନ୍‌ସେକ୍ସ ୪୯୮ ପଏଣ୍ଟ୍‌ର ବୃଦ୍ଧି  ସହିତ ୭୮,୫୪୦ ପଏଣ୍ଟରେ ବନ୍ଦ  ହୋଇଛି । ନିଫ୍‌ଟି ୧୬୫ ପଏଣ୍ଟ ବଢ଼ି  ୨୩,୭୫୩ ପଏଣ୍ଟରେ ବନ୍ଦ ହୋଇଛି ।  ବିଏସ୍‌ଇ ସ୍ମଲ୍‌କ୍ୟାପ୍‌ ୩୩୧ ପଏଣ୍ଟ ଖସି  ୫୪,୮୧୭ ପଏଣ୍ଟରେ ବନ୍ଦ ହୋଇଛି । ସେନ୍‌ସେକ୍ସର ୩୦ ସେୟାର  ମଧ୍ୟରୁ ୨୦ଟିରେ ବୃଦ୍ଧି ଏବଂ ୧୦ଟିରେ  ହ୍ରାସ ଘଟିଛି । ନିଫ୍‌ଟିର ୫୦ ସେୟାର  ମଧ୍ୟରୁ ୩୨ଟିରେ ବୃଦ୍ଧି ଏବଂ  ୧୮ଟିରେ ହ୍ରାସ ଘଟିଛି । ରିୟଲିଟି  କ୍ଷେତ୍ର ସବୁଠୁ ଅଧିକ ୧.୪୭% ବୃଦ୍ଧି  ସହିତ ବନ୍ଦ ହୋଇଥିବା ଜଣାପଡ଼ିଛି ।