ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ୨୦୨୫ରୁ କେବଳ ପ୍ରବେଶିକା ପରୀକ୍ଷା ଆୟୋଜନ କରିବ । ଏନଟିଏ ଆଉ ନିଯୁକ୍ତି ଲାଗି ପରୀକ୍ଷା ଆୟୋଜନ କରିବ ନାହିଁ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏନଟିଏ କେବଳ ଉଚ୍ଚ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ଆୟୋଜନ ଉପରେ ଧ୍ୟାନ ଦେବ । ନିକଟ ଅତୀତରେ ଏନଟିଏ ଦ୍ବାରା ଆୟୋଜିତ ମେଡିକାଲ ପ୍ରବେଶିକା ପରୀକ୍ଷାରେ ପେପର ଲିକ୍ ଅଭିଯୋଗକୁ ନେଇ ଦେଶରେ ଜୋରଦାର ପ୍ରତିବାଦ ହୋଇଥିଲା । ପରେ ପରେ ଅନ୍ୟ ପ୍ରବେଶିକା ପରୀକ୍ଷା ମଧ୍ୟ ରଦ୍ଦ ହୋଇଥିଲା । ତେବେ ଏଭଳି ଅନିୟମତାତର ସମୀକ୍ଷା କରିବା ଲାଗି ଏକ ଉଚ୍ଚ ସ୍ତରୀୟ ପରୀକ୍ଷା ସୁଧାର କମିଟି ଗଠନ କରାଯାଇଥିଲା । ଏହି କମିଟିର ସୁପାରିଶ ଆଧାରରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି, 'ଏନଟିଏରେ ସୁଧାର ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଥିଲା । କମିଟି ନିଜ ରିପୋର୍ଟ ହସ୍ତାନ୍ତର କରିଛି । ରିପୋର୍ଟକୁ ସୁପ୍ରିମକୋର୍ଟଙ୍କ ସାମନାରେ ଉପସ୍ଥାପନ କରାଯାଇଛି । ଆଜି ଏହି ରିପୋର୍ଟ ସାର୍ବଜନୀନ ହୋଇଛି ।’
କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସଂଯୁକ୍ତ ବିଶ୍ୱବିଦ୍ୟାଳୟ ପ୍ରବେଶ ପରୀକ୍ଷା ଆୟୋଜନ ବର୍ଷରେ ଥରେ କରାଯିବ । ଏହା ସହ ସରକାର ଭବିଷ୍ୟତରେ ଟେକ୍ନୋଲଜିକୁ ବ୍ୟବହାର କରି କମ୍ପ୍ୟୁଟର ଆଧାରିତ ପ୍ରବେଶିକା ପରୀକ୍ଷା ଆୟୋଜନ କରିବା ଉପରେ ବିଚାର କରୁଛନ୍ତି । ମେଡିକାଲ ପ୍ରବେଶିକା ପରୀକ୍ଷା ଅନଲାଇନ୍ ମୋଡରେ କରାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା କରୁଛୁ । ଏହା ବ୍ୟତୀତ ୨୦୨୫ରେ ଏନଟିଏରେ ପୁନର୍ଗଠନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏଥିରେ ଅତି କମରେ ୧୦ଟି ନୂଆ ପଦ ସୃଷ୍ଟି କରାଯିବ । ପରୀକ୍ଷାରେ ଯେପରି କୌଣସି ତ୍ରୁଟି ନରୁହେ ତାହା ସୁନିଶ୍ଚିତ କରିବା ପାଇଁ ଏନଟିଏର କାର୍ଯ୍ୟଶୈଳୀରେ ଅନେକ ପରିବର୍ତ୍ତନ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।